ଟାଙ୍ଗୀ: ଶୀତ ଆସିନି ସତ, ହେଲେ ଚିଲିକାକୁ ଆସିଲେଣି ବିଦେଶୀ ଅତିଥି। ଓଡିଶାର ଗର୍ବ ଚିଲିକା ହ୍ରଦ ପୁଣି ଥରେ ଗୋଲାପୀ ରଙ୍ଗରେ ରଙ୍ଗେଇ ହୋଇଛି । ସାଧାରଣତଃ ନଭେମ୍ବର-ଡିସେମ୍ବର ମାସରେ ଚିଲିକାକୁ ଆସୁଥିବା ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଚଳିତ ବର୍ଷ ଖରା ଓ ଗୁଳୁଗୁଳି ଭିତରେ ହିଁ ଆଗୁଆ ଆସିଛନ୍ତି, ଯାହା ପକ୍ଷୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। କେତେକ ପକ୍ଷୀପ୍ରେମୀ ଚିଲିକା ଭ୍ରମଣରେ ଆସି ଏହି ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଙ୍କୁ ତାଙ୍କର କ୍ୟାମେରା ରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏପଟେ ଏହି ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଚିଲିକାରେ ପ୍ରବଳ ମାତ୍ରାରେ ଦେଖାଯାଉଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ହଜାର ହଜାର କିମି ଅତିକ୍ରମ କରି ଆସିଲେ

ଦୃଶ୍ୟ ବେଶ୍ ମନୋରମ। ନୀଳ ଚିଲିକା ବୁକୁରେ ଧଳା-ଗୋଲାପୀ ପକ୍ଷୀଙ୍କ ଭିଡ। ଏମାନେ ହେଉଛନ୍ତି ସେହି ଫ୍ଲେମିଙ୍ଗୋ, ଯେଉଁମାନେ ହଜାର ହଜାର କିଲୋମିଟର ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି। ପ୍ରତିବର୍ଷ ଶୀତ ଆରମ୍ଭରୁ ଏମାନଙ୍କ ଆଗମନ ହୋଇଥାଏ, ନଭେମ୍ବରରୁ ଡିସେମ୍ବର ଏବଂ ପୁଣି ଫେବୃଆରୀ-ମାର୍ଚ୍ଚରେ ଏମାନଙ୍କୁ ଅଧିକ ଦେଖିବାକୁ ମିଳେ। କିନ୍ତୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ଶୀତ ଆରମ୍ଭ ହୋଇନଥିଲେ ମଧ୍ୟ, ଫ୍ଲେମିଙ୍ଗୋ ଦଳ ଆଗୁଆ ପହଞ୍ଚି ଯାଇଛନ୍ତି। ଚିଲିକା ପୁଣି ଥରେ ବିଦେଶୀ ଅତିଥିଙ୍କ କଳରବରେ ଗୁଞ୍ଜରିତ ହେବାକୁ ଯାଉଛି, ଏହା ଓଡିଶା ପାଇଁ ନିଶ୍ଚୟ ଏକ ଖୁସିର ଖବର।

Also Read: ମାଆ କେବେବି ଦୁର୍ବଳ ନୁହେଁ ; ସେ ଚାହିଁଲେ କିଛି ବି କରିପାରେ, ଏହି ଘଟଣା ତାର ଜ୍ୱଳନ୍ତ ଉଦାହରଣ...

ଚିକିଲା ପାଇଁ ଶୁଭ ସଙ୍କେତ

ବିଗତ ୩ ରୁ ୪ ବର୍ଷ ହେଲା ଚିଲିକାରେ ଫ୍ଲେମିଙ୍ଗୋ ସଂଖ୍ୟା କମି ଯାଇଥିଲା। ଏଣୁ ଏଥର ସେମାନଙ୍କ ଆଗୁଆ ଆଗମନ ଏକ ଶୁଭ ସଙ୍କେତ ଭାବେ ଦେଖାଯାଉଛି। ପକ୍ଷୀତ ପ୍ରେମୀ ଓ ପରିବେଶବିତ୍ ମାନେ ଆଶା କରୁଛନ୍ତି, ଚଳିତ ବର୍ଷ ଅଧିକ ସଂଖ୍ୟାରେ ପ୍ରବାସୀ ପକ୍ଷୀ ଚିଲିକାକୁ ଆସିବେ। ତେବେ ଏଥର ମୋଟ କେତେ ପକ୍ଷୀ ଆସିବେ, ତାହା ଗଣନା ପରେ ହିଁ ସ୍ପଷ୍ଟ ହେବ ବୋଲି   ଚିଲିକା ବନ୍ୟପ୍ରାଣୀ ବିଭାଗର DFO ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।