ଭଦ୍ରକ ୧୦।୦୫ : ୧୫ ହଜାର ଟଙ୍କାରେ ୪ ବର୍ଷର ଝିଅକୁ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ ଛକ ନିକଟ ଡମଆଡ଼ି ଅଞ୍ଚଳରୁ। ଅଭାବ ଅନଟନରେ ପଡ଼ି ଜଣେ ଦମ୍ପତି ନିଜ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଧାମନଗର ଥାନା ଅଧୀନ ଡମ ଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ନିଜ ସାନ ଝିଅକୁ ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି। ପରିବାରରେ ୩ ଟି ସନ୍ତାନ ଥିବା ବେଳେ ୨ ଝିଅ ଓ ଜଣେ ପୁଅ ଘରେ ରହିଛନ୍ତି। ସାନ ଝିଅକୁ ଟଙ୍କା ନେଇ ଅନ୍ୟ ହାତକୁ ଦେଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଆ ମୁଣ୍ଡାଙ୍କ ମୂଳ ଘର ଭଦ୍ରକ ବ୍ଲକ କଲେଇ ଗାଁରେ ଥିବାବେଳେ ପ୍ରାୟ ଏକ ବର୍ଷ ହେବ ସେମାନେ ଡମ ଆଡ଼ିରେ ରହି ମାଗିଯାଚି ପରିବାର ପ୍ରତିପୋଷଣ କରୁଥିଲେ ।

Also Read:-Balianta Case : କ୍ରାଇମ୍ ସ୍ପଷ୍ଟରେ କ୍ରାଇମବ୍ରାଞ୍ଚ, ତଦନ୍ତକାରୀ ଅଧିକାରୀ କହିଲେ ସତ ସାମ୍ନାକୁ ଆସିବ

ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମ ଥିବାରୁ ବାଲେଶ୍ୱରରୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ସେଠାରେ ଶିଶୁଟିକୁ ବିକ୍ରି କରି ଦେଇଥିବା ସ୍ବୀକାର କରିଛନ୍ତି । ପୂର୍ବରୁ ୫ ହଜାର ଟଙ୍କା ନେଇଥିବା ବେଳେ ବିକ୍ରି ବେଳେ ଆଉ ୧୦ ହଜାର ଟଙ୍କା ନେଇଛନ୍ତି । ଏହି ଟଙ୍କାରେ ମା କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି । ଖବର ଜଣାପଡ଼ିବା ପରେ ଶିଶୁକୁ ଉଦ୍ଧାର ପାଇଁ ଶିଶୁ ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ବିଭାଗର ଟିମ୍ ଶିଶୁ କୁ ଉଦ୍ଧାର ପାଇଁ ଯାଇଛନ୍ତି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।