ହାଇଦ୍ରାବାଦ: ତେଲଙ୍ଗାନା ଏକ ହସ୍ପିଟାଲରେ ମହିଳା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣ ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଭିଡିଓରେ ବ୍ୟକ୍ତିଜଣକ ଆକ୍ରମଣ କରିବା ପରେ ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଛଡ଼ାଇ ନେଉଥିବା ଦେଖାଯାଇଛି ।

ହସ୍ପିଟାଲରେ ଚିକିତ୍ସା ସେବା ପରେ ରୋଗୀମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି କୃତଜ୍ଞତା ଜଣାଇଥାନ୍ତି । କିନ୍ତୁ ତେଲଙ୍ଗାନାର ୟାଦାଦ୍ରି-ଭୁବନଗିରି ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାହା ଘଟିଲା, ତାକୁ ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ମହଲରେ ଆତଙ୍କ ଖେଳିଯାଇଛି । ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ରୋଗୀ ମହିଳା ଡାକ୍ତର ଓ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ସହ ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଛଡ଼ାଇ ନେଇ ଚାଲିଯାଉଥିବା ଦେଖିବାକୁ ମିଳିଛି ।

ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ପୋଚମ୍ପଲ୍ଲୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଥିଲା । 'ଡେକାନ୍ କ୍ରୋନିକଲ୍'ର ରିପୋର୍ଟ ଅନୁଯାୟୀ, ମହାମାୟା କଲୋନୀର ଦୁଡ୍ୟାଲା ଭେଙ୍କଟ ତିରୁପତି ନାମକ ବ୍ୟକ୍ତିଜଣକ ମାନସିକ ରୂପେ ଅସୁସ୍ଥ ଥିଲେ । ଖବର ଅନୁଯାୟୀ, ଗୋଡ଼ରେ ଆଘାତ ଲାଗିଥିବାରୁ ତିରୁପତି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ଚିକିତ୍ସା ପାଇବା ପରେ ସେ ହିଂସ୍ର ହୋଇ ଦୁଇଜଣ ମହିଳାଙ୍କ ସମେତ ତିନିଜଣ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ମହିଳା ଡାକ୍ତର କେ.ଶ୍ୱେତାଙ୍କୁ ଆକ୍ରମଣ କରିବା ଓ ତାଙ୍କ ଷ୍ଟେଥୋସ୍କୋପ୍ ଛଡ଼ାଇ ନେବା ସହ ହସ୍ପିଟାଲର ଏକ କମ୍ପ୍ୟୁଟର ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ, ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ପୋଚମ୍ପଲ୍ଲୀ ପୋଲିସ ଷ୍ଟେସନକୁ ଯାଇଥିଲେ । କିନ୍ତୁ ସେଠାରେ ବ୍ୟକ୍ତିଜଣକ ପୂର୍ବରୁ ହିଁ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ । 'ଡେକାନ୍ କ୍ରୋନିକଲ୍' ଅନୁଯାୟୀ, ପରେ ହସ୍ପିଟାଲ କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବା ସହ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ବ୍ୟକ୍ତିଜଣକ ମାନସିକ ଅସୁସ୍ଥ ଥିବା ଦର୍ଶାଇ ପୋଲିସ ଏହି ମାମଲାକୁ ହାଲୁକା ଭାବେ ନେଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ପୋଲିସ ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି ।