• ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ବୈଠକ
  • ନିର୍ମାଣ ହେବ ୬ ଲେନ ବିଶିଷ୍ଠ ହାଇ ସ୍ପିଡ଼ ଇଲେଭେଟେଡ଼ କରିଡର
  • ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ
  • ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ
  • ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେବ ଫ୍ଲାଏ ଓଭର ଏବଂ ଭିଓପି

ଭୁବନେଶ୍ୱର ୨୮।୦୫ : ଭୁବନେଶ୍ୱର-ପୁରୀ ଏନଏଚ ହେବ ୬ ଲେନ୍ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ ଇଲେଭେଟେଡ କରିଡର। ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ। ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱରରୁ ପୁରୀକୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I ପୁରୀ ଓ ଭୁବନେଶ୍ୱରର ରାସ୍ତାର ବିକାଶ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ସମନ୍ୱୟ ଉପରେ ସଚିବ ଶ୍ରୀ ସିଂହ ଗୁରୁତ୍ୱାରୋପ କରିଥିଲେ I

ବୈଠକରେ ୬୭ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ ୪ ଲେନରୁ ୬ ଲେନ କରିବା ସହ ଉଭୟ ପଟରେ ଦୁଇ ଲେନ ବିଶିଷ୍ଟ ସ୍ୱତନ୍ତ୍ର ସର୍ଭିସ ଲେନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା I ଏଥିସହିତ ସପ୍ତସତି ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାକୁ ୬ ଲେନ ଇଲେଭେଟେଡ କରିଡର କରାଯିବ। ଏଥି ସହ ଉଭୟ ପାର୍ଶ୍ୱରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ଼ ନିର୍ମାଣ ହେବ I ଏହା ଭୁବନେଶ୍ୱର ସହରର ଭିଡ ପରିଚାଳନା ସହ ଉଭୟ ସହର ମଧ୍ୟରେ ଯାତାୟାତ ସମୟକୁ ହ୍ରାସ କରିବ I

Also Read:-Jatra Controversy : ୫ ମାସ ପରେ ଜେଲ୍‌ରୁ ବାହାରିଲେ ଶ୍ରୀକ୍ଷେତ୍ର, ସୋନାଲି ପଣ୍ଡାଙ୍କ ଅଭିଯୋଗରେ ହୋଇଥିଲେ ଗିରଫ

ପ୍ରସ୍ତାବିତ ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ୱେ ସାଇଡ ଆମିନିଟି ସୁବିଧା ରହିବ I ପୁରୀ ଏବଂ ଭୁବନେଶ୍ୱର ଅଞ୍ଚଳ ବାତ୍ୟା ପ୍ରବଣ ହୋଇଥିବାରୁ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ,ପାଣି ଓ ଗ୍ୟାସ ସେବା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା I

ପୁରୀରେ ନିର୍ମାଣ ହେବାକୁ ଥିବା ବିମାନ ବନ୍ଦର, ଉପକୂଳ ରାଜପଥ, ଅନ୍ୟାନ୍ୟ ପ୍ରକଳ୍ପ ଏବଂ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱାରୋପ କରିଥିଲେ I ଏଥିସହ ଆବଶ୍ୟକତା ଥିବା ସ୍ଥାନରେ ଇଲେଭେଟେଡ଼ କରିଡର, ଫ୍ଲାଏ ଓଭର ଏବଂ ଭିଓପି ( ଭେଇକିଲ ଅଣ୍ଡର ପାସ) ନିର୍ମାଣ ନେଇ ସର୍ବଶ୍ରେଷ୍ଠ ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ I

ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରଣା, ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ. କେ ପାଢ଼ୀ, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଯୁଗ୍ମ ଶାସନ ସଚିବ ଦୀପ୍ତି ରଞ୍ଜନ ବେହେରା ,ଉପ ଶାସନ ସଚିବ ଇଂ ସୁନ୍ଦର ମାଧବ ପାଢ଼ୀ, ମୁଖ୍ୟଯନ୍ତ୍ରୀ ଏନଏଚ ଇଂ ନାରାୟଣ ପଟେଲଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ, ଟିପିଡିଓସିଏଲ, ଜଙ୍ଗଲ ଓ ପରିବେଶ ବିଭାଗ, ୱାଟକୋ, ଓପିଟିସିଏଲ ଆଦି ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ I