ଭୁବନେଶ୍ବର ୨।୮: ଡିଏମ୍ ସ୍କୁଲର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ କମିଶନରେଟ୍ ପୋଲିସ ବଡ଼ ଆକ୍ସନ । ଘଟଣାର ତଦନ୍ତ ସମୟରେ ସ୍କୁଲ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ଅବହେଳା ହୋଇଥିବା ସାମ୍ନାକୁ ଆସିଥିଲା । ଯାହା ଫଳରେ ଏତେ ବଡ଼ ଅଘଟଣ ଘଟିଗଲା । ତେଣୁ କାର୍ଯ୍ୟରେ ଅବହେଳା ପାଇଁ ସ୍କୁଲର ସୁରକ୍ଷାକର୍ମୀ ବୁଦ୍ଧିଆ ପଟେଲଙ୍କୁ ପୋଲିସ ଗିରଫ କରିଛି ।

ରାଜଧାନୀ ଭୁବନେଶ୍ୱରର ରିଜର୍ଭ ପୋଲିସ ପାଣିକୁଣ୍ଡରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ କମିଶନରେଟ୍ ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ସୁରକ୍ଷାକର୍ମୀ ବୁଦ୍ଧିଆ ପଟେଲ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାକୁ ଆଧାର କରି ପୋଲିସ ଧର୍ତ୍ତବ୍ୟ ଅପରାଧିକ ମାମଲା ରୁଜୁ କରି ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି ।

Also Read:- ପିଠିରେ ଭୁସା ହୋଇଥିଲା ଛୁରି, ୪ କିମି ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ଯୁବକ

ତେବେ ଛାତ୍ରୀଙ୍କ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । ଆବଶ୍ୟକ ପଡ଼ିଲେ ଆହୁରି ଲୋକଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।