ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ବ୍ୟବସ୍ଥାରେ ସଂଶୋଧନ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ଆଲୋଚନା ପାଇଁ ପାର୍ଲାମେଣ୍ଟର ସ୍ୱେଚ୍ଛାସେବୀ/ଯୁଗ୍ମ କମିଟି ଆଜି ଭୁବନେଶ୍ୱର ଗସ୍ତରେ ଆସି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।

ରାଜ୍ୟ ଗସ୍ତ ଅବସରରେ କମିଟି ପ୍ରଥମେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପୃଥକ ଭାବେ ଆଲୋଚନା ହୋଇଥିଲା। ଏହି ସମୀକ୍ଷା ବୈଠକରେ ରାଜ୍ୟର ବିଧାୟକମାନଙ୍କୁ ମିଳୁଥିବା ଦରମା, ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଏବଂ ପୂର୍ବତନ ବିଧାୟକମାନଙ୍କ ପେନସନ ଓ ଭତ୍ତା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି।

Also Read: ‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’.. ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଦରମା ଓ ଭତ୍ତା ପରିବର୍ତ୍ତନର ଆବଶ୍ୟକତା

ବୈଠକରେ ସଂସଦର ସାଂସଦମାନଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର ବିଧାୟକମାନେ ପାଉଥିବା ଦରମା ଓ ଆନୁଷଙ୍ଗିକ ସୁବିଧା ସହ ଓଡ଼ିଶାର ବ୍ୟବସ୍ଥାର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରାଯାଇଥିଲା। ଅନ୍ୟ ରାଜ୍ୟ ଗୁଡ଼ିକର ତୁଳନାରେ ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଏବଂ ଭତ୍ତାରେ ସଂଶୋଧନ କିମ୍ବା ପରିବର୍ତ୍ତନର ସାଂଘାତିକ ଆବଶ୍ୟକତା ରହିଛି ବୋଲି ଯୁଗ୍ମ କମିଟି ନିଜର ମତବ୍ୟକ୍ତ କରିଛନ୍ତି।

ଉପସ୍ଥିତ ଥିଲେ ବହୁ ସାଂସଦ ଓ ଅଧିକାରୀ

ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିରେ ସାଂସଦ ବିଜୟ କୁମାର ଦୁବେ, ବୀଣା ଦେବୀ, କେ. ଗୋପୀନାଥ, ବାବୁ ସିଂ କୁଶୱାହା, ରିଚାର୍ଡ ଭାମିଲାହମନଙ୍ଗିଆ ଏବଂ ସଂସଦର ନିର୍ଦ୍ଦେଶକ ଭଟଶାଳା ଜୋଷୀ ପ୍ରମୁଖ ସାମିଲ ଅଛନ୍ତି।