ଇସଲାମାବାଦ: ଅଡ଼ୁଆରେ ପାକିସ୍ତାନର ଦ୍ରୁତ ବୋଲର ନସୀମ ଶାହ । ଯେତେ ବାହାନା କଲେ ବି ଛାଡ଼ିଲାନି ପାକିସ୍ତାନ କ୍ରିକେଟ ବୋର୍ଡ (PCB) । ଏବେ ତଣ୍ଡ ଦେବେ ୮ ମାସର ଦରମା, ଅର୍ଥାତ ପ୍ରାୟ ୨ କୋଟି ପାକିସ୍ତାନୀ ଟଙ୍କା । ଏହି ଜରିମାନା ପାକିସ୍ତାନ କ୍ରିକେଟ ଇତିହାସର ସବୁଠାରୁ ବଡ଼ ଜରିମାନା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।

ପିସିବିର ବଡ଼ କାର୍ଯ୍ୟାନୁଷ୍ଠାନ

ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସମ୍ପର୍କରେ ବିବାଦୀୟ ଟ୍ୱିଟ୍ ପାଇଁ ପିସିବି ନସୀମ ଶାହଙ୍କ ଉପରେ ଜରିମାନା ଲଗାଇଛି। ନସୀମ ଶାହଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ଟ୍ୱିଟ୍ ହୋଇଥିଲା । ଏଥିରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କୁ ବିରୋଧ କରିଥିଲେ । ଏହି ଟ୍ୱିଟ୍ କିଛି ମିନିଟ୍ ମଧ୍ୟରେ ଡିଲିଟ୍ କରିଦିଆଯାଇଥିଲା । ପରେ ନସୀମ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ।

ପୂରା ମାମଲା କ’ଣ ?

ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଗୁରୁବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଆୟୋଜିତ ଉଦଘାଟନୀ ମ୍ୟାଚ୍ରେ ଅତିଥି ଭାବରେ ଯୋଗ ଦେଇଥିଲେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ । ସେଠାରେ ସେ ୭ ଟିମ ଖେଳାଳି ଏବଂ ଅନ୍ୟ ଅତଥିଙ୍କୁ ଭେଟିଥିଲେ । ଏହାକୁ ନେଇ ନସୀମ ଶାହଙ୍କ ଟ୍ବିଟର ଆକାଉଣ୍ଟରୁ ପୋଷ୍ଟ ହୋଇଥିଲା ଯେ, ତାଙ୍କୁ (ମରିୟମ ନଓ୍ବାଜ) କାହିଁକି ଲର୍ଡସରେ ରାଣୀ ପରି ସମ୍ମାନ ଦିଆଯାଉଛି ?’ପରେ ଏହି ପୋଷ୍ଟକୁ ଡିଲିଟ୍ କରିଦିଆଯାଇଥିଲା ।

ସେପଟେ ପିସିବିର ୩ ଜଣିଆ ଶୃଙ୍ଖଳା କିମିଟି ସାମ୍ନାରେ ସୋମବାର ହାଜର ହୋଇଥିଲେ ୨୩ ବର୍ଷୀୟ ପେସର ନସୀମ ଶାହ । ତାଙ୍କର ଭୁଲ ଥିବା ନେଇ ଜଣାପଡ଼ିଥିଲା ଏବଂ କମିଟି ତାଙ୍କ ଉପରେ ସବୁଠାରୁ ବଡ଼ ଜରିମାନା ଲଗାଇଛି । ଏପରିକି ଶାହ ନିସର୍ତ୍ତ କ୍ଷମା ମଧ୍ୟ ପ୍ରାର୍ଥନା କରିଥିବା ନେଇ ପିସିସି ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ନସୀମ ଶାହଙ୍କ ସୋସିଆଲ ମିଡିଆ ପରାମର୍ଶଦାତାଙ୍କୁ ବହିଷ୍କାର କରିଦିଆଯାଇଛି । ଏପରିକି ତାଙ୍କୁ ପିସିବି ଦ୍ବାରା ବ୍ଲାକଲିଷ୍ଟ କରାଯାଇଛି । ଫଳରେ ସେ ଭବିଷ୍ୟତରେ ଅନ୍ୟ କୌଣସି ଖେଳାଳିଙ୍କ ସହ କାମ କରିପାରିବେ ନାହିଁ ।

ନସୀମ ଶାହ ଅନ୍ୟ ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ, ତାଙ୍କ ଆକାଉଣ୍ଟରୁ ହିଁ ଟ୍ବିଟ୍ ହୋଇଥିଲା । ଏଥିପାଇଁ ତାଙ୍କ ମ୍ୟାନେଜମେଣ୍ଟ ଦାୟୀ । କିନ୍ତୁ ଏହି ଟ୍ବିଟ୍ ତାଙ୍କର ବ୍ୟକ୍ତିଗତ ମତ ନୁହେଁ। ଯେଉଁଭଳି ଆକାଉଣ୍ଟରୁ ଆଗକୁ ଏଭଳି ଟ୍ବିଟ୍ ନହୁଏ ସେଥି ପ୍ରତି ଧ୍ୟାନ ଦିଆଯିବ ।