ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ମହିଳା ହକି ଟିମ୍ ୪୪ ବର୍ଷ ପରେ ପୋଡ଼ିୟମର ଶୀର୍ଷରେ ସ୍ଥାନ ପକ୍କା କରିଛି । ଫାଇନାଲରେ ଚୀନକୁ ୧-୦ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ମହିଳା ହକି ଦଳ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ୨୦୨୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ସେପଟେ ଜାପାନ ସୁଟ୍ ଆଉଟରେ କୋରିଆକୁ ହରାଇ ବ୍ରୌଞ୍ଜ ପଦକ ଜିତିଛି । ଭାରତୀୟ ମହିଳା ଦଳର ଏହି ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

୧୯୮୨ ପରେ ଏହି ଇଭେଣ୍ଟରେ ଭାରତ ଗୋଲ୍ଡ ନିଜ ନାମରେ କରିଛି । ଟାଇଟଲ୍ ମ୍ୟାଚରେ ଭାରତର ସାମ୍ନା ୨୦୨୪ ପ୍ୟାରିସ୍ ଅଲିମ୍ପିକର ସିଲଭର୍ ମେଡାଲିଷ୍ଟ ଚୀନ୍ ସହିତ ହୋଇଥିଲା । ଏହି ମୁକାବିଲାରେ ଭାରତ ଡିଫେନ୍ସରେ ଦମଦାର ଖେଳ ପ୍ରଦର୍ଶନ କରି ୧-୦ ରେ ବିଜୟ ହାସଲ କରିଛି । ଏହା ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ୧୬ତମ ଗୋଲ୍ଡ ।

 

ଲାଲରେମସିଆମି କଲେ ଏକମାତ୍ର ଗୋଲ୍

ଫାଇନାଲ୍ ମ୍ୟାଚରେ ଏକମାତ୍ର ଗୋଲ୍ ଭାରତ ପାଇଁ ଲାଲରେମସିଆମି ହମାରଜୋଟେ କରିଥିଲେ । ସେ ମ୍ୟାଚ୍‌ର ପ୍ରଥମ କ୍ୱାଟରରେ ୧୦ମ ମିନିଟ୍‌ରେ ଏହି ଗୋଲ୍ ଦେଇଥିଲେ । ଭାରତ ପାଇଁ ୨୦୧୭ରେ ଡେବ୍ୟୁ କରିଥିବା ଲାଲରେମସିଆମିଙ୍କ ପାଇଁ ଏହା ଥିଲା ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ । ଚୀନକୁ ମ୍ୟାଚ୍‌ର ୨୩ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା । ଭାରତର ଗୋଲକିପର୍ ସବିତା ପୁନିଆ ସେହି ପେନାଲ୍ଟି ଷ୍ଟ୍ରୋକକୁ ଅଟକାଇ ଦେଇଥିଲେ ।

 

ଚୀନ ନିଜ ଗୋଲକିପରଙ୍କୁ ହଟାଇଲା

ଚୀନ୍ ଦଳ ମ୍ୟାଚକୁ ଜିତିବା ପାଇଁ ପୂରା ବଳ ଲଗାଇ ଦେଇଥିଲା । ଶେଷ ଚାରି ମିନିଟରେ ଦଳ ନିଜ ଗୋଲକିପରଙ୍କୁ ମଧ୍ୟ ବାହାରକୁ ପଠାଇ ଷ୍ଟ୍ରାଇକରଙ୍କୁ ପଡ଼ିଆକୁ ଡାକିଥିଲା । ୧୧ ଜଣ ଖେଳାଳି ଆକ୍ରମଣ କରୁଥିଲେ । ଏହା ସତ୍ତ୍ୱେ ଭାରତ ତାଙ୍କୁ ଗୋଲ୍ କରିବାର ସୁଯୋଗ ଦେଇନଥିଲା ।

୨୦୨୮ ଅଲିମ୍ପିକ ପାଇଁ ଟିକେଟ୍ ମିଳିଲା

ଏସିଆନ୍ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ସହିତ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ ପାଇଁ ମଧ୍ୟ କ୍ୱାଲିଫାଇ କରିନେଇଛି । ଆମେରିକାର ଲସ୍ ଆଞ୍ଜେଲସରେ ୨୦୨୮ରେ ଅଲିମ୍ପିକ ଗେମ୍ସ ହେବାକୁ ଯାଉଛି ।

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଦଳର ସ୍ୱର୍ଣ୍ଣ ଯାତ୍ରା

ଭାରତୀୟ ଦଳ ଏସୀୟ କ୍ରୀଡ଼ା ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଥିଲା । ଦଳ ଉଜବେକିସ୍ତାନ୍ ବିପକ୍ଷରେ ୧୯-୦ର ବିଶାଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଇଣ୍ଡୋନେସିଆକୁ ୧୭-୧ ଏବଂ ଥାଇଲ୍ୟାଣ୍ଡକୁ ୨୦-୧ ଗୋଲରେ ପରାସ୍ତ କରିଥିଲା । ସିଙ୍ଗାପୁର ବିପକ୍ଷରେ ପୁଲ୍-ବି’ର ନିଜ ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୭-୦ରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ବୁଧବାର ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ କୋରିଆକୁ ୨-୦ରେ ହରାଇ ୮ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ଏବଂ ଶେଷରେ ଚୀନକୁ ୧-୦ରେ ହରାଇ ଚାମ୍ପିଅନ ହୋଇଛି ।

ଏହାପୂର୍ବରୁ ଭାରତୀୟ ମହିଳା ଟିମ୍ ୧୯୮୨ ମସିହାରେ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହି ବର୍ଷ ପ୍ରଥମ ଥର ପାଇଁ ମହିଳା ହକିକୁ ଏହି କ୍ରୀଡ଼ାରେ ସାମିଲ କରାଯାଇଥିଲା । ତା'ପରଠାରୁ ଭାରତ ୧୯୯୮ ଏବଂ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ବି ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜାପାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

ଗତବର୍ଷ ଖରାପ ଫର୍ମ ଦେଇ ଗତି କରୁଥିବା ଭାରତୀୟ ମହିଳା ହକି ଟିମ୍ ପାଇଁ ୨୦୨୬ ମସିହା ସ୍ମରଣୀୟ ରହିଛି । ଦଳ FIH ନେସନ୍ସ କପ୍ ଜିତି ପ୍ରୋ ଲିଗକୁ ପ୍ରତ୍ୟାବର୍ତ୍ତନ କରିବା ସହ ଗତମାସରେ ନେଦରଲ୍ୟାଣ୍ଡ୍ସ ଓ ବେଲଜିୟମରେ ଅନୁଷ୍ଠିତ ବିଶ୍ୱକପରେ ୫ମ ସ୍ଥାନ ହାସଲ କରିଥିଲା, ଯାହା ୧୯୭୪ ପରେ ଦଳର ଶ୍ରେଷ୍ଠ ପ୍ରଦର୍ଶନ ।