Pawan Khera_Himant biswa sarma: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ନାଁରେ କଂଗ୍ରେସ ଏକ ଅଭିଯୋଗ ଆଣିବା ପରେ ରବିବାର ଆସାମ ରାଜନୀତିରେ ପୁଣି ଏକ ମହାଭାରତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଶର୍ମାଙ୍କ ପାଖରେ ୩ ଦେଶର ପାସପୋର୍ଟ ଅଛି, ଏବଂ ବିଦେଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରହିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହାର କିଛି ସମୟ ପରେଆସାମ ମୁଖ୍ୟମନ୍ତ୍ରୀ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି।

ଏନେଇ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ପବନ ଖେଡ଼ାଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଦଳ ଭିତରେ ଥିବା ଗଭୀର ହତାଶା ଏବଂ ଆତଙ୍କକୁ ପ୍ରତିଫଳିତ କରୁଛି। ଆସାମ ଏକ ଐତିହାସିକ ଜନାଦେଶ ଆଡ଼କୁ ନିର୍ଣ୍ଣାୟକ ଭାବରେ ଆଗକୁ ବଢ଼ୁଥିବା ବେଳେ, ଏପରି ହତାଶାଜନକ ଏବଂ ଭିତ୍ତିହୀନ ଆକ୍ରମଣ କେବଳ ସେମାନଙ୍କର ଧୀରେ ଧୀରେ ବୁଡ଼ି ଯାଉଥିବା ସ୍ଥାନକୁ ଦର୍ଶାଉଛି।”

ଖେଡ଼ାଙ୍କ ଅଭିଯୋଗକୁ 'ଦୁଷ୍ଟତାପୂର୍ଣ୍ଣ, କପୋଳକଳ୍ପିତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ' ବୋଲି ଅଭିହିତ କରି ଶର୍ମା କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଉଭୟ ୪୮ ଘଣ୍ଟା ମଧ୍ୟରେ ପବନ ଖେଡ଼ାଙ୍କ ବିରୁଦ୍ଧରେ ଫୌଜଦାରୀ ଏବଂ ଦେୱାନୀ ମାନହାନି ମାମଲା ଦାୟର କରିବେ, ଖେଡ଼ା ତାଙ୍କ ବୟାନ ପାଇଁ ଦାୟୀ ରହିବେ ବୋଲି ଶର୍ମା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପତ୍ନୀଙ୍କ ବିଦେଶୀ ସମ୍ପତ୍ତି ବିଷୟରେ ତଥ୍ୟ ଲୁଚାଇଛନ୍ତି ହିମନ୍ତଖେଡ଼ା ଅଭିଯୋଗ

ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଖେଡ଼ା ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୁଦ୍ଧରେ କିଛି ତଥ୍ୟ ଦେଖାଇ ଅଭିଯୋଗ ଆଣିଥିଲେ। ସେ ଏହି ତଥ୍ୟ ବିଦେଶରେ ଥିବା ତାଙ୍କ ସହଯୋଗୀମାନଙ୍କଠାରୁ ପାଇଥିବା କହିଥିଲେ। ଖେଡ଼ା କହିଛନ୍ତି ଯେ ରିନିକି ସର୍ମାଙ୍କ ପାଖରେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଜିପ୍ଟ ଏବଂ ଆଣ୍ଟିଗୁଆ ଏବଂ ବାରବୁଡାର ବୈଧ ପାସପୋର୍ଟ ଅଛି। ତାଙ୍କର ଦୁବାଇରେ ସମ୍ପତ୍ତି ଏବଂ ଯୁକ୍ତରାଷ୍ଟ୍ରର ୱାୟୋମିଂରେ ପଞ୍ଜିକୃତ ଏକ କମ୍ପାନୀ ଅଛି, ଯାହାର ବଜେଟ୍ ୩୪.୬୭ ବିଲିୟନ ଆମେରିକୀୟ ଡଲାର ହେବ। ଏଥିସହିତ ରିନିକି ହୋଟେଲ ଶିଳ୍ପରେ ପ୍ରବେଶ କରିବାର ଯୋଜନା ମଧ୍ୟ କରୁଛନ୍ତି ବୋଲି ଖେଡ଼ା ଅଭିଯୋଗ କରିଛନ୍ତି।

Also Read- Raghav Chadha to AAP: ରବିବାର ଆପ୍କୁ ପୁଣି ଟାର୍ଗେଟ୍ କଲେ ରାଘବ ଚଢା: ଭିଡିଓ ଶେୟାର କରି ଲେଖିଲେ ପିକ୍ଚର ଅଭି ବାକି ହେ...

ଏହି ତଥ୍ୟ ଦର୍ଶାଇ ଖେଡ଼ା କହିଛନ୍ତି ଯେ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ନାମାଙ୍କନ ସତ୍ୟାପାଠରେ ପତ୍ନୀଙ୍କର ଏହି ସମ୍ପତ୍ତି ବିଷୟରେ ତଥ୍ୟ ଦେଇ ନାହାନ୍ତି। ଏପରି କରି ସେ ନିର୍ବାଚନ ନିୟମର ଉଲ୍ଲଂଘନ କରିଛନ୍ତି। ତା'ଛଡ଼ା ରିନିକି ଶର୍ମାଙ୍କ ପାଖରେ ଭାରତୀୟ ନାଗରିକତା ଏବଂ ପାସପୋର୍ଟ ଅଛି କି ନାହିଁ, ବୋଲି ଖେଡ଼ା ପ୍ରଶ୍ନ କରିଛନ୍ତି। ତେବେ ଭାରତ ଦ୍ୱୈତ ନାଗରିକତାକୁ ଅନୁମତି ଦିଏ ନାହିଁ ବୋଲି ସେ କହିଛନ୍ତି।

ଏହି ତଥ୍ୟ ଦେଇ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କରିବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଶ୍ରୀ ଖେଡ଼ା ଦାବି କରିଛନ୍ତି। ଅଘୋଷିତ ଆନ୍ତର୍ଜାତୀୟ ସମ୍ପତ୍ତି ଶର୍ମାଙ୍କ ଦୁର୍ନୀତିକୁ ଦର୍ଶାଉଛି। ଯଦି ନିର୍ବାଚନ ଫଳାଫଳ ଶର୍ମାଙ୍କ ପ୍ରତିକୂଳ ହେଲା ଓ ହେମନ୍ତ ହାରିଗଲେ, ତେବେ ସେ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଖେଡା ଦାବି କରିଛନ୍ତି। ଏହି ମାମଲାରେ ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଖେଡ଼ା ଦାବି କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶାହ ଏହି ଦାବିଗୁଡ଼ିକ ଉପରେ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି କଂଗ୍ରେସ ନେତା।

୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନର ଧମକ

କଂଗ୍ରେସ ଅଭିଯୋଗରେ ଜବାବ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜନତାଙ୍କୁ ଭ୍ରମିତ କରିବା ପାଇଁ କଂଗ୍ରେସ କପଳୋକଳ୍ପିତ ଓ ଭିତ୍ତିହୀନ ପ୍ରଚାର କରୁଛି। କଂଗ୍ରେସ ଦ୍ୱାରା ଶେୟାର କରାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକରେ ଅସଙ୍ଗତି ରହିଛି। ପାସପୋର୍ଟ ଏବଂ ସମ୍ପର୍କିତ ପରିଚୟ ପତ୍ରରେ ଡିଜିଟାଲ୍ ଟ୍ୟାମ୍ପରିଂ କରାଯାଇଥିବା ସ୍ପଷ୍ଟ ତ୍ରୁଟି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

କଂଗ୍ରେସ ଦେଖାଇଥିବା ଡକ୍ୟୁମେଣ୍ଟରେ ସାଙ୍ଗିଆରେ ପରିବର୍ତ୍ତନ, ବାୟୋମେଟ୍ରିକ ଫୋଟଗ୍ରାଫ ଭାବରେ ଦେଖାଯାଇଥିବା ଫଟୋ ଓ ୟୁଏଇ, ଇଜିପ୍ଟ, ଆଣ୍ଟିଗୁଆ ଏବଂ ବାରବୁଡା ପାସ୍ପୋର୍ଟରେ ସମସ୍ୟା ରହିଛି ବୋଲି ଶର୍ମା କହିଛନ୍ତି। ସେ କହିଛନ୍ତି ଯେ UAE ପରିଚୟପତ୍ରରେ ଜାତୀୟତା ସମ୍ପର୍କିତ ଅସଙ୍ଗତି ରହିଛି।, ଇଜିପ୍ଟର ପାସପୋର୍ଟରେ ବନାନ ତ୍ରୁଟି ଏବଂ ଭୁଲ ତଥ୍ୟ ରହିଥିବା ବେଳେ ଆଣ୍ଟିଗୁଆ ଏବଂ ବାରବୁଡା ପାସପୋର୍ଟର ଏକ୍ସପାୟର ଡେଟ୍ ମେଳ ଖାଉ ନାହିଁ। ଏହା ବାଦ୍ ଟାଇଟଲ ଡିଡ୍‌ରେ ଦିଆଯାଇଥିବା କ୍ୟୁଆର୍ କୋଡର ତଥ୍ୟ ଭୁଲ୍ ଅଛି। ବାସ୍ତବ ତଥ୍ୟ ଏଥିରେ ଯୋଡ଼ାଯାଇ ନାହିଁ ବୋଲି ହିମନ୍ତ ବିଶ୍ୱ ଶର୍ମା ଅଭିଯୋଗ କରିଛନ୍ତି।

କଂଗ୍ରେସକୁ ଧମକ ଦେଇ ଶ୍ରୀ ଶର୍ମା ଲେଖିଛନ୍ତି “ସତ୍ୟର ବିଜୟ ହେବ। ଯେଉଁମାନେ ଭୁଲ ସୂଚନା ପ୍ରସାରଣ କରୁଛନ୍ତି ସେମାନଙ୍କୁ ଦାୟୀ କରାଯିବ। ମୁଁ ନିଶ୍ଚିତ ଯେ ପବନ ଖେଡ଼ାଙ୍କ ମିଥ୍ୟା ଅଭିଯାନ ଶେଷ ହେବାକୁ ଯାଉଛି। ଶେଷରେ, ଶ୍ରୀ ଖେଡ଼ା ଜେଲ ଯିବେ।”

Also Read- କପିଲ ଶିବଲ କହିଲେ-ନିର୍ବାଚନ ଆୟୋଗ ସାଙ୍ଗରେ ଥିଲେ ବିଜେପି ’ଆତ୍ମ ନିର୍ଭର’, Watch Video