ନୂଆଦିଲ୍ଲୀ: ଇନ୍ଦୋରଠାରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଜଣେ ଷ୍ଟାଣ୍ଡ-ଅପ୍ କମେଡିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନକଲ (ମିମିକ୍ରି) କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛି । ଶନିବାର କଂଗ୍ରେସର 'ଛାତ୍ରୋଁ କୀ ଗୁଞ୍ଜ' କାର୍ଯ୍ୟକ୍ରମରେ କମେଡିଆନ୍ ପୁଲକିତ ମଣି ଏହି ପ୍ରଦର୍ଶନ କରିଥିଲେ । ଯେଉଁଠାରେ ରାହୁଲ ଗାନ୍ଧୀ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଆକ୍ଟରେ ପ୍ରଧାନମନ୍ତ୍ରୀଙ୍କ କହିବା ଶୈଳୀ, ଆଚରଣ ଏବଂ ବୈଦେଶିକ ନେତାଙ୍କ ସହ ବାର୍ତ୍ତାଳାପର ନକଲ କରାଯାଇଥିଲା, ଯାହାକୁ ନେଇ ଏବେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସାମାଜିକ ଗଣମାଧ୍ୟମ 'X' ରେ ପୋଷ୍ଟ କରି ରିଜିଜୁ ଲେଖିଛନ୍ତି, ‘କଂଗ୍ରେସ ଦଳ ଏବେ କମେଡିଆନ୍ ଏବଂ ଜୋକରଙ୍କ ଦଳରେ ପରିଣତ ହୋଇସାରିଛି । ସେମାନେ ସଦାସର୍ବଦା ପାଇଁ ରାଜନୀତିରୁ ବାହାର ହୋଇସାରିଛନ୍ତି।’ ବିଜେପି ମୁଖପାତ୍ର ସି.ଆର. କେଶବନ ଏହି ପ୍ରଦର୍ଶନକୁ ‘ଅଶ୍ଳୀଳ ଏବଂ ନିମ୍ନମାନର’ ବୋଲି କହିବା ସହ ରାହୁଲ  ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଏପରି କର୍ମ ଯୋଗୁଁ ହିଁ ରାହୁଲ ଯୁବପିଢ଼ିଙ୍କ ସହ ଯୋଡ଼ିହୋଇ ପାରୁନାହାନ୍ତି। 

ସେ ଆହୁରି ଦାବି କରିଛନ୍ତି ଯେ, ଏହିପରି ଘୃଣା ଓ ତିକ୍ତତାର ରାଜନୀତି ଯୋଗୁଁ ହିଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (DUSU) ନିର୍ବାଚନରେ କଂଗ୍ରେସର ନିର୍ବାଚନୀ ବିପର୍ଯ୍ୟୟ ଘଟିଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର୍ଗତ ମା'ଙ୍କୁ ନିନ୍ଦା ଓ ଉପହାସ କରିବାକୁ ଚେଷ୍ଟା କରାଯାଇଛି, ଯାହା କଂଗ୍ରେସର ନୈତିକ ଅବକ୍ଷୟକୁ ଦର୍ଶାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଜଣେ ମା'ଙ୍କ ଅପମାନରେ ହସି ରାହୁଲ ଗାନ୍ଧୀ ନିଜର ସଂସ୍କାର ଓ ପାରିବାରିକ ମାନସିକତାକୁ ସାରା ଦେଶ ଆଗରେ ପ୍ରକାଶ କରିଛନ୍ତି।

ଇନ୍ଦୋର କାର୍ଯ୍ୟକ୍ରମରେ ପ୍ରକୃତରେ କ'ଣ ଘଟିଥିଲା ?

'ଛାତ୍ରୋଁ କୀ ଗୁଞ୍ଜ' କାର୍ଯ୍ୟକ୍ରମ ସମୟରେ କମେଡିଆନ୍ ପୁଲକିତ ମଣି, ରାହୁଲ ଗାନ୍ଧୀଙ୍କ ପାଖରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ, ହାବଭାବ ଓ ବ୍ୟକ୍ତିତ୍ୱର ନକଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକ ବିଜେପି ରାଲିରେ ଜଣେ ବୃଦ୍ଧାଙ୍କ ପାଇଁ ଚେୟାର ସଜାଡ଼ିବାକୁ ମୋଦୀ କହିଥିବା ଘଟଣା ଏବଂ ବୈଦେଶିକ ନେତାଙ୍କୁ ‘ମୋର ବନ୍ଧୁ’ (my friend) ବୋଲି ସମ୍ବୋଧନ କରିବା ଶୈଳୀକୁ ନେଇ କମେଡି କରାଯାଇଥିଲା। ପୁଲକିତ, ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ, ‘ମୋର ବନ୍ଧୁ, ଆପଣ କେମିତି ଅଛନ୍ତି?’ ରାହୁଲ ଉତ୍ତରରେ କହିଥିଲେ, ‘ଆପଣ କେମିତି ଅଛନ୍ତି, ମୋଦୀ ଜୀ?’ଏହାପରେ ପୁଲକିତ ‘ଗ୍ରେଟ୍ ହରାସମେଣ୍ଟ’ ବୋଲି କହି ଜୋରରେ ହସିବାକୁ ଲାଗିଥିଲେ। ଏହି ଘଟଣାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି ।