ଚେନ୍ନାଇ: ହିନ୍ଦୀ ପ୍ରତି ମନୋଭାବ ବଦଳାଅ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ କରିବା ପରେ ଏହାର ଉତ୍ତର ରଖିଛନ୍ତି ତାମିଲନାଡୁ ବିରୋଧୀ ଦଳର ନେତା ଉଧୟନୀଧି ଷ୍ଟାଲିନ। ଆମେ ହିନ୍ଦୀ ଭାଷା ବିରୋଧରେ ନାହୁଁ ବରଂ ଏହା ଆମ ଉପରେ ଯେଉଁ ଥୋପାଯାଉଛି ତା ବିରୋଧରେ ଅଛୁ ବୋଲି ଷ୍ଟାଲିନ କହିଛନ୍ତି।

ହିନ୍ଦୀ ଭାଷାକୁ ବିରୋଧ କରିବା ଅର୍ଥ ତାମିଲନାଡୁ ହିନ୍ଦୀ ବିରୋଧୀ କିମ୍ବା ଦେଶଠାରୁ ଅଲଗା ହେବାକୁ ଚାହୁଁଛି ଏହା ନୁହେଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ତାମିଲନାଡୁ ବିରୋଧୀ ଦଳ ନେତା ତଥା ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନ୍। ସେ କହିଛନ୍ତି, ତାମିଲନାଡୁ କୌଣସି ଭାଷାର ବିରୋଧୀ ନୁହେଁ। ରାଜ୍ୟର ନିଜସ୍ୱ ଭାଷାଗତ ପରିଚୟ ରହିଛି ଏବଂ ଏହା ଭାରତର ଅଂଶ।

ଉଦୟନିଧି କହିଛନ୍ତି, “ଆମେ ହିନ୍ଦୀ ସମେତ କୌଣସି ଭାଷା ବିରୋଧରେ ନାହୁଁ। ଆମେ ଅଲଗା ରାଜ୍ୟ ଭାବେ କାମ କରୁନାହୁଁ। ଆମର ନିଜସ୍ୱ ସ୍ୱତନ୍ତ୍ରତା ଓ ବିଶେଷତା ଥିବା ଏକ ରାଜ୍ୟ।” ହିନ୍ଦୀ ଶିଖିବା ଓ ଦେଶପ୍ରେମକୁ ଏକାଠି ଦେଖିବାକୁ ମଧ୍ୟ ସେ ବିରୋଧ କରିଛନ୍ତି। ତାମିଲନାଡୁର ଦୁଇ-ଭାଷା ନୀତିକୁ ଜାତୀୟ ଏକତା ପାଇଁ ଚ୍ୟାଲେଞ୍ଜ୍ ଭାବେ ଦେଖିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ଉଦୟନିଧିଙ୍କ ମତରେ, ବିବିଧତା ମଧ୍ୟରେ ଏକତାକୁ ସମ୍ମାନ କରି ପ୍ରତ୍ୟେକ ରାଜ୍ୟକୁ ନିଜ ପସନ୍ଦର ଭାଷା ନୀତି ଅନୁସରଣ କରିବାର ସୁଯୋଗ ଦିଆଗଲେ ଭାରତର ଅଖଣ୍ଡତା ଆହୁରି ମଜବୁତ ହେବ।

ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ଜବାହର ନବୋଦୟ ବିଦ୍ୟାଳୟ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ପୁନର୍ବିଚାର କରିବାକୁ କହିବାର ଗୋଟିଏ ଦିନ ପରେ ଷ୍ଟାଲିନଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ଶୁଣାଣି ସମୟରେ କୋର୍ଟ କହିଥିଲେ, ତାମିଲନାଡୁରେ ହିନ୍ଦୀକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆଯାଇପାରିବ ନାହିଁ। ବରଂ ହିନ୍ଦୀ ପ୍ରତି ସେମାନଙ୍କ ମନୋଭବ ବଦଳାଇବାକୁ ପଡ଼ିବ।

Also Read- ଆନ୍ଧ୍ରପ୍ରଦେଶର ଦୁଗରାଜପଟ୍ଟନମରେ ଶିପୟାର୍ଡ ନିର୍ମାଣ କରିବ ମଝଗାଓଁ ଡକ୍ , ଜାଣନ୍ତୁ ସୃଷ୍ଟି ହେବ କେତେ ନିଯୁକ୍ତି?

୩,୫୪୮ କୋଟି ଟଙ୍କାର ଶିକ୍ଷା ପାଣ୍ଠି ପ୍ରସଙ୍ଗ

ଉଦୟନିଧି କେନ୍ଦ୍ର ସରକାରଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ତାମିଲନାଡୁକୁ ମିଳିବାକୁ ଥିବା ୩,୫୪୮ କୋଟି ଟଙ୍କା ରାଜ୍ୟ ସରକାର ତିନି-ଭାଷା ନୀତି ଗ୍ରହଣ କରିନଥିବାରୁ ଅଟକାଇ ରଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଦୁଇ-ଭାଷା ନୀତି ଜାରି ରଖିବା ପାଇଁ ତାମିଲନାଡୁକୁ ଶିକ୍ଷା ପାଣ୍ଠିରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଉଚ୍ଚଶିକ୍ଷା, ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ଓ ବିଜ୍ଞାନ କ୍ଷେତ୍ରରେ ତାମିଲନାଡୁର ପ୍ରଦର୍ଶନକୁ ଉଦୟନିଧି ଉଦାହରଣ ଭାବେ ରଖିଛନ୍ତି। ହିନ୍ଦୀ ଜାଣିବା ପେସାଦାର ସଫଳତା ପାଇଁ ଅନିବାର୍ଯ୍ୟ ନୁହେଁ ବୋଲି ସେ କହିଛନ୍ତି। ଇସ୍ରୋ ସମେତ ବିଭିନ୍ନ ଜାତୀୟ ସଂସ୍ଥାରେ ତାମିଲ ଲୋକମାନେ ଉଚ୍ଚ ପଦବୀରେ ରହିଥିବା ନେଇ ସେ ଉଲ୍ଲେଖ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ୍ ଆନ୍ନାଦୁରାଇଙ୍କ ସମୟରୁ ଚାଲିଆସୁଥିବା ତାମିଲନାଡୁର ଦୁଇ-ଭାଷା ନୀତି ରାଜ୍ୟର ଭାଷାଗତ ଆଭିମୁଖ୍ୟକୁ ପ୍ରତିଫଳିତ କରେ ଏବଂ ଏହାକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଉଦୟନିଧି କହିଛନ୍ତି।

ନବୋଦୟ ବିଦ୍ୟାଳୟ ନେଇ କ’ଣ କହିଲେ ସୁପ୍ରିମକୋର୍ଟ?

ଜଷ୍ଟିସ୍ ବିଭି ନାଗରତ୍ନା ଓ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠ ତାମିଲନାଡୁର ପିଟିସନ୍ର ଶୁଣାଣି କରୁଥିଲେ। ପୂର୍ବରୁ ପ୍ରତ୍ୟେକ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରିବାକୁ ରାଜ୍ୟକୁ ଦିଆଯାଇଥିବା ନିର୍ଦ୍ଦେଶକୁ ଫେରାଇ ନେବା ପାଇଁ ତାମିଲନାଡୁ ଆବେଦନ କରିଥିଲା।

ଶୁଣାଣି ସମୟରେ ଜଷ୍ଟିସ୍ ନାଗରତ୍ନା ତାମିଲନାଡୁ ସରକାରଙ୍କୁ ନିଜ ଆଭିମୁଖ୍ୟ ବଦଳାଇବାକୁ କହିଥିଲେ। ତାମିଲନାଡୁରେ ହିନ୍ଦୀ ପଢ଼ାଯିବ ନାହିଁ ବୋଲି ସମ୍ପୂର୍ଣ୍ଣ ଭାବେ କୁହାଯାଇପାରିବ ନାହିଁ ବୋଲି କୋର୍ଟ ମତ ଦେଇଥିଲେ।

ରାଜ୍ୟ ଓ କେନ୍ଦ୍ର ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରନ୍ତୁ ବୋଲି ଖଣ୍ଡପୀଠ କହିବା ସହ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆଉ ଏକ ଶିକ୍ଷା ବିକଳ୍ପ ଦେବ ଏବଂ ଏହା ତାମିଲନାଡୁର ବର୍ତ୍ତମାନର ଶିକ୍ଷାନୁଷ୍ଠାନକୁ ପ୍ରଭାବିତ କରିବ ନାହିଁ ବୋଲି କୋର୍ଟ କହିଥିଲେ। ଜମି ଚିହ୍ନଟ ପାଇଁ ତାମିଲନାଡୁକୁ ଆଉ ୩ ମାସ ସମୟ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪ରେ ହେବ।

କାହିଁକି ନବୋଦୟ ବିଦ୍ୟାଳୟକୁ ବିରୋଧ କରୁଛି ତାମିଲନାଡୁ?

ତାମିଲନାଡୁ ଦୁଇ-ଭାଷା ନୀତି ଅନୁସରଣ କରୁଥିବା ବେଳେ ନବୋଦୟ ବିଦ୍ୟାଳୟ ବ୍ୟବସ୍ଥାରେ ତିନି-ଭାଷା ଢାଞ୍ଚା ରହିଥିବାରୁ ରାଜ୍ୟ ଏହାକୁ ବିରୋଧ କରୁଛି। ଶିକ୍ଷା ଓ ଭାଷା ସମ୍ପର୍କିତ ନିଷ୍ପତ୍ତିରେ ରାଜ୍ୟର ସାମ୍ବିଧାନିକ ଅଧିକାର ରହିଛି ବୋଲି ତାମିଲନାଡୁର ଯୁକ୍ତି।

ତାମିଲନାଡୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟଦୀପ ଗୁପ୍ତା କୋର୍ଟରେ କହିଥିଲେ ଯେ ନବୋଦୟ ଯୋଜନା ଏକ ବିକଳ୍ପ ଯୋଜନା ଏବଂ ରାଜ୍ୟକୁ କେନ୍ଦ୍ରର ନୀତି ଲାଗୁ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଅନ୍ୟପଟେ କେନ୍ଦ୍ର ସରକାର କହିଛନ୍ତି ଯେ ରାଜ୍ୟକୁ କେବଳ ବିଦ୍ୟାଳୟ ପାଇଁ ଜମି ଯୋଗାଇବାକୁ ପଡ଼ିବ। ବିଦ୍ୟାଳୟ ସ୍ଥାପନର ଅନ୍ୟାନ୍ୟ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ।

ମାମଲାଟି ମାଡ୍ରାସ ହାଇକୋର୍ଟର ରାୟ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ କହିଥିଲେ ଯେ କେନ୍ଦ୍ରୀୟ ଅର୍ଥରେ ପରିଚାଳିତ ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ରାଜ୍ୟ ଆଇନର ଉଲ୍ଲଂଘନ କରୁନାହାନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ଅଧିକ ଶିକ୍ଷା ସୁଯୋଗ ଦେଇପାରିବ।