ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ସମେତ ଚାରି ରାଜ୍ୟରେ ହୋଇଥିବା ଏମ୍‌ଏଲ୍‌ସି ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସାମନା କରିଛି । ୨୮ ଆସନ ମଧ୍ୟରୁ କଂଗ୍ରେସକୁ ଶୂନ ସିଟ୍ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିର୍ବାଚନ ଇଭିଏମରେ ନୁହେଁ ବାଲଟ୍ ପେପରରେ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସର ପରାଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ଯେ ବାଲଟ୍ ପେପରରେ ବି ନିର୍ବାଚନ ହେଲା । ଅନୁମାନ କରନ୍ତୁ କଂଗ୍ରେସ କେତେ ଆସନ ଜିତିଥିବ ?

ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, "ଚାରି ବଡ଼ ରାଜ୍ୟ-ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକର ୨୮ ଆସନରେ ଏମଏଲସି ନିର୍ବାଚନ ହେଲା । ନିର୍ବାଚନ ବାଲଟ୍ ପେପରରେ ହେଲା । ଅନୁମାନ କରନ୍ତୁ କଂଗ୍ରେସ କେତେ ଆସନ ଜିତିଥିବ ?" ଉଲ୍ଲେଖଯୋଗ୍ୟ ଯେ ୨୮ ଆସନରୁ କଂଗ୍ରେସ ଗୋଟିଏ ବି ଜିତିପାରି ନାହିଁ । ଏଥିରେ କର୍ଣ୍ଣାଟକ ମଧ୍ୟ ରହିଛି, ଯେଉଁଠି କଂଗ୍ରେସର ସରକାର ଅଛି । ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି ।

 

ଚାରି ରାଜ୍ୟର ୨୮ଟି ଏମ୍‌ଏଲ୍‌ସି ଆସନ ପାଇଁ ନିର୍ବାଚନର ଫଳାଫଳ ବୁଧବାର ଘୋଷଣା କରାଯାଇଛି । ମଙ୍ଗଳବାର ଗଣନା ଆରମ୍ଭ ହୋଇଥିଲା ଏବଂ କିଛି ଆସନ ପାଇଁ ଏବେ ବି ଚାଲିଛି । ଅକ୍ଟୋବର ୨୩ ତାରିଖରେ ଉତ୍ତର ପ୍ରଦେଶରେ ଛଅଟି ଶିକ୍ଷକ ଏବଂ ପାଞ୍ଚଟି ସ୍ନାତକ ଆସନ ପାଇଁ, ବିହାରରେ ଚାରଟି ଲେଖାଏଁ, କର୍ଣ୍ଣାଟକରେ ଦୁଇଟି ଲେଖାଏଁ ଏବଂ ମହାରାଷ୍ଟ୍ରରେ ତିନୋଟି ସ୍ନାତକ ଏବଂ ଦୁଇଟି ଶିକ୍ଷକ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Also Read: ବିହାର, ୟୁପି ସହ କର୍ଣ୍ଣାଟକରେ ବି ମାଟି କାମୁଡ଼ିଲା କଂଗ୍ରେସ; ବାଲାଟ୍ ପେପରରେ ହୋଇଥିଲା ନିର୍ବାଚନ

ଏହା ପୂର୍ବରୁ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କଂଗ୍ରେସ ଉପରେ କଟାକ୍ଷ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ କିଛି ଲୋକ ଏହା ମଧ୍ୟ ବୁଝି ପାରୁନାହାନ୍ତି ଯେ ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ନାଁ ବାଲଟ୍ ପେପର୍ ବ୍ୟବହାର କରିବା ଦରକାର କି ନାହିଁ । "କିଛି ଲୋକ ଏହା ମଧ୍ୟ ବୁଝିବାକୁ ଚାହାଁନ୍ତି ନାହିଁ ଯେ ବାଲଟ୍ ପେପର୍ ବ୍ୟବହାର କରି ନିର୍ବାଚନ କରାଯିବା ଉଚିତ କି ନାହିଁ। ଦେଖନ୍ତୁ କର୍ଣ୍ଣାଟକରେ କ'ଣ ହେଲା । ବାଲଟ୍ ପେପର୍ ବ୍ୟବହାର ହେଲା ଏବଂ ବିଜେପି ସମସ୍ତ ଚାରୋଟି ଆସନ ଜିତିଛି ।"