ଉଦଳା : ଧରାବତରଣ କରିବେ ମା' ଜଗତଜନନୀ। ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ପୀଠରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା.. । ମା’ ସେ ଅଭୟ ଦାୟିନୀ, ଶକ୍ତି ସ୍ୱରୁପିଣୀ, ପାପ ନାଶିନୀ। ତାଙ୍କ ଆଗମନ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ଦିଏ। ସେମିତି ପ୍ରତ୍ୟେକ ମା' ଦୁର୍ଗାଙ୍କ ସ୍ୱରୂପ। ମା' ତ ସବୁବେଳେ ପୂଜ୍ୟ। ସେ କିଛି ବି କରିପାରେ... ମମତା ଓଜାଡ଼ି ଦିଏ, ଦରକାର ପଡ଼ିଲେ ଦୁଷ୍ଟଙ୍କୁ ବଦ୍ଧ ବି କରିପାରେ। ପାପୀ ଓ ପାପକୁ ନାଶ କରିପାରେ । ଏଦୃଶ୍ୟ ସେମିତି କିଛି ବୟାନ କରିଛି। ହାତରେ ଖଣ୍ଡିଏ ଖଣ୍ଡିଏ ବାଡ଼ି, ମନରେ କିଛି ସୁଧାରିବାର ସଂକଳ୍ପ ନେଇ ଅଣ୍ଟା ଭିଡିଛନ୍ତି, ଗାଁ ରାସ୍ତାକଡରେ ବସିଥିବା ଏହି ମହିଳାମାନେ । ଏମାନେ ଅଛନ୍ତି ଏକ ମିଶନରେ । ଅର୍ଥାତ ଏମାନେ ସମସ୍ତେ ବାହାରିଛନ୍ତି ନିଜ ଗାଁକୁ ବଞ୍ଚାଇବାକୁ । ଆଉ ଏ ସମସ୍ତଙ୍କୁ ଏକଜୁଟ କରି ପୂରା ମିଶନର ମଙ୍ଗ ଧରିଛନ୍ତି ପଞ୍ଚାୟତର ପୂର୍ବତନ ସରପଞ୍ଚ । ଯିଏ କି ଗାଁକୁ ମଦମୁକ୍ତ କରିବାକୁ ଲାଗି ପଡିଛନ୍ତି। ଏ ଚିତ୍ର ହେଉଛି ଉଦଳା ବ୍ଲକର ଖଲାଡି ପଂଚାୟତର।

ଜୀବନ ନେଉଛି ନିଶା ସେବନ। ମଦ ପିଇ କମ୍ ବୟସରୁ କାହା ଜୀବନ ଚାଲିଯାଉଛି ତ କିଏ ଦେଉଛି ଅକଥନୀୟ ନିର୍ଯାତନା। ଏ ସବୁର ଶେଷ କରିବାକୁ ପ୍ରୟାସ କରିଛନ୍ତି ଖଲାଡ଼ି ପଂଚାୟତର ପୂର୍ବତନ ସରପଞ୍ଚ ସୁଲୁମଣି ମଢେଇ। ସେ ୨୦୧୨ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଥିଲେ ସରପଞ୍ଚ । ଯାହା ପରେ ସେ ନିର୍ବାଚନଠାରୁ ଦୂରେଇ ଯାଇଥିଲେ। ୧୦ ବର୍ଷ କାଳ ପଞ୍ଚାୟତବାସୀଙ୍କ ସେବା କରିବା ସହିତ ପ୍ରତି ସୁଖ ଦୁଃଖରେ ଛିଡ଼ା ହୁଅନ୍ତି। ସେବେଠାରୁ ଲୋକଙ୍କର ସମସ୍ୟା ବୁଝି ଆସୁଥିବା ସୁଲୁମଣି ଏବେ ନିଜ ଗାଁ ଓ ପଂଚାୟତକୁ ମଦ ମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ । ଗାଁରେ କିଛି ବର୍ଷ ହେବ ବେଆଇନ ମଦ ବିକ୍ରି ବଢ଼ିବାରେ ଲାଗିଛି, ଚୋରା ଦେଶୀ ମଦ ବିକ୍ରି କରାଯିବାସହ ତାକୁ ପିଇ ଅନେକ ପରିବାର ସର୍ବଶ୍ୱାନ୍ତ ହୋଇ ସାରିଲାଣି। କେଉଁଠି କମ୍ ବୟସରେ ମହିଳାଙ୍କ ମଥାରୁ ସିନ୍ଦୂର ଲିଭି ଯାଉଛି ତ, ଆଉ କେଉଁଠି ବାପା ମାଆ ଥାଉ ଥାଉ ପୁଅର ମୃତ୍ୟୁ ହୋଇଛି । ଘରେ ଘରେ ଅଶାନ୍ତି ଏବଂ ଗଣ୍ଡଗୋଳ। ତେଣୁ ଗ୍ରାମ ଏବଂ ଗ୍ରାମବାସୀଙ୍କୁ ସେହି ବିପଦରୁ ବଞ୍ଚାଇବାକୁ ମହିଳାମାନଙ୍କୁ ଏକତ୍ରିତ କରି ମଦମୁକ୍ତ ଗାଁ ଗଢ଼ିବା ଆରମ୍ଭ ହୋଇଛି। ପଂଚାୟତ ଅଧୀନରେ ଥିବା ଗ୍ରାମର ମହିଳାମାନଙ୍କୁ ନେଇ ଗାଁ ଗାଁ ବୁଲି କ୍ୟାମ୍ପେନ କରିବା ସହିତ ମଦ ବିକ୍ରି ହେଉଥିବା ସ୍ଥାନରେ ମଦ ବନ୍ଦ କରିବାକୁ କୁହାଯାଉଛି। ଯେଉଁଥିରେ ଶହ ଶହ ମହିଳା ସାମିଲ ହୋଇଛନ୍ତି । ଆଉ ସମସ୍ତେ ଗୋଟିଏ ମିଶନରେ ଅଛନ୍ତି ଗାଁକୁ ମଦମୁକ୍ତ କରିବା ।

ଆଜକୁ ୬ମାସ ହେବ ଗାଁରେ ଚାଲିଛି ମଦ ବିରୋଧି ଆନ୍ଦୋଳନ। ଯେଉଁଥିପାଇଁ କମିଛି ମଦ ବିକ୍ରି । ବିଶେଷ କରି ଖଲାଡି ପଞ୍ଚାୟତର ନହରପଦା, ଡମ୍ବରୁଡ଼ିହି, ଜୁଆଳିଆ, ଖଲାଡି, ପାଟପୁର ଆଦି ଗ୍ରାମରେ ପଡ଼ିଛି ମହିଳାସେନାଙ୍କ ପ୍ରଭାବ । ସବୁବେଳେ ଏହି ଚେଷ୍ଟା ଯେମିତି କମ୍ ବୟସରେ କାହା ମଥାରୁ ସିନ୍ଦୂର ପୋଛି ନହେଉ କି ଆଉ କାହା ସଂସାର ନ ଉଜୁଡ଼ୁ। ଗୋଟେପଟେ ମହିଳାମାନେ ନିଜ ଗ୍ରାମକୁ ମଦ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଏହା ସହିତ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ୍ କର ନ ହେଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ମହିଳାମାନେ। ସବୁ ଗ୍ରାମରେ ଯଦି ଏହିଭଳି ପଦକ୍ଷେପ ନିଆଯିବ ତେବେ ଚୋରା ମଦ କାରବାର ବନ୍ଦ ହେବାକୁ ବେଶୀ ସମୟ ଲାଗିବନି।

Also Read- ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ମନ୍ତ୍ରୀଙ୍କ ବଡ଼ ଅପିଲ୍, ସବୁ କଲେଜ ଉପରେ ରହିବ କଣ୍ଟ୍ରୋଲ ରୁମ୍‌ର ନଜର