ମୁମ୍ବାଇ: ସୋନିଆ ଗାନ୍ଧୀଙ୍କ ‘ଆତ୍ମଜୀବନୀକୁ’ ବିରୋଧ କରିବାକୁ ଯାଇ ଫସିଲେ ଶିବସେନା (ସନ୍ଦେ ଗୋଷ୍ଠୀ) ନେତ୍ରୀ ଶାଇନା ଏନ୍.ସି. । ସୋନିଆଙ୍କ ରଚିତ ‘ବିଲଙ୍ଗିଂ’ ପୁସ୍ତକର ପୃଷ୍ଠା ଚିରି ପ୍ରତିବାଦ କରିଥିଲା ଏକନାଥ ସିନ୍ଦେଙ୍କ ଶିବସେନା । ଏହି ସମୟରେ ବାଲ୍‌ ଠାକରେଙ୍କ ଏକ ଫଟୋକୁ ଶାଇନା ଏନ୍.ସି. ଚିରି ପକାଇଥିଲେ । ଗଣମାଧ୍ୟମ ସାମ୍ନାରେ ପ୍ରତିବାଦ କରାଯାଉଥିବା ବେଳେ, କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ଏହି ଦୃଶ୍ୟ । ଶେଷରେ ଶିବସେନାର ଏହି ପ୍ରତିବାଦ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ।  

ଏହି ଘଟଣାକୁ ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ କଂଗ୍ରେସ ଦଳ ଶାଇନା ଏନ୍.ସି.ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗୁରୁବାର ଦିନ ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପୁସ୍ତକ Belongingର ବଣ୍ଟନକୁ ବିରୋଧ କରାଯାଇଥିଲା। ବହିରେ ବୀର ସାବରକରଙ୍କୁ ଅପମାନିତ କରାଯାଇଥିବା ଏବଂ ଇତିହାସକୁ ବଳି ପକାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ଆଣି ଶିବସେନା ନେତ୍ରୀ ଶାଇନା ଏନ୍.ସି., ସଞ୍ଜୟ ନିରୁପମ ଏବଂ ଆନନ୍ଦ ଦୁବେ ପ୍ରମୁଖ ବହିର ବିଭିନ୍ନ ପୃଷ୍ଠା ଚିରି ପ୍ରତିବାଦ କରିଥିଲେ। ସେମାନେ ପ୍ରକାଶକ 'ହାର୍ପରକଲିନ୍ସ' କୁ ପୁସ୍ତକର ୨୦୧ ଏବଂ ୪୪୩ ପୃଷ୍ଠାରେ ଥିବା ଆପତ୍ତିଜନକ ଅଂଶଗୁଡ଼ିକୁ ହଟାଇବାକୁ ଦାବି କରିଥିଲେ।

ଘଟିଲା ବଡ଼ ଅଘଟଣ
ବହିର ପୃଷ୍ଠାଗୁଡ଼ିକ ଚିରୁଥିବା ସମୟରେ ଶାଇନା ଏନ୍.ସି. ଭୁଲବଶତଃ ଏକ ଫଟୋ ମଧ୍ୟ ଚିରିଦେଇଥିଲେ । ଯେଉଁଥିରେ ବାଲ୍‌ ଠାକରେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ଏକ ପ୍ରତିମୂର୍ତ୍ତିକୁ ଚପଲରେ ପିଟୁଥିବାର ଦୃଶ୍ୟ ଥିଲା । ଘଟଣାସ୍ଥଳରେ ଥିବା ସହକର୍ମୀ ସଞ୍ଜୟ ନିରୁପମ ଏହି ଭୁଲ ସମ୍ପର୍କରେ ଜଣାଇବା ପରେ, ଶାଇନା ଏନ୍.ସି. ତରବରିଆ ଭାବରେ ସେହି ଫଟୋଟିକୁ କାଗଜପତ୍ର ତଳେ ଲୁଚାଇବାକୁ ଚେଷ୍ଟା କରିଥିଲେ। ପରେ ଦଳୀୟ ନେତାମାନେ ଦାବି କରିଥିଲେ, ସେହି ଫଟୋଟି ବାଲ୍‌ ଠାକରେଙ୍କର ନୁହେଁ ବରଂ ମଣିଶଙ୍କର ଆୟାରଙ୍କର ଥିଲା।

ଶାଇନା ଏନ୍.ସି. ପରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ସେ ବାଲ ଠାକରେଙ୍କର ନୁହେଁ ବରଂ ମଣିଶଙ୍କର ଆୟାରଙ୍କର ଏକ ଫଟୋ ଚିରିଥିଲେ। ସୂଚନାଯୋଗ୍ୟ, ବାଲ୍‌ ଠାକରେ କଂଗ୍ରେସର ଘୋର ବିରୋଧୀ ଥିବା ସତ୍ତ୍ୱେ ତାଙ୍କ ପୁଅ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ କଂଗ୍ରେସ ସହ ମେଣ୍ଟ କରିଛି । ତାକୁ ଟାର୍ଗେଟ୍ କରିବା ପାଇଁ ସିନ୍ଦେଙ୍କ ଶିବସେନା ନେତାମାନେ ଏହି ପୁରୁଣା ଫଟୋଟିକୁ ସାଙ୍ଗରେ ଆଣିଥିଲେ।

ଜୋରଦାର ଟାର୍ଗେଟ କଲେ ବିରୋଧୀ
ସିନ୍ଦେ ସେନାର ଏଭଳି କାଣ୍ଡକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ସେମାନେ ନକଲି ଶିବ ସୈନିକ । ଯେଉଁମାନେ ବାଲାସାହେବଙ୍କୁ ଅପମାନିତ କରୁଛନ୍ତି, ସେମାନଙ୍କୁ ସର୍ବସାଧାରଣରେ ମାଡ଼ ଦିଆଯିବା ଉଚିତ୍। ଏହି ଘଟଣାକୁ ନେଇ ମୁମ୍ବାଇ ମହାନଗର ନିଗମରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ୟୁବିଟି ସେନାର କର୍ପୋରେଟରମାନେ ଶାଇନା ଏନ୍.ସି.ଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହ ଦଳରୁ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। 

ସେପଟେ ସମାଲୋଚନାର ଜବାବ ଦେଇ ଶିବସେନା (ସିନ୍ଦେ ଗୋଷ୍ଠୀ) ର ଗ୍ରୁପ୍ ନେତା ଅମୟ ଗୋହେଲ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ବହିଟି ଏବେ ୟୁବିଟି ଗୋଷ୍ଠୀ ପାଇଁ ‘ଗୀତା’ ପାଲଟିଯାଇଛି। ସେମାନେ ଯେଉଁ ଫଟୋଟି ଚିରିଥିଲେ ତାହା ମଣିଶଙ୍କର ଆୟାରଙ୍କର ଥିଲା ଏବଂ ପ୍ରକୃତରେ ଏହି ଘଟଣା ହିଁ ୟୁବିଟି ଗୋଷ୍ଠୀକୁ ବେଶୀ ଯନ୍ତ୍ରଣା ଦେଉଛି। ବିବାଦ ବୃଦ୍ଧି ପାଇବାରୁ ଶିବସେନା ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶାଇନା ଏନ୍.ସି.ଙ୍କୁ ଡାକିଥିଲେ ଏବଂ ସେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।