ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଫାଇନାଲରେ ପ୍ୟାରିସ୍ ଅଲିମ୍ପିକ୍ ରୌପ୍ୟ ବିଜେତା ଚୀନକୁ ୧-୦ ଗୋଲରେ ହରାଇଛି । ଏସୀୟ କ୍ରୀଡ଼ା ୨୦୨୬ରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଥିବା ମହିଳା ଟିମ୍ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ହକି ଇଣ୍ଡିଆ ।

ଦୀର୍ଘ ୪୪ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗୋଟିଏ ବର୍ଷ ପୂର୍ବେ ସଂଘର୍ଷ କରୁଥିବା ମହିଳା ହକି ଟିମ୍ କଠିନ ପରିଶ୍ରମ କରି ଚାମ୍ପିଅନ ହୋଇଛି । ଏବେ ଚାମ୍ପିଅନ ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫.୫ ଲକ୍ଷ ଟଙ୍କା ଦିଆଯିବ ।

 

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଦଳର ସ୍ୱର୍ଣ୍ଣିମ ଯାତ୍ରା

ଭାରତୀୟ ଦଳ ଏସୀୟ କ୍ରୀଡ଼ା ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଥିଲା । ଦଳ ଉଜବେକିସ୍ତାନ୍ ବିପକ୍ଷରେ ୧୯-୦ର ବିଶାଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଇଣ୍ଡୋନେସିଆକୁ ୧୭-୧ ଏବଂ ଥାଇଲ୍ୟାଣ୍ଡକୁ ୨୦-୧ ଗୋଲରେ ପରାସ୍ତ କରିଥିଲା । ସିଙ୍ଗାପୁର ବିପକ୍ଷରେ ପୁଲ୍-ବି’ର ନିଜ ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୭-୦ରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ବୁଧବାର ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ କୋରିଆକୁ ୨-୦ରେ ହରାଇ ୮ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ଏବଂ ଶେଷରେ ଚୀନକୁ ୧-୦ରେ ହରାଇ ଚାମ୍ପିଅନ ହୋଇଛି ।

ଏହାପୂର୍ବରୁ ଭାରତୀୟ ମହିଳା ଟିମ୍ ୧୯୮୨ ମସିହାରେ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହି ବର୍ଷ ପ୍ରଥମ ଥର ପାଇଁ ମହିଳା ହକିକୁ ଏହି କ୍ରୀଡ଼ାରେ ସାମିଲ କରାଯାଇଥିଲା । ତା'ପରଠାରୁ ଭାରତ ୧୯୯୮ ଏବଂ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ବି ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜାପାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

ଗତବର୍ଷ ଖରାପ ଫର୍ମ ଦେଇ ଗତି କରୁଥିବା ଭାରତୀୟ ମହିଳା ହକି ଟିମ୍ ପାଇଁ ୨୦୨୬ ମସିହା ସ୍ମରଣୀୟ ରହିଛି । ଦଳ FIH ନେସନ୍ସ କପ୍ ଜିତି ପ୍ରୋ ଲିଗକୁ ପ୍ରତ୍ୟାବର୍ତ୍ତନ କରିବା ସହ ଗତମାସରେ ନେଦରଲ୍ୟାଣ୍ଡ୍ସ ଓ ବେଲଜିୟମରେ ଅନୁଷ୍ଠିତ ବିଶ୍ୱକପରେ ୫ମ ସ୍ଥାନ ହାସଲ କରିଥିଲା, ଯାହା ୧୯୭୪ ପରେ ଦଳର ଶ୍ରେଷ୍ଠ ପ୍ରଦର୍ଶନ ।