ମସ୍କୋ, ୦୫/୦୬ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ବର୍ଷ ଧରି ଯୁଦ୍ଧ ଚାଲିଛି । ପରସ୍ପର ଉପରେ ଦୁଇ ଦେଶ ମିସାଇଲ ଏବଂ ଡ୍ରୋନରେ ଆକ୍ରମଣ କରୁଛନ୍ତି । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏତେବର୍ଷ ବିତି ଯାଇଥିଲେ ମଧ୍ୟ ଯୁଦ୍ଧର କୌଣସି ନିସ୍କର୍ସ ବାହାରି ପାରୁ ନାହିଁ । ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ବନ୍ଦ କରିବାକୁ ଏକ ପ୍ରସ୍ତାବ ଦେଇଛନ୍ତି । ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ସିଧାସଳଖ ବୈଠକ କରିବାକୁ ରାଜି ଥିବା ପ୍ରକାଶ କରିଛନ୍ତି ।

ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପତ୍ର ଓ୍ୱେବସାଇଟରେ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ଜେଲେନସ୍କି ଋଷୀୟ ନେତାଙ୍କ ସହ ସାମ୍ନାସାମ୍ନି ବୈଠକ ପାଇଁ ଆଗଭର ଅଛନ୍ତି । ଏହା ଶାନ୍ତି ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଛି । ଯୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି । କିଭ୍ ଯୁଦ୍ଧ ବିରତି ପାଇଁ ପ୍ରସ୍ତୁତ ଅଛି ।

ଆହୁରି ମଧ୍ୟ ଜେଲେନସ୍କି କହିଛନ୍ତି ଯେ, ଉଭୟ ଦେଶ ଗିରଫ କରିଥିବା ପରସ୍ପରର ସୈନ୍ୟଙ୍କୁ ଛାଡିବା ଦରକାର । ଏହା ଶାନ୍ତି ଆଲୋଚନାର ପ୍ରଥମ ସୋପାନ ହେବ । ଏହା ଯୁଦ୍ଧକୁ ରୋକିବାରେ ବଡ ପଦକ୍ଷେପ ହେବ । ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଯୁଦ୍ଧ ରୋକିବାକୁ ଅନେକ ସ୍ତରରେ ଆଲୋଚନା ଚାଲିଛି । ଆମେରିକା ଉଭୟ ଦେଶର ଯୁଦ୍ଧ ରୋକିବାକୁ ଖୁବ୍ ମଧ୍ୟସ୍ତତା କରୁଛି ।

ଋଷର ପ୍ରତିକ୍ରିୟା

କ୍ରେମଲିନ୍ ର ମୁଖପାତ୍ର ଡିମିତ୍ରି ପେସକୋଭ୍ କହିଛନ୍ତି ଯେ, ଜେଲେନସ୍କି କେତେବେଳେ ବି ମସ୍କୋ ଆସିପାରିବେ । କିନ୍ତୁ ଏବେସୁଦ୍ଧା ପୁଟିନ ୟୁକ୍ରେନର ଚିଠି ପଢି ନାହାଁନ୍ତି । କିଛି ଦିନ ପୂର୍ବରୁ ୟୁକ୍ରେନ ଋଷର ସର୍ତ୍ତରେ ରାଜି ହେବା ଦରକାର ବୋଲି ସେ ପ୍ରକାଶ କରିଥିଲେ । ଏହାସହ ଋଷ ସେନା ଡୋନେଟସକ୍ ର ୮୫ ପ୍ରତିଶତ ଅଞ୍ଚଳକୁ କବଜା କରିନେଇଥିବା ପୁଟିନ ଦାବି କରିଥିଲେ ।