ଶ୍ରୀନଗର, ୨୮। ୦୭ : ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଚାଲିଥିବା ଆନ୍ଦୋଳନ ସୋମବାର ତେଜିଛି। ହଜାର ହଜାର ଆନ୍ଦୋଳନକାରୀ ବର୍ତ୍ତମାନ ମୁଜାଫରାବାଦ ଅଭିମୁଖେ ଆଗକୁ ବଢ଼ୁଛନ୍ତି। ମିଳିତ ଆୱାମୀ ଆକ୍ସନ କମିଟି (ଜେଏଏସି) ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୁଝାମଣା ବିଫଳ ହେବା ପରେ ଜୋରଦାର ବିକ୍ଷୋଭ ହୋଇଥିଲା। ଏହାପରେ ପଦଯାତ୍ରା ଆରମ୍ଭ ହୋଇଯାଇଛି।

ଏଭଳି ଘଟଣା ମଧ୍ୟରେ ଦୁଇଟି ଜିଲ୍ଲାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସ୍ଥଗିତ ରହିଛି। ଅଗଷ୍ଟ ୧୦ ପର୍ଯ୍ୟନ୍ତ ସୁଧନୋଟି ଏବଂ ରାୱଲକୋଟ ନିର୍ବାଚନ ମଣ୍ଡଳୀରେ ଭୋଟିଂକୁ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପଭି ନେଇଛନ୍ତି। ଜେଏଏସି ପକ୍ଷରୁ କୁହାଯାଇଛି ଯେ ଗିରଫ ବିକ୍ଷୋଭକାରୀଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର ପାଇଁ ପ୍ରଶାସନ ରାଜି ହୋଇଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶାସନ ଏହି ନିଷ୍ପଭିରୁ ଓହରି ଯାଇଛି। ଏହାପରେ ସରକାରଙ୍କୁ ଚରମବାଣୀ ଦିଆଯାଇଥିଲା।

Also Read :- ଛାଡି଼ବନି ବର୍ଷା, ଫୁଲୁଛି ସବୁ ନଦୀ ! ୨୪ ଘଣ୍ଟା ସତର୍କ ରହିବାକୁ ଏହି ଜିଲ୍ଲାକୁ ଆଲର୍ଟ

ସୋମବାର ଅପରାହ୍ନ ୧ଟା ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଥିଲା। ସରକାର ଦାବି ନ ମାନିବାରୁ ରୁ ଆନ୍ଦୋଳନ ପୁଣି ତେଜିଛି। ଆଜକୁ ୫୨ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀ ଏବେ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି।