ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ମୌସୁମୀ ଅଧିବେଶନ ନିମନ୍ତେ ଗୁରୁବାର ବିଧାୟୀ ଏଜେଣ୍ଡା ଜାରି କରିଛନ୍ତି। ଏଥିରେ ମୋଟ ୭ଟି ପ୍ରମୁଖ ବିଧେୟକ ସାମିଲ ଅଛି। ଏ ଗୁଡିକୁ ବିଚାର-ବିମର୍ଶ, ଗୃହୀତ କରିବା ଓ ନୂଆ କରି ଉପସ୍ଥାପନ ଲାଗି ସୂଚୀବଦ୍ଧ କରାଯାଇଛି। ତେବେ ମହିଳାଙ୍କ ସଂରକ୍ଷଣ ଓ ପରିସୀମନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଧେୟକ ଏହି ଏଜେଣ୍ଡାରୁ ବାଦ ପଡିଛି। ହେଲେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ସୂଚୀ ଚୂଡ଼ାନ୍ତ ନୁହେଁ, ଅଧିବେଶନ କାଳରେ ଆବଶ୍ୟକତା ପଡିଲେ ଅତିରିକ୍ତ ବିଧେୟକ ଓ କାର୍ଯ୍ୟକ୍ରମ ଯୋଡିବାକୁ ଛାଡ ମିଳିବ।

ତେବେ ଯେଉଁ ୭ଟି ବିଲ୍ ଏଜେଣ୍ଡାରେ ସ୍ଥାନ ପାଇଛି ସେଥିରେ ବିଦେଶୀ ଯୋଗଦାନ (ରେଗୁଲେସନ) ସଂଶୋଧନ ବିଧେୟକ ୨୦୨୬, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ୨୦୨୫, ଆୟକର ସଂଶୋଧନ ବିଲ୍-୨୦୨୬, ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬, ଜନ୍ମମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ବିଲ୍ ୨୦୨୬, ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍ ୨୦୨୬ ଓ ଏମଏସଏମଇ ବିକାଶ (ସଂଶୋଧନ) ବିଲ୍ ୨୦୨୬ ରହିଛି।

ଏହାଛଡା ସଂସଦର ଆର୍ଥିକ କାର୍ଯ୍ୟ ଅଧିନରେ ୨୦୨୨-୨୩ର ଅତିରିକ୍ତ ଅନୁଦାନ ଦାବି ମଧ୍ୟ ଉପସ୍ଥାପନ କରାଯିବ। ସେହିପରି ୧୩୦ତମ ସମ୍ବିଧାନ ସଂଶୋଧନ ( ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାର ପ୍ରାବଧାନ) ବିଲ୍ କୁ ଏହି ଅନୁମାନିକ ଏଜେଣ୍ଡାରେ ସାମିଲ କରାଯାଇ ନାହିଁ। ତେବେ ଏହି ବିଲ୍ ଉପରେ ମିଳିତ ସଂସଦୀୟ କମିଟି (ଜେପିସି) ଶୁକ୍ରବାର ତାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତକରିବ, ଯାହାକୁ ସଂସଦର ଏହି ଅଧିବେଶନ କାଳରେ ଉପସ୍ଥାପନ କରାଯିବ। ମହିଳା ଆରକ୍ଷଣ ଓ ପରିସୀମନ ବିଲ୍ ଏବେ ଏଜେଣ୍ଡାରେ ନାହିଁ। ସରକାର ଏହି ବିଧେୟକ ସମ୍ପର୍କରେ ଏବେ କୌଣସି ସୂଚନା ଦେଇ ନାହାନ୍ତି।