ସୋର: ଗୋମାଂସ ବିକ୍ରିକୁ ନେଇ ଗାଁରେ ଉତ୍ତେଜନା । ୭ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏମିତିକି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଗାଡ଼ିକୁ ମଧ୍ୟ ଅଟକାଇଲେ ଲୋକେ । ଏମିତିରେ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅତିରିକ୍ତ ଏସ୍‌ପି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ଥାନା ଗଡ଼ସାହି ପଞ୍ଚାୟତର ଆଟାସାହି ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗାଁର କିଛି ଯୁବକ ଏକ ବାଛୁରୀକୁ ମାରି ତା’ର ମାଂସ ବିକ୍ରି କରିବାକୁ ନେଉଥିଲେ । ଏହା ଜାଣିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକେ ଏହି ଅଭିଯୋଗରେ ଗାଁର ୭ ଯୁବକଙ୍କୁ ଅଟକ ରଖିଥିଲେ।

ଖବର ପାଇ ଔପଦା ପୋଲିସ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲା । ହେଲେ ପୋଲିସ ଗାଡ଼ିକୁ ମଧ୍ୟ ଅଟକାଇ ଦେଇଥିଲେ ଗ୍ରାମବାସୀ । ଖାଲି ସେତିକି ନୁହେଁ, ପରବର୍ତ୍ତୀ ସମୟରେ ଉତ୍ତେଜନା ଆହୁରି ବଢ଼ିଥିଲା । ୩ଟି ଘର ପୋଡ଼ିଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏମିତିରେ ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ ପାଇଁ ବାଲେଶ୍ୱର ଅତିରିକ୍ତ ଏସ୍ପି ପରେଶ ରାଉତଙ୍କ ନେତୃତ୍ୱରେ ଖଇରା, ନୀଳଗିରି, ଔପଦା ଓ ବାଲେଶ୍ୱରରୁ ପୋଲିସ ଫୋର୍ସ । ଆଉ ଦୀର୍ଘ ସମୟର ଉଦ୍ୟମ ପରେ ଅଞ୍ଚଳରେ ଲାଗିଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରାଯାଇପାରିଥିଲା ।

Also Read: ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲାରେ ବଡ଼ ଆକ୍ସନ୍, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ଗ୍ରାମବାସୀ କହିଛନ୍ତି ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଗୋହତ୍ୟା କରି ମାଂସ ବିକ୍ରି ହେଉଥିବା ନେଇ ଅଭିଯୋଗ କରାଯାଇଛି । ହେଲେ କୌଣସି ଫାଇଦା ମିଳିନାହିଁ। ତେବେ ଘଟଣାର ପ୍ରକୃତ କାରଣ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସମ୍ପର୍କରେ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।