ନୂଆଦିଲ୍ଲୀ, ୧୯/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ମନ୍ତ୍ରୀମାନଙ୍କ ସହ ସ୍ୱତନ୍ତ୍ର ଚିନ୍ତନ ବୈଠକ କରିବେ। ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ ଧରି ଏହି ବୈଠକ ଚାଲିବ। ବୈଠକରେ ସରକାରଙ୍କ କାର୍ଯ୍ୟ କଳାପ,ନୀତି ଓ ଯୋଜନାର କ୍ରିୟାନ୍ଵୟନ ଏବଂ ଭବିଷ୍ୟତରେ କେଉଁସବୁ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା କରାଯିବ। ଏହି ବୈଠକକୁ ଦୃଷ୍ଟିରେ ରଖି ରାଜନୈତିକ ମହଲରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ସରକାରଙ୍କ ତରଫରୁ ଏହା ଉପରେ କିଛି କୁହାଯାଇନାହିଁ ।

ରିପୋର୍ଟ ଅନୁସାରେ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟ ସହ ସରକାରଙ୍କ କାର୍ଯ୍ୟର ମଧ୍ଯ ସମୀକ୍ଷା କରାଯିବ। ବିଶେଷ କରି ବିଭିନ୍ନ ଯୋଜନା ଓ ନୀତିକୁ ତୃଣମୂଳ ସ୍ତରରେ ଲାଗୁ କରିବାର ଗତି,ସରକାରୀ ଯୋଜନାର ପ୍ରଗତି,ମନ୍ତ୍ରଣାଳୟ ଭିତରେ ଉତ୍ତମ ସମନ୍ଵୟ ଏବଂ ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ପହଞ୍ଚିବା ଭଳି ପ୍ରସଙ୍ଗରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ସାଧାରଣ କ୍ୟାବିନେଟ ବୈଠକ ଠାରୁ ଏହି ବୈଠକ ଭିନ୍ନ ହେବ। ବୈଠକରେ ମନ୍ତ୍ରୀମାନଙ୍କୁ ଭିନ୍ନ ଭିନ୍ନ ଗୋଷ୍ଠୀରେ ଭାଗ କରି ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ କରାଯାଇପାରେ। ଏଭଳି କେତେକ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ଯେଉଁମାନେ ଶାସନ ବ୍ୟବସ୍ଥା,ସମ୍ବାଦ,ସୁଧାର ଏବଂ ସରକାରଙ୍କ କାର୍ଯ୍ୟକୁ ଆହୁରି ପ୍ରଭାବୀ କରିବା ଭଳି ପ୍ରସଙ୍ଗରେ ଚର୍ଚ୍ଚା କରିବେ। ବୈଠକରେ କିଛି ମନ୍ତ୍ରଣାଳୟ ପକ୍ଷରୁ ନିଜସ୍ବ କାର୍ଯ୍ୟ ଓ ଉପଲବ୍ଧିକୁ ନେଇ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସ୍ଥିତି,ଏପର୍ଯ୍ୟନ୍ତ ହାସଲ କରାଯାଇଥିବା ଫଳାଫଳ ଏବଂ ଆଗାମୀ ଦିନରେ ପ୍ରାଥମିକତା ପାଇବାକୁ ଥିବା ପ୍ରସଙ୍ଗ ଉପରେ ବିଶେଷ ଭାବେ ଚର୍ଚ୍ଚା କରାଯିବ।

Also Read :- ହିନ୍ଦୀ ବିରୋଧୀ ନୁହେଁ ତାମିଲନାଡୁ, ଅଲଗା ରାଜ୍ୟ ବି ନୁହେଁ’: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ଉଦୟନିଧି ଷ୍ଟାଲିନଙ୍କ ଜବାବ

ଏହି ଚିନ୍ତନ ବୈଠକର ବଡ ଉଦ୍ଦେଶ୍ୟ ହେଉଛି ନୀତି ନିର୍ମାଣ ପ୍ରକ୍ରିୟାକୁ ଅଧିକ ପ୍ରଭାବି ଓ ଫଳପ୍ରଦ କରିବା। ସରକାର ଏହା ଦେଖିବାକୁ ଚାହୁଁଛନ୍ତି ଯେ ନୀତି ପ୍ରସ୍ତୁତ ହେବା ପରେ ତାର ବାସ୍ତବ ରୂପାୟନ ତୃଣମୂଳ ସ୍ତରରେ କିଭଳି ହୋଇଛି। ଏଥିସହ ସମୟ ପରିଚାଳନା,ମନ୍ତ୍ରଣାଳୟ ଭିତରେ ସମନ୍ବୟ,ଯୋଜନାର ତଦାରଖ ଏବଂ ଜନସେବାକୁ କିଭଳି ଉନ୍ନତ କରାଯାଇପାରିବ ତାହା ଉପରେ ମଧ୍ୟ ଆଲୋଚନା କରାଯିବ। ଅର୍ଥାତ ବୈଠକରେ କେବଳ ଅତୀତର କାର୍ଯ୍ୟକୁ ନେଇ ଆଲୋଚନା ହେବ ନାହିଁ । ଆଗାମୀ ଦିନରେ ସରକାରଙ୍କ କାର୍ଯ୍ୟ ଯୋଜନା ଉପରେ ବି ଚର୍ଚ୍ଚା କରାଯିବ।

ଏହି ବୈଠକ ଏଭଳି ସମୟରେ ହେଉଛି ଯେତେବେଳେ ସରକାର ତାଙ୍କର ତୃତୀୟ ପାଳିର ଠିକ୍ ମଧ୍ୟଭାଗରେ ପହଞ୍ଚିଛନ୍ତି। ତେଣୁ ଅବଶିଷ୍ଟ ଅଧାଭାଗ ପାଇଁ ମନ୍ତ୍ରଣାଳୟର କାର୍ଯ୍ୟ ସ୍ଥିର କରିବା ଏବଂ ପ୍ରାଥମିକତା ପାଇବାକୁ ଥିବା ଯୋଜନା ଦୃଷ୍ଟିରୁ ଏହି ବୈଠକକୁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ମନେକରାଯାଉଛି। ବୈଠକରେ ପ୍ରାୟ ସମସ୍ତ ମନ୍ତ୍ରୀ ସାମିଲ ହେବାକୁ ଥିବାରୁ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ହେଉଛି ।