ଭୁବନେଶ୍ଵର: ଓଡ଼ିଶାରେ ପ୍ରଥମ ଥର କ୍ଷମତାସୀନ ବିଜେପି ସରକାରକୁ ପୂରିବାକୁ ଯାଉଛି ଦୁଇ ବର୍ଷ। ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗ ଦେବେ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଦିଲ୍ଲୀ ଗସ୍ତ ସମୟର ନିମନ୍ତ୍ରଣ କରିଥିଲି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ ଗ୍ରୀନ ସିଗ୍ନାଲ ମିଳିଛି। ଏ ନେଇ ଆମେ ପ୍ରସ୍ତୁତ ଚଳାଇଛୁ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାରକୁ ଆସିଛି। ଜୁନ ୧୨ରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ୧୫ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ଵରର ଜନତା ମଇଦାନରେ  ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇଥିଲେ ପିଏମ ମୋଦୀ। ସେ ମୋହନ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉତ୍ସବର ଶୁଭାରମ୍ଭ କରିଥିଲେ ଏବଂ ଓଡ଼ିଶାକୁ ଭାରତର ସାଂସ୍କୃତିକ ଐତିହ୍ୟର "ଉଜ୍ଜ୍ୱଳ ତାରକା" ବୋଲି କହିଥିଲେ। ଏହା ମଧ୍ୟରେ ମୋହନ ମାଝୀ ସରକାରଙ୍କୁ ୨ ବର୍ଷ ପୂରିବାକୁ ଯାଉଛି। ଆଉ ଏହି ଅବସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି ସବୁଜ ସଙ୍କେତ ଦେଇ ସାରିଛନ୍ତି।

Also Read: ଭୁବନେଶ୍ୱର-ପୁରୀ ଏନଏଚ ହେବ ୬ ଲେନ୍, ନିର୍ମାଣ ହେବ ହାଇ ସ୍ପିଡ଼ ଇଲେଭେଟେଡ଼ କରିଡର

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ୨ୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ବୋଲି ସବୁଜ ସଙ୍କେତ ଦେଇଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।