ମୁମ୍ବାଇ: ଗୁଜରାଟ ସ୍କୁଲରେ ମୋଦିଙ୍କ ସହ ପାଠ ପଢିଥିବା ୮୧ ବର୍ଷ ବୟଷ୍କ ଅସଗର ଅଲି ଭୋରା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କ ଜମି ବିବାଦର ସମାଧାନ ହେବାକୁ ଯାଉଛି। ଭୋରା ସେପ୍ଟେମ୍ବର ୮ ତାରିଖରେ ବିଦ୍ୟାଳୟ ସହପାଠୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ବିବାଦୀୟ ଜମି ସମ୍ପର୍କରେ ସୂଚିତ କରିଥିଲେ। ମାମଲାର ସେ ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀଙ୍କଠାରୁ ନ୍ୟାୟ ଭିକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସହପାଠୀଙ୍କୁ ଆଶ୍ୱସ୍ତ କରିଥିଲେ। ଏହି ସାକ୍ଷାତ ଆଲୋଚନାର ତୁରନ୍ତ ବାଦେ ବିଜେପି ନେତା ନରେନ୍ଦ୍ର ମେହେଟ୍ଟାଙ୍କ ସମ୍ପର୍କୀୟ ଡେଭଲପର ବିବାଦୀୟ ସମ୍ପତ୍ତି ପାଇଁ ହାସଲ କରିଥିବା ନିର୍ମାଣ ଅନୁମତି ଫେରସ୍ତ କରିଦେଇଛନ୍ତି।

ଭୋରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ସେ ୧୯୮୯ ମସିହାରେ ନବଘରରେ ୨,୮୧୦ ବର୍ଗ ମିଟରର ଏକ ଜମି ରେଜିଷ୍ଟର୍ଡ ଏଗ୍ରିମେଣ୍ଟରେ କିଣିଥିଲେ। ଏହି ସମ୍ପତ୍ତିର ମାଲିକାନା ତାଙ୍କ ନାମରେ ଥିଲା। ଭୋରାଙ୍କ ଅନୁସାରେ ୨୦୧୧ ମସିହାରେ କିଛି କାଗଜପତ୍ର ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କ ଅଜ୍ଞାତରେ କେହି ତାଙ୍କ ଜମିକୁ ଦୁଇଭାଗରେ ବାଣ୍ଟି ଦେଇଥିଲା । ଏଥିରୁ ଗୋଟିଏ ଭାଗ ବିଲ୍ଡର ନାମରେ ଥିବା ବେଳେ ଅନ୍ୟ ଭାଗଟି ସେଭେନ ଇଲେଭେନ କନଷ୍ଟ୍ରକ୍ସନ ନାମକ ଏକ କମ୍ପାନୀ ନାମରେ ଥିଲା। ଏହି ଉଭୟ ସଂସ୍ଥା ନରେନ୍ଦ୍ର ମେହେଟ୍ଟା ନାମର ଜନୈକ ବିଜେପି ବିଧାୟକଙ୍କ ସମ୍ପର୍କିତ।

ଏହି ବିବାଦ ସେତେବେଳେ ଜଟିଳ ହୋଇପଡିଥିଲା ଯେତେବେଳେ ମୀରା-ଭୟନ୍ଦର ନଗର ନିଗମର ନିୟୋଜନ ବିଭାଗ କଥିତ ରୂପେ ଭୋରାଙ୍କ ମାଲିକାନା ଆପତ୍ତି ସତ୍ତ୍ୱେ ସମ୍ପତ୍ତି ଉପରେ ନିର୍ମାଣ ଅନୁମତି ପ୍ରଦାନ କରିଥିଲେ। ଭୋରା ଅଭିଯୋଗ କରୁଥିଲେଯେ ଯେଉଁ କାଗଜରେ ଜମି ଭାଗବଣ୍ଟା ହୋଇଛି ତାହା ନକଲୀ। ଏଣୁ ସେ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ, ହେଲେ ଫଳ କିଛି ହୋଇନଥିଲା।

ପରିମିଟ୍ ଛାଡି ଦେଲେ ଡେଭଲପର
ତେବେ ଭୋରା ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି। ସେଭେନ ଇଲେଭେନ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ବିବାଦୀୟ ଜମିରେ ନିର୍ମାଣ ପାଇଁ ହାସଲ କରିଥିବା ପ୍ରମାଣପତ୍ର ମୀରା-ଭୟନ୍ଦର ନଗରନିଗମର ନଗର ନିୟୋଜନ ସହାୟକ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଫେରସ୍ତ କରିଦେଇଛି। ଡେଭଲପର କହିଛି ଯେ ସେ ୧୩ ଜୁନ ୨୦୧୯ରେ ରେଜିଷ୍ଟ୍ରି ଦଲିଲ ମାଧ୍ୟମରେ ସମ୍ପତ୍ତି ପ୍ରାପ୍ତ କରିଥିଲା। ଏହା ପରେ ୧୭ ଏପ୍ରିଲ ୨୦୨୬ରେ ଏହା ଉପରେ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରାପ୍ତ କରିଥିଲା। ମାଲିକାନା ବିବାଦ ଯୋଗୁ କମ୍ପାନୀ ନିର୍ମାଣ ଅନୁମତି ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛି। ଏଣୁ ମଞ୍ଜୁରୀ ରଦ୍ଦ କରିବାକୁ ଓ ଏବାବଦେ କମ୍ପାନୀ ଜମା କରିଥିବା ଫି ଫେରସ୍ତ ଦାବି କରିଛି।

ଅଭିଯୋଗ ମଧ୍ୟ ପ୍ରତ୍ୟାହାର ହୋଇଛି
ଭୋରା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନଗର ପାଳିକା ମାମଲାରେ ଶୁଣାଣି ଲାଗି ନୋଟିସ୍ ଜାରି କରିଥିଲେ। ଏଥିରେ ଜମି ମାଡିବସିଥିବା କମ୍ପାନୀ ଓ ବିଲ୍ଡର ଓଭୟଙ୍କୁ ହାଜର ହେବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହା ପୂର୍ବରୁ ଏକ ନୂଆ ଘଟଣାକ୍ରମ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟା ୨୦୧୫ ମସିହାରେ ଏକ ପୋଲିସ ଅଭିଯୋଗ କରିଥିଲେ। ଏ ନେଇ ମେହେଟ୍ଟା ଭୋରାଙ୍କ ସହଯୋଗୀ ଅଜୟ ଧୋକାଙ୍କ ସହ ସମ୍ପର୍କ କରିଥିବା ଜଣାପଡିଛି। ଖବର ଅନୁସାରେ ଧୋକା ଓ ଭୋରାଙ୍କ ବିରୋଧରେ ଜମି ମାଡିବସିବା ଓ ଧମକ ଦେବାର ଅଭିଯୋଗ ଥିଲା। ତେବେ ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିଦିଆଯାଇଥିବା ବେଳେ ମେହେଟ୍ଟା ତାଙ୍କ ଅଭିଯୋଗ ଫେରାଇ ନେଇଛନ୍ତି।

ଅଭିଯୋଗ ପ୍ରତ୍ୟାହାର କରିବା ଓ ନିର୍ମାଣ ଅନୁମତି ସରେଣ୍ଡର ସମ୍ପର୍କିତ କାଗଜପତ୍ର ଶୁଣାଣି ପୂର୍ବରୁ ଅଧିକାରୀଙ୍କୁ ଦେଇ ଦିଆଯାଇଛି। ଏଣୁ ଭୋରା ଏବେ ଆଶା କରୁଛନ୍ତି ଯେ ଏହି ହସ୍ତକ୍ଷେପ ଯୋଗୁ ଦୀର୍ଘ ସମୟରୁ ଚାଲି ଆସୁଥିବା ଏହି ବିବାଦର ଏବେ ଅନ୍ତ ହେବ। ୨୦୧୫ରେ ଭୋରା ଏ ନେଇ ଅଭିଯୋଗ କରିବା ସତ୍ୱେ ଦୀର୍ଘ ବର୍ଷରୁ ସମାଧାନ ନ ହୋଇ ପଡି ରହିଥିଲା। ନଗର ପାଳିକା ଅଧିକାରୀମାନେ ଏବେ ସମ୍ପତ୍ତି ସମ୍ପର୍କିତ ବିବାଦୀୟ ଦାବି ଓ କାଗଜପତ୍ରର ଯାଞ୍ଚ କରୁଛନ୍ତି। ଏହି ଯାଞ୍ଚ ପରେ ଅସଲି ମାଲିକକୁ ଜମି ଅଧିକାର ଦେଇ ଦିଆଯିବ।