ଭୁବନେଶ୍ୱର, ୧୯।୧୧ : ଇନଫୋସିଟି ଥାନା ପଥରଗାଡ଼ିଆସ୍ଥିତ ଏକ କାଫେ ପଛରେ ପେଟ୍ରୋଲ ଢାଳି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ପଛର ରହସ୍ୟ ଖୋଜୁଛି ପୋଲିସ। ଗତକାଲି ଯୁବତୀଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କ ହାତ ରହିଥିବା ନେଇ ପୋଲିସ ସନ୍ଦେହ କରୁଥିଲା । ତେବେ ତାଙ୍କୁ ପଚରାଉଚରା କରିବା ପରେ ପୁଲିସ ପୁରୁଷବନ୍ଧୁଙ୍କୁ ଛାଡ଼ି ଦେଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ପରିଚୟ ପାଇଛି ପୋଲିସ। ସେ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳର କଳ୍ପନା ସାମଲ (୨୧)। ସେ ନୂଆପଲ୍ଲୀରେ ଥିବା ଏକ ନର୍ସିଂ ଇନଷ୍ଟିଚ୍ୟୁଟରେ ଗତ ଦେଢ ବର୍ଷ ହେବ କାମ କରୁଥିଲେ।

ଯୁବତୀ ଜଣକ ମାସେ ତଳେ ସେଠାରୁ ଚାକିରି ଛାଡ଼ି ଦେଇଥିଲେ। ଅନ୍ୟ ଏକ ଚାକିରି ଖୋଜୁଥିବା ନେଇ ତାଙ୍କ ବାପା ଅଜିତ ସାମଲ ପୋଲିସକୁ କହିଛନ୍ତି। ବେକାରୀ ଥିବା କାରଣ ହେଉ ବା ଯୁବତୀଙ୍କର ପ୍ରେମ ବିଚ୍ଛେଦ କାରଣରୁ ଏଭଳି ପଦକ୍ଷେପ ନେଇଥାଇପାରଷି ବୋଲି ପୋଲିସ ସନ୍ଦେହ କରୁଛି। ବୁଧବାର ଘଟଣା ସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଡି ଯାଇଥିବା ସ୍ଥାନରେ ପଡି ରହିଥିବା କେତେକ ପ୍ରମାଣ ସଂଗ୍ରହ କରିଛି I ପାଖରେ ଥିବା କାଫେକୁ ଯାଇ ମଧ୍ୟ ପୋଲିସ ପଚରାଉଚରା କରିଛି । କେଉଁ ପରିସ୍ଥିତିରେ ଏଭଳି ଘଟିଲା । ପ୍ରଥମେ କିଏ ଦେଖିଲା, ଆଉ ସେଠାରେ କିଏ କିଏ ଥିଲେ । ଟିକି ନିଖି ସବୁ ପଚାରି ବୁଝିଛି ପୋଲିସ। ଉକ୍ତ କାଫେକୁ ଯୁବତୀ ଜଣକ କାହିଁକି ଆସିଥିଲେ ତାହା ରହସ୍ୟ ହୋଇ ରହିଛି।

ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ବିବାଦ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। କାଫେର ସିସିଟିଭି ଯଞ୍ଚ ସହ ଏକାଧିକ ଲୋକଙ୍କ ବୟାନ ରେକର୍ଡ କରିଛି। ସିସିଟିଭି କ୍ୟାମେରା ଯାଞ୍ଚ ବେଳେ ଜଣାପଡିଥିଲା କଳ୍ପନା ସେଠାକୁ ଏକା ଯାଇଛନ୍ତି। ପାଖରେ ଥିବା ଏକ ଚା' ଦୋକାନକୁ ଯାଇ ସେ ଦିଆସିଲ ଆଣୁଥିବା ଦେଖାଯାଇଛି। ତେବେ ସେ ପେଟ୍ରୋଲ କେଉଁଠୁ ଆଣିଲେ ତାହା ଜଣାପଡ଼ିନି। କଳ୍ପନାଙ୍କ ବାପା ଅଜିତ୍ ଇନଫୋସିଟି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ଏ ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ମଙ୍ଗଳବାର ରାତିରେ ସାନ ଭଉଣୀ ସହ କଥା ହୋଇଛି। ୧୫୦ ଟଙ୍କା ଉଭଣୀଠାରୁ ନେଇଥିଲା । ସେ ରହୁଥିବା ସ୍ଥାନଠାରୁ ଏତେ ଦୂରକୁ କେମିତି ଆସିଲା ଏବଂ ଏଠାରେ ଜନଗହଳିପୂର୍ଣ ସ୍ଥାନରେ ଝିଅ କେମିତି ପୋଡ଼ିଗଲା ସେନେଇ ଅଜିତ ପ୍ରଶ୍ନ ଉଠାଇଛନ୍ତି । ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ପୋଲିସ ଏତଲା ଆଧାରରେ ଏକ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ମଙ୍ଗଳବାର ରାତି ପ୍ରାୟ ୧୦ରେ କଳ୍ପନା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ପୋଲିସକୁ ଜଣାଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କଳ୍ପନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ସମୟରେ ସେଠାକୁ ଯାଇଥିବା ତାଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଲୋକେ ଧରି ପୋଲିସକୁ ଦେଇଥିଲେ। ଯୁବତୀଙ୍କ ଶରୀରର ପ୍ରାୟ ୯୦% ପ୍ରତିଶତ ଅଂଶ ପାଡ଼ି ଯାଇଥିଲା I ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। ସାସ୍ଥ୍ୟବସ୍ଥା ସ୍ଥିର ରହିଛି।

Also Read :-ମାଡ଼ି ଆସିଲାଣି ଅକଭାନ୍ : ସକାଳୁ ସକାଳୁ ବଦଳିଗଲା ପାଗ, କିଛି ସମୟ ପରେ ପ୍ରବଳ ବର୍ଷା-ପବନ

ତେବେ ଡିସିପି ଶ୍ରବଣା ବିବେକ୍ ଏମ୍ କହିଛନ୍ତି, ପ୍ରାଥମିକ ତଦନ୍ତ ଜଣାପଡିଛି, ଯୁବତୀ ଜଣଙ୍କ ଏକା ସେଠାକୁ ଯାଇଛନ୍ତି ଏବଂ ନିଜ ଦେହରେ ନିଆଁ ଲଗାଇଛନ୍ତି। ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ ଚାଲିଛି। ତଦନ୍ତ ପରେ ଯିଏ ବି ସାମିଲ ଥିବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ କାହାକୁ ଅଟକ ରଖାଯାଇନାହିଁ ବୋଲି ସେ କହିଛନ୍ତି ।