ହାଇଦ୍ରାବାଦ: ଆଇପିଏଲ୍ ୨୦୨୭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଟିମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଦଳର ବିସ୍ଫୋରକ ଓପନର୍ ଅଭିଷେକ ଶର୍ମା ଟିମର କାର୍ଯ୍ୟଶୈଳୀ ଓ ଅଧିନାୟକ ପଦକୁ ନେଇ ଚାଲିଥିବା ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ଆଗାମୀ ସଂସ୍କରଣ ପୂର୍ବରୁ ଦଳ ଛାଡ଼ିବାକୁ ମଧ୍ୟ ବିଚାର କରୁଛନ୍ତି ।

ରିପୋର୍ଟ ଅନୁସାରେ, ହାଇଦ୍ରାବାଦ ମ୍ୟାନେଜମେଣ୍ଟ ଆଗାମୀ ସିଜିନ୍ ପାଇଁ ନୂଆ ଅଧିନାୟକ ଚୟନକୁ ନେଇ ବିଚାର କରୁଛନ୍ତି । ପ୍ୟାଟ କମିନ୍ସଙ୍କ ଉତ୍ତରାଧିକାରୀ ଭାବେ ଫ୍ରାଞ୍ଚାଇଜି ୱିକେଟକିପର ବ୍ୟାଟର ଇଶାନ କିଷନଙ୍କୁ ଦାୟିତ୍ୱ ଦେବାକୁ ନେଇ ଅଭିଷେକ ଖୁସି ନାହାନ୍ତି । ଗତ କିଛି ସିଜିନରେ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଅଭିଷେକ ଟିମ ମ୍ୟାନେଜମେଣ୍ଟ ଟିମରେ ତାଙ୍କୁ ବଡ଼ ଦାୟିତ୍ୱ ଦେବ ବୋଲି ଆଶା ରଖିଥିଲେ । କିନ୍ତୁ ମ୍ୟାନେଜମେଣ୍ଟର ଭିନ୍ନ ଯୋଜନା ଯୋଗୁଁ ସେ ଅସନ୍ତୁଷ୍ଟ ଅଛନ୍ତି ।

ଅଭିଷେକ ଶର୍ମା ବଦଳାଇପାରନ୍ତି ଟିମ୍

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଦୀର୍ଘ ବର୍ଷରୁ ହାଇଦ୍ରାବାଦ ସହ ଜଡ଼ିତ ଥିବା କାରଣରୁ ଅଭିଷେକ ଶର୍ମା କ୍ୟାପ୍ଟେନ୍ସି ପାଇଁ ଆଶା ରଖିଥିଲେ । କିନ୍ତୁ ଗତ ସିଜିନରେ ଟିମ୍ ମ୍ୟାନେଜମେଣ୍ଟ ଇଶାନ କିଷନଙ୍କ ଉପରେ ଭରସା କରିଥିଲେ, ଏଥିରେ ନିରାଶ ହୋଇ ସେ ନୂଆ ଫ୍ରାଞ୍ଚାଇଜି ଖୋଜିବା ଆରମ୍ଭ କରିଛନ୍ତି । ଏହି ପୂରା ବିବାଦର ମୂଳରେ ପ୍ୟାଟ କମିନ୍ସଙ୍କ ଇଣ୍ଟରନ୍ୟାସନାଲ୍ ସିଡ୍ୟୁଲ୍ ରହିଛି । ପ୍ୟାଟ କମିନ୍ସ ଆଗାମୀ ଆସେସ୍ ସିରିଜ୍ ଏବଂ ଦିନିକିଆ ବିଶ୍ୱକପକୁ ପ୍ରାଥମିକତା ଦେଇ ଆସନ୍ତା ସଂସ୍କାରଣରୁ ବାଦ ପଡ଼ିପାରନ୍ତି । କମିନ୍ସଙ୍କ ଅନୁପସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ଇଶାନଙ୍କୁ ଚୟନ କରନ୍ତି, ଯିଏ ଗତ ସିଜିନରେ ମଧ୍ୟ କିଛି ମ୍ୟାଚରେ କ୍ୟାପ୍ଟେନ୍ସି କରିଥିଲେ । ରିପୋର୍ଟ ଅନୁସାରେ, ଅଭିଷେକ ଶର୍ମା ୨୦୧୯ ମସିହାରୁ ହାଇଦ୍ରାବାଦ ସହିତ ଅଛନ୍ତି ଏବଂ ତାଙ୍କର ବର୍ଷ ବର୍ଷର ବିଶ୍ୱସ୍ତତା ଏବଂ ପ୍ରଦର୍ଶନ ପରେ ସେ ଅଧିନାୟକତ୍ୱ ପାଇଁ ଯୋଗ୍ୟ ବୋଲି ଅନୁଭବ କରିଛନ୍ତି । ତେବେ, ସନରାଇଜର୍ସ ହାଇଦ୍ରାବାଦର ସିଇଓ କେ.ଶାନମୁଗମ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି ।

ଦାବି କରାଯାଇଛି ଯେ ଯଦି ମନୋମାଳିନ୍ୟ ଦୂର ନୁହେଁ, ତେବେ ମିନି ନିଲାମ କିମ୍ବା ଟ୍ରେଡିଂ ୱିଣ୍ଡୋ ମାଧ୍ୟମରେ ଅଭିଷେକ ଶର୍ମା ନିଜକୁ ଏସଏଚଆରରୁ ଅଲଗା କରି ଅନ୍ୟ କୌଣସି ଫ୍ରାଞ୍ଚାଇଜି ସହ ଯୋଡ଼ିହୋଇପାରନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ ଅଭିଷେକ ଶର୍ମାଙ୍କ ପାଇଁ ଏକ ସମ୍ଭାବ୍ୟ ନୂଆ ଦଳ ସମ୍ପର୍କରେ ଅନେକ ଫ୍ରାଞ୍ଚାଇଜ୍ ସହିତ ଆଲୋଚନା ଆରମ୍ଭ ହୋଇସାରିଛି । ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ଦୌଡ଼ରେ ସବୁଠାରୁ ସମ୍ଭାବ୍ୟ ଦଳ ଭାବରେ ଦେଖାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମଧ୍ୟ ଆଲୋଚନା ଚାଲିଥିବା କୁହାଯାଉଛି । ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହ ଏବେ ଦିଲ୍ଲୀର କୋଚିଂ ଏବଂ ସପୋର୍ଟ ଷ୍ଟାଫର ଅଂଶ ଅଛନ୍ତି । ଗୁଜରାଟ ଟାଇଟାନ୍ସ ଏବଂ ପଞ୍ଜାବ କିଙ୍ଗସ ସହିତ ଯୋଗାଯୋଗ ନେଇ ରିପୋର୍ଟ ଅଛି ।