ଉମରକୋଟ ୧୧।୪: ପାଗଳ କୁକୁର କାମୁଡିଦେଲା । ମରିଗଲା ଗାଈ । ଗାଈ ମରିବା ପରେ ଗାଈ କ୍ଷୀର ପିଇଥିବା ଲୋକେ ଆତଙ୍କିତ l ମେଡିକାଲରେ ଜମାଇଲେ ଭିଡ l ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଉମରକୋଟ ସହରର ୧୨ ନମ୍ବର ୱାର୍ଡର ଅଶ୍ରୁ ରାୟ ଲୋକଙ୍କୁ ଗାଈ କ୍ଷୀର ବିକ୍ରି କରନ୍ତି l କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ଗାଈ ପ୍ରଥମ କରି ବାଛୁରୀ ଜନ୍ମ ଦେଇଥିବାରୁ ମାଲିକ ଶ୍ରଦ୍ଧାରେ ୱାର୍ଡର ଅନେକ ଘରେ କ୍ଷୀର ବାଣ୍ଟିଥିଲେ । କିଛି ପରିବାର ମଧ୍ୟ ପ୍ରତିଦିନ ତାଙ୍କ ଠାରୁ କ୍ଷୀର ନେଉଥିଲେ । ସେହି କ୍ଷୀରକୁ ୱାର୍ଡର ପ୍ରାୟ ୧୫ ଜଣ ଛୋଟ ଛୁଆ ସହ ୨୦ ଜଣ ବୟସ୍କ ଲୋକେ  ପିଇଥିଲେ l

Also Read:- Bhadrak DFO dies at office: ଏମିତି ବି ଆସେ ମୃତ୍ୟୁ ! ଅଫିସ୍‌ରେ ବସି କାମ କରୁଥିଲେ ଭଦ୍ରକ DFO, ହଠାତ୍ ଛାତିରେ ଯନ୍ତ୍ରଣା, ଚାଲିଗଲା ଜୀବନ

ତେବେ କିଛି ଦିନ ପୂର୍ବରୁ ଗାଈଟିର ଅସ୍ବାଭାବିକ ଲକ୍ଷଣ ଦେଖା ଦେଇଥିଲା l ଯାହା ଜାଣିପାରି ଗାଈ ମାଲିକ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କଲା ପରେ ଜଣା ପଡିଥିଲା ଯେ ସେହି ଗାଈକୁ କୌଣସି ଏକ ପାଗଳ କୁକୁର କାମୁଡିଛି l ​କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ହଠାତ ସେହି ଗାଈଟିର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କୁକୁର କାମୁଡ଼ା ଗାଈର କ୍ଷୀର ପିଇଥିବାରୁ କୌଣସି ଅଘଟଣ ଘଟିବା ଭୟରେ ଲୋକେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ ଜମାଇଛନ୍ତି । ଭୟ ଏତେ ଯେ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଟିକା ନେବା ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ବ ଲୋକେ ଭ୍ୟାକ୍ସିନ୍ ନେଇଥିବା ବେଳେ କେହି ଗୁରୁତର ନାହାନ୍ତି କିନ୍ତୁ ସତର୍କତା ମୂଳକ ଭାବେ ସମସ୍ତେ ପ୍ରତିଷେଧକ ଇଞ୍ଜେକ୍ସନ ନେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ନଜର ରଖିଥିବା ବେଳେ ଗ୍ରାମବାସୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।