ନ୍ୟୁୟର୍କ, ୦୫/୦୬ : ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବଢିବାରେ ଲାଗିଛି । କିଛି ଦିନ ତଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିଥିଲା । କାରଣ ଆମେରିକା ଭାରତ ଉପରେ ଉଚ୍ଚ ଟାରିଫ୍ ଲଗାଇଥିଲା । ଏବେ କିନ୍ତୁ ଏସବୁରେ ସୁଧାର ଆସିଛି । ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ଏକ ବଡ ବ୍ୟବସାୟିକ ବୁଝାବଣା ହେବା ନେଇ ଅନୁମାନ କରାଯାଉଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ସେ ମୋଦୀଙ୍କୁ ନିଜର ଖାସ୍ ବନ୍ଧୁ ବୋଲି କହିଛନ୍ତି ।

ଗୁରୁବାର ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଟ୍ରମ୍ପ୍ ଉଭୟ ଦେଶର ବ୍ୟବସାୟିକ ଏବଂ ବ୍ୟକ୍ତିଗତ ସମ୍ପର୍କ ବାବଦରେ କହିଛନ୍ତି । ପୁରୁଣା ବ୍ୟବସାୟିକ ସମ୍ପର୍କକୁ ନେଇ ୟୁଏସ ରାଷ୍ଟ୍ରପତି କହିଛନ୍ତି ଯେ, ପୂର୍ବ ତୁଳନାରେ ଏବେ ସ୍ଥିତି ବଦଳିଯାଇଛି । ବର୍ଷବର୍ଷ ଧରି ଭାରତ ଆମେରିକାର ଫାଇଦା ନେଇଛି । ସେମାନେ ଆମେରିକା ବସ୍ତୁ ଉପରେ ଉଚ୍ଚ ଟିକସ୍ ବସାଉଥିଲେ । ନିଜେ କିଛି ଖର୍ଚ୍ଚ କରୁନଥିଲେ । କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି । ଏବେ ଆମେରିକା ଭାରତ ସହ ବ୍ୟବସାୟ କରି ବହୁତ ଟଙ୍କା ଆୟ କରୁଛି ।

ପୂର୍ବରୁ ହେଉଥିବା ବ୍ୟବସାୟିକ କ୍ଷତି ଏବଂ ଟିକସକୁ ନେଇ ଅନେକ କଥା କହିବା ସହ ଆଗାମୀ ଦିନରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ଟ୍ରମ୍ପ୍ ଆଶା ରଖିଛନ୍ତି । ଏସବୁର ଶ୍ରେୟ ସେ ମୋଦୀଙ୍କୁ ଦେଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ମଜବୁତ ବ୍ୟକ୍ତିଗତ ସମ୍ପର୍କ ଥିବା ଟ୍ରମ୍ପ୍ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେରିକା ଭାରତ ସହ ଏକ ବାଣିଜ୍ୟ ଚୁକ୍ତି କରିବ । କାରଣ ସେ ମୋଦୀଙ୍କୁ ଖୁବ୍ ପସନ୍ଦ କରନ୍ତି । ମୋଦୀ ତାଙ୍କର ଭଲ ବନ୍ଧୁ । ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି ।

Also Read :- ପୁଟିନଙ୍କ ସହ ସିଧାସଳଖ କଥା ହେବେ ଜେଲେନସ୍କି ! ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତାବ ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି

ଟ୍ରମ୍ପଙ୍କ ବୟାନରୁ ଏହା ସ୍ପଷ୍ଟ ଯେ, ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ପ୍ରସଙ୍ଗ ଅନେକ ଉତ୍ଥାନ ଏବଂ ପତନ ଦେଇ ଗତି କରୁଛି । କିନ୍ତୁ ଉଭୟ ଦେଶ ଅନେକ ବିବାଦକୁ ସମାଧାନ କରିବାକୁ ଆଗଭର ମଧ୍ୟ ଅଛନ୍ତି । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଏକ ବଡ ବାଣିଜ୍ୟିକ ଚୁକ୍ତି ହେବାକୁ ଯାଉଥିବା ଆଶା କରାଯାଉଛି ।