IPL 2026: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲିଙ୍କ ଧୂଆଁଧାର ବ୍ୟାଟିଂ।ଛକା-ଚୌକାରେ ଝୁମିଲା ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମ। ଆଇପିଏଲ୍ ୨୦୨୬ର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ୬ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଛି। ଲକ୍ଷ୍ନୌ ସାମ୍ନାରେ ରହିଛି ୨୫୫ ରନର ବିଜୟ ଲକ୍ଷ୍ୟ। ପ୍ରିୟାଂଶ ଆର୍ଯ୍ୟ ୯୩ ରନ କରିଥିବା ବେଳେ କୁପର କନୋଲି ୮୭ ରନ କରିଛନ୍ତି। ୨୫୪ ରନ ହେଉଛି ଚଳିତ ଆଇପିଏଲର ସର୍ବୋଚ୍ଚ ସ୍କୋର। ଏ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୫୦ ରନ କରିଥିଲା। ମ୍ୟାଚରେ ଯେଉଁଠି ବୋଲରଙ୍କୁ ନିର୍ଧୁମ ପ୍ରହାର ହୋଇଛି ସେଠି ପ୍ରିନ୍ସ ଯାଦବ ଏମିତି ବୋଲର ଥିଲେ ଯିଏ ୪ ଓଭରରେ ମାତ୍ର ୨୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ଗତ ମ୍ୟାଚରେ ପଞ୍ଜାବକୁ ଜିତାଇଥିବା ପ୍ରଭସିମରନ ସିଂ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଷ୍ଟାଡିୟମରେ ଏମିତି ରନ ବର୍ଷା ହୋଇଥିଲା, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଆନ୍ଦୋଳିତ କରିଥିଲା। ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲି ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଚୌକା ଓ ଛକା ବର୍ଷା କରି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।

Also Read: ଆଇପିଏଲ୍ ୨୦୨୬ରେ ପ୍ରଥମ ବିଜୟ ହାସଲ କଲା କେକେଆର

ଉଭୟ ଅର୍ଦ୍ଧଶତକ ହାସଲ କରି ୮୧ ବଲରୁ ୧୮୨ ରନର ଭାଗିଦାରୀ କରିଥିଲେ। କୁପର କନୋଲି ୪୬ ବଲରୁ ୮ ଚୌକା ଓ ୭ ଛକା ସହ ୮୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପ୍ରିୟାଂଶ ଆର୍ଯ୍ୟ ୭ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୩୭ ବଲରୁ ୪ ଚୌକା ଓ ୯ ଛକା ସହ ୯୩ ରନ କରିଥିଲେ।

ଏହା ପରେ ଶେଷ ଆଡ଼କୁ ପଞ୍ଜାବ ଓ୍ଵିକେଟ୍ ହରାଇଥିଲେ ହେଁ ରନ ଗତି ବଜାୟ ରଖିଥିଲା। ଅଧିନାୟକ ଶ୍ରେୟସ ଆୟର ୫ ରନ, ମାର୍କସ ଷ୍ଟୋଇନିସ ୧୬ ବଲରୁ ୨୯ ରନ କରିଥିବା ବେଳେ ଶଶାଙ୍କ ସିଂ ୬ ବଲରୁ ୧୭ ରନ କରିଥିଲେ। ଶେଷରେ ପଞ୍ଜାବ ୭ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଥିଲା। ବୋଲିଂରେ ପ୍ରିନ୍ସ ଯାଦବ ୪ ଓଭରରେ ମାତ୍ର ୨୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ବାକି ବୋଲର ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।