ଭୁବନେଶ୍ୱର ୨୫।୧୦ : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗରେ ସାମ୍ନାକୁ ଆସିଛି ବଡ଼ ଧରଣର ଆର୍ଥିକ ହେରଫେର। ପ୍ରାୟ ୨ କୋଟି ୬୦ ଲକ୍ଷରୁ ଅଧିକ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଆଜି ବିଭାଗର ସିନିୟର ଆସିଷ୍ଟାଣ୍ଟ ବାବୁଲୁ ସୁନାଙ୍କୁ ଗିରଫ କରିଛି। ବାବୁଲୁ ସୁନା ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅଫିସରେ ସିନିୟର ଆସିଷ୍ଟାଣ୍ଟ ତଥା ଏଷ୍ଟାବ୍ଲିସମେଣ୍ଟ ସେକ୍ସନର ଦାୟିତ୍ୱରେ ଥିଲେ।

୨୦୨୩ ମସିହାରୁ ସେ MACP ଏବଂ RACP ସ୍କିମ୍ ଅଧିନରେ ଜାଲ୍ ଏରିୟର ବିଲ୍ ପ୍ରସ୍ତୁତ କରି ପ୍ରାୟ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ସୂଚନା ମିଳିଛି। ବାବୁଲୁ ନିଜ ପଦବୀର ଅପବ୍ୟବହାର କରି ବିଭାଗର ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟ ବ୍ୟବହାର କରି ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଏହି ଟଙ୍କାକୁ ସେ ନିଜ ପରିବାର ସଦସ୍ୟ ଏବଂ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଥିଲେ।

Also Read:-ଭୟଙ୍କର ଦୁର୍ଘଟଣା : ମୁହାଁମୁହିଁ ଧକ୍କା ପରେ ଜଳିଗଲା ଦୁଇ ଟ୍ରେଲର, ଜୀଅନ୍ତା ପୋଡ଼ିଗଲେ ଦୁଇ ଡ୍ରାଇଭର

କେବଳ ସେତିକି ନୁହେଁ, ସେ ନିଜର ଦରମା ମଧ୍ୟ ବେଆଇନ ଭାବେ ବଢ଼ାଇ ପ୍ରାୟ ୧୦.୫୮ ଲକ୍ଷ ଟଙ୍କା ଅଧିକ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବାବୁଲୁ ଗତ ୬ ମାସ ଧରି ଫେରାର ଥିଲେ। ଗତ ରାତିରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ବଲାଙ୍ଗୀରରୁ କାବୁ କରିଥିଲା। ଆଜି ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। କୋରାପୁଟ ଭିଜିଲାନ୍ସ ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।