ପାଟଣା ୨୧।୯: ଜଙ୍ଗଲରେ ରହିବାକୁ ବି ଦିଆଯାଉନି ହାତୀ ପଲଙ୍କୁ । ଉଚ୍ଚ ଶବ୍ଦ କରି ହାତୀଙ୍କୁ ଭୟଭୀତ କରାଯାଉଥିବା ଭିଡିଓ ଏବେ ଭାଇରାଲ । କେଉଁଠି ବାଇକ୍, ତ ଆଉ କେଉଁଠି ଟ୍ରାକ୍ଟରରେ ଉଚ୍ଚଶବ୍ଦ କରି ହାତୀ ପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରୁ । ୨୫ ଟିକିଆ ହାତୀ ପଲଙ୍କୁ ନେଇ ଏବେ ଅଞ୍ଚଳବାସୀ ଚିନ୍ତାରେ ଥିବାବେଳେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର ବରପଦା, ଝାଲିଆବେଡା, ବର୍ଦ୍ଧନା ଓ ବଣକାଟି ଜଙ୍ଗଲରେ ଗତ ଦୁଇ ଦିନ ଧରି ଡେରା ପକାଇଛି ୨୫ ଟିକିଆ ହାତୀପଲ । ରାତି ହେଲେ ଜଙ୍ଗଲରୁ ବାହାରି ନିକଟସ୍ଥ ଅଞ୍ଚଳରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ । ବିଳମ୍ବିତ ରାତିରେ ଜ୍ୟୋତିପୁର, ଷଡ଼ଙ୍ଗୀ, ଫୁଲକଅଁଳେଇ ଆଦି ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

Also Read:- ଗଞ୍ଜାମ ନିକଟ ଦେଇ ଗଭୀର ଅବପାତ ଗତି କରିବାର ଆଶଙ୍କା ; ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଓଡ୍ରାଫ୍ ଟିମ୍ ସଜାଗ

ହାତୀ ପଲଙ୍କ ଉପଦ୍ରବ ଭିତରେ ସାମ୍ନାକୁ ଆସିଛି ଆଉ ଏକ ଚିନ୍ତାଜନକ ଚିତ୍ର । ବରପଦା ଜଙ୍ଗଲରେ ହାତୀ ପଲ ଥିବାବେଳେ କିଛି ଲୋକ ବାଇକ୍ ଓ ଟ୍ରାକ୍ଟର ନେଇ ଜଙ୍ଗଲ ଭିତରେ ପହଞ୍ଚି ଉଚ୍ଚଶବ୍ଦ କରି ହାତୀଙ୍କୁ ଭୟଭୀତ କରୁଥିବା ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଉଚ୍ଚଶବ୍ଦରେ ହାତୀ ପଲ ବିଚଳିତ ହୋଇ ଦୌଡ଼ି ପଳାଉଥିବା ଦେଖାଯାଉଛି । ଜଙ୍ଗଲ ଭିତରେ ହାତୀଙ୍କୁ ଏଭଳି ଭାବେ ଭୟଭୀତ କରାଯିବା ଫଳରେ ହାତୀ ଓ ମଣିଷ ଉଭୟଙ୍କ ପାଇଁ ବିପଦ ବଢ଼ିବା ଆଶଙ୍କା ରହିଛି । ଏଭଳି ଘଟଣା ଉପରେ ବନ ବିଭାଗ ଦୃଷ୍ଟି ଦେଇ ହାତୀ ପଲଙ୍କ ସୁରକ୍ଷା ସହ ମଣିଷ-ହାତୀ ସଂଘର୍ଷ ରୋକିବାକୁ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।