ଭୁବନେଶ୍ୱର, ୧୯।୧୧ : ଆନ୍ଧ୍ରପ୍ରଦେଶର ବିଶାଖପାଟଣା ପାଖ ନୁହେଁ, ସିଧା ଓଡ଼ିଶାରେ ମାଡ଼ ହେବ। ଆନ୍ଧ୍ରର ନରସାପୁର ଓ ପୁରୀ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଅକଭାନ୍’। ସମ୍ଭବତଃ ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିମି ବେଗରେ ପବନ ବହିବ । ଝଟକା ପବନ ୧୧୦ କିମି ଛୁଇଁବ। ପରେ ପବନର ବେଗ ୭୦ରୁ ୮୦ କିମିକୁ ଖସିଯିବ। କିନ୍ତୁ ଓଡ଼ିଶାରେ ଲ୍ୟାଣ୍ଡଫଲ୍ ବେଳେ ୯୦ରୁ ୧୦୦ କିମି ପବନ ସହ ନିର୍ଧୂମ ବର୍ଷା ହେବ । କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ଯାଏ ଢାଳିପାରେ। ବନ୍ୟା ଓ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି।

ବାତ୍ୟାର ଗତିପଥକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ନିର୍ଦ୍ଦିଷ୍ଟ ଭାବେ କେଉଁଠି ମାଡ଼ ହେବ, ତାହା ଏବେ ବି ଅସ୍ପଷ୍ଟ । କିନ୍ତୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସ୍ପଷ୍ଟ କରିଛି । ୧୯ ତାରିଖରେ ସବୁଠୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ୧୯ ଓ ୨୦ରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ଯାଏ ବର୍ଷା ହେବ ବୋଲି ସେ ସତର୍କ କରାଇଛନ୍ତି । ୨୦ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ ପରେ ବାତ୍ୟା ତୀବ୍ର ଗତିରେ ଦୁର୍ବଳ ହୋଇଯିବ। ପବନର ବେଗ ୭୦ରୁ ୮୦ କିମିକୁ ଖସିବ। ସନ୍ଧ୍ୟା ବେଳକୁ ୬୦ରୁ ୭୦ କିମିକୁ କମି ଯାଇଥିବ ବୋଲି ସେ ଆକଳନ କରିଛନ୍ତି ।

Also Read :- Horoscope Today : ନଭେମ୍ବର ୧୯ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଆମେରିକା ନୌସେନାର ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବଲୁସି) ପବନର ବେଗକୁ ନେଇ ଭିନ୍ନ ଆକଳନ ଦେଉଛି। ଲ୍ୟାଣ୍ଡଫଲ ବେଳକୁ ୭୪ କିମି ବେଗରେ ପବନ ବହୁଥିବ ବୋଲି ଏଥିରେ କୁହାଯାଇଛି। ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ଦୁର୍ବଳ ହେଉଛି। ସୃଷ୍ଟି ହୋଇଥିବା ମେଘପୁଞ୍ଜ ମଧ୍ୟ ଭାଙ୍ଗିଯାଉଛି। ବାୟୁମଣ୍ଡଳରେ ୱିଣ୍ଡ୍ ସିୟର ମାତ୍ରା ଅଧିକ ଅଛି। ଓଡ଼ିଶାରେ ଅଧିକ ବର୍ଷା, ପବନ ଆଶଙ୍କା ନାହିଁ । ୧୯ ଓ ୨୦ ତାରିଖରେ ପୁରୀ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ୩୦ରୁ ୪୫ କିମି ବେଗରେ ପବନ ବହିପାରେ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, କଳିଙ୍ଗପଟ୍ଟନମ୍-ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ ବେଳେ ବାତ୍ୟା ସାମାନ୍ୟ ଦୁର୍ବଳ ହେବ। ୬୫ରୁ ୭୫ କିମି ପବନ ବହିବ । ଝଟକା ପବନର ବେଗ ୮୩ କିମି ରହିପାରେ। ପରେ ଏହା ଉତ୍ତର ଦିଗକୁ ଅଗ୍ରସର ହୋଇ ଆହୁରି ଦୁର୍ବଳ ହେବ।

ଗୁରୁବାର କେନ୍ଦ୍ରାପଡ଼ା, କନ୍ଧମାଳ, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ୧୧୫ରୁ ୨୦୪ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। କିଛି ସ୍ଥାନରେ ଅତି ଭୀଷଣ ବର୍ଷା ବା ୨୦୪ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି। ୨୦ ତାରିଖରେ ବାଲେଶ୍ଵର ଓ ମୟୂରଭଞ୍ଜରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ସତର୍କ ସୂଚନା ଦିଆଯାଇଛି।

୨୦ରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୬୦ରୁ ୭୦ କିମି ପବନ ବହିବା ସହ ପବନର ଝଟକା ୮୦ କିମି ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ ସତର୍କ କରାଯାଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ବାତ୍ୟା ପାଇଁ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଘନ ଘନ ସମୀକ୍ଷା ବୈଠକ ଚାଲିଛି। ୬ ଆଇଏଏସ୍ ଅଧିକାରୀଙ୍କୁ ୭ ଜିଲ୍ଲାକୁ ପଠାଯାଇଛି। ସେମାନେ ସଂପୃକ୍ତ ଜିଲ୍ଲାରେ ବାତ୍ୟା ପରିଚାଳନା ଓ ପରବର୍ତ୍ତୀ ପୁନରୁଦ୍ଧାର କାମର ଅନୁଧ୍ୟାନ କରିବେ। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ୧୯ରୁ ୨୧ ତାରିଖ ଯାଏ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଜିଲ୍ଲାପାଳ ଚାହିଁଲେ ୨୧ ତାରିଖ ପରେ ବି ଛୁଟି ବଢ଼ାଇ ପାରିବେ ବୋଲି ଏସଆରସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଆଉ ୩ ଜିଲ୍ଲାରେ ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି।