ଅମରାବତୀ:ଆଗାମୀ ପୌର ନିର୍ବାଚନ ପାଇଁ ଟିଡିପି-ଜନସେନା ଶାସକ ମେଣ୍ଟ ମଧ୍ୟରେ ଆସନ ବଣ୍ଟାକୁଣ୍ଟା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ପବନ କଲ୍ୟାଣଙ୍କ ଜନସେନା ୪ ନଗର ନିଗମ ଓ ୨୦ ପାଳିକା ଆସନରେ ସନ୍ତୁଷ୍ଟ ହୋଇଛି। ତେବେ ରାଜ୍ୟରେ ପୌର ଓ ପାଳିକା ନିର୍ବାଚନ ପାଇଁ ତେଲଗୁ ଦେଶମ ପାର୍ଟି (ଟିଡିପି) ଓ ସରକାରରେ ସହଯୋଗୀ ଜନସେନା ଆସନ ବୁଝାମଣାକୁ ନେଇ ଗହନ ବିଚାରବିମର୍ଷ ଏକ ସମୟରେ ମେଣ୍ଟର ଅସ୍ତିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିଲା।

ସୂତ୍ର ଅନୁସାରେ ଟିଡିପି ମୁଖ୍ୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ଏକ ସମୟରେ ଜନସେନା ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଅଧିକ ଆସନ ଦାବିରେ ନିରୁତ୍ସାହିତ ହୋଇପଡିଥିଲେ। ଏଣୁ ପ୍ରସଙ୍ଗରେ ଆଲୋଚନା ଲାଗି ପବନ କଲ୍ୟାଣଙ୍କ ନୀତିକୁ ନେଇ ନାୟଡୁ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। କଥିତ ରୂପେ ନାୟଡୁ ଜନସେନା ମୁଖ୍ୟଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇ ଟିଡିପି ସ୍ୱୀକାର୍ଯ୍ୟ ମାନୁ ନଥିବା ଦାବି ଉପରେ ଯଦି ମେଣ୍ଟ ସହଯୋଗୀ ଗୁରୁତ୍ୱ ଦିଅନ୍ତି ତେବେ ଆଗକୁ ମେଣ୍ଟ ରଖିବା କଷ୍ଚକର ହୋଇ ପଡିବ ବୋଲି କହିଥିଲେ। ନାୟଡୁଙ୍କ ବାର୍ତ୍ତା ଏହା ଥିଲା ଯେ ଯଦି ଉଭୟପକ୍ଷ କୌଣସି ବୁଝାମଣାରେ ଉପନୀତ ନ ହୋଇ ପାରନ୍ତି ତେବେ ସେମାନେ ପୃଥକ ପୃଥକ ରାସ୍ତା ଆପଣେଇ ପାରନ୍ତି।

ପୌର ନିର୍ବାଚନ ଆସନ ଭାଗବଣ୍ଟା ନେଇ ନାୟଡୁ ଓ ପବନ କଲ୍ୟାଣଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ପରେ ଟିଡିପି ସଭାପତି ପି.ଶ୍ରୀନିବାସ ରାଓ ଏବଂ ମନ୍ତ୍ରୀ ଏନ.ରାମନୈଡୁ ଏ ବାବଦେ ବୁଝାମଣା କରିବାକୁ ପବନ କଲ୍ୟାଣଙ୍କୁ ଭେଟିଥିଲେ। ଏହି ବୈଠକ କାଳରେ ପବନ କଲ୍ୟାଣ ପୂର୍ବ ଘଟଣାକ୍ରମ ଉଠାଇ ଟିଡିପି ନେତାଙ୍କ ଆକଳନର ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲେ। କୁହାଯାଉଛି ଜନସେନା ନେତା ଟିଡିପି ନେତାଙ୍କୁ ୬ ନଗର ନିଗମ ଓ ୪୦ ନଗର ପାଳିକାରୁ କମ୍ ପ୍ରସ୍ତବ ସ୍ୱୀକାର କରିବେ ନାହିଁ ବୋଲି କହିଥିଲେ। ଏଥି ମଧ୍ୟରେ ଜନସେନା ନେତାମାନେ ସୋସିଆଲ ମିଡିଆରେ ପୋଷ୍ଟ ପ୍ରସାରଣ କରି ନିର୍ବାଚନରେ ୪୦% ଆସନ ଦାବି କରିବା ଆରମ୍ଭ କରିଦେଇଥିଲେ।

ଏହା ପରେ ପି. ଶ୍ରୀନିବାସ ଓ ଏନ. ରାନୈଡୁ ହୋଇଥିବା ଚର୍ଚ୍ଚା ନେଇ ଚନ୍ଦ୍ରବାବୁଙ୍କୁ ଜଣାଇଥିଲେ। ଏହା ପରେ ଜନସେନା ମନ୍ତ୍ରୀ ଏନ.ମନୋହର ଓ ଅନ୍ୟ ନେତାଙ୍କୁ ଟିଡିପି ସହ ଆସନ ବଣ୍ଟାକୁଣ୍ଟା ନେଇ ଚର୍ଚ୍ଚା ଜାରି ରଖିବାକୁ ପଠାଇଥିଲେ। ତେବେ ଟିଡିପି ଲାଗି ଜନସେନାର ଦାବି ସ୍ୱୀକାର କରିବା କଠିନଥିଲା। ଏଥିରେ ଟିଡିପି ଏହି ସଂକେତ ଦେଇଥିଲା ଯେ ଯଦି ଦାବି ଅପରିବର୍ତ୍ତିତ ରହେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଆଲୋଚନାରୁ କୌଣସି ଫଳ ମିଳିବ ନାହିଁ। ନାୟଡୁଙ୍କ ଏହି ଚେତାବନୀ ପରେ ଏବେ ଜନସେନା ନରମ ପଡିଛି ଓ ଦାବି କରୁଥିବା ଆସନ ସଂଖ୍ୟାକୁ ହ୍ରାସ କରିଛି। ଏଥିରେ ପାର୍ଟି ୪ଟି ନିଗମ ଓ ୨୦ଟି ପାଳିକା ପାଇଁ ତା ଇଛା ଜଣାଇବା ପରେ ଶାସକ ଦଳରେ ପୌର ନିର୍ବାଚନ ପାଇଁ ଆସନ ବଣ୍ଟାକୁଣ୍ଟା ଛିଣ୍ଡିବ ବୋଲି ଆଶା କରାଯାଉଛି।