ନୂଆଦିଲ୍ଲୀ: ଏସ୍‌ଆଇର ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକାଲା ପ୍ରଭାକର । ଅର୍ଥନୀତିଜ୍ଞ ପରକାଲା ପ୍ରଭାକର କହିଛନ୍ତି, ସେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଅଭିନେତା ପ୍ରକାଶ ରାଜଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇବେ । ପିପୁଲ୍ସ ଏଗେନ୍ସଟ୍ SIR ମେଣ୍ଟ ଦ୍ୱାରା ଅକ୍ଟୋବର ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନରେ ବିଭିନ୍ନ ନେତା, ସାମାଜିକ କର୍ମୀ ଏବଂ ପ୍ରମୁଖ ବ୍ୟକ୍ତିବିଶେଷ ଏକାଠି ହେବେ । ସେମାନେ SIR ବ୍ୟବସ୍ଥାକୁ ରଦ୍ଦ କରିବାକୁ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବେ।

ପ୍ରତି ଗଳିରେ ଜନ୍ତର ମନ୍ତର
ସରକାରଙ୍କ ଆର୍ଥିକ ନୀତିର ବଡ଼ ସମାଲୋଚକ ପ୍ରଭାକର ଏକ୍ସରେ ଘୋଷଣା କରିଛନ୍ତି ଯେ, ‘ହର ଗଲି ମେଁ ଜନ୍ତର ମନ୍ତର ! ଶୁକ୍ରବାର, ଅକ୍ଟୋବର ୨୩, ୨୦୨୬। ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଜନସାଧାରଣଙ୍କ ମାର୍ଚ୍ଚ। ଆସନ୍ତୁ ଏହି ଆହ୍ୱାନକୁ ସାମ୍ନା କରିବା।’ ଏହି ବିକ୍ଷୋଭ ପ୍ରଦର୍ଶନରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, କୃଷକ ନେତା ରାକେଶ ଟିକାୟତ, AISA ସଭାପତି ନେହା ବୋରା ଏବଂ ଲେଖକ ତୁଷାର ଗାନ୍ଧୀଙ୍କ ଭଳି ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବେ। ଏହି ଆନ୍ଦୋଳନରେ ସାମିଲ ହେବାକୁ ଇଣ୍ଡି ମେଣ୍ଟର ଦଳଗୁଡ଼ିକୁ ମଧ୍ୟ ଅନୁରୋଧ କରାଯାଇଛି ।

​​​​​​​

 ପରକାଲା ପ୍ରଭାକର କିଏ ?
ପରକାଲା ପ୍ରଭାକର ଅକ୍ଟୋବର ୮ ରେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କଠାରେ CJP ଦ୍ୱାରା ଆୟୋଜିତ ବିକ୍ଷୋଭରେ ଯୋଗ ଦେଇଥିଲେ। ପରକାଲାଙ୍କ ପତ୍ନୀ ନିର୍ମଳା ସୀତାରମଣ ବିଜେପିର ବରିଷ୍ଠ ନେତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ହେଁ, ସେ ସବୁବେଳେ ଶାସକ ଦଳକୁ ବିରୋଧ କରିଆସିଛନ୍ତି । ନିଜ ପୁସ୍ତକରେ ସେ ବିମୁଦ୍ରୀକରଣ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦୁର୍ବଳତା ଉପରେ ପ୍ରଶ୍ନ ଉଠାଇଆସିଛନ୍ତି ପରକାଲା ପ୍ରଭାକର ।

ଆନ୍ଧ୍ରପ୍ରଦେଶର ନରସାପୁରଠାରେ ଜନ୍ମଗ୍ରହଣ କରିଥିବା ପ୍ରଭାକର, ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ରେ ପଢ଼ିଛନ୍ତି । ସେତେବେଳେ ସେ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ। ଭିନ୍ନ ଭିନ୍ନ ରାଜନୈତିକ ଚିନ୍ତାଧାରା ଥିବା ସତ୍ତ୍ୱେ ସେମାନେ ୧୯୮୬ ମସିହାରେ ବିବାହ କରିଥିଲେ। ଭାକରଙ୍କର ଏକ ଚର୍ଚ୍ଚିତ ରାଜନୈତିକ କ୍ୟାରିୟର ମଧ୍ୟ ରହିଛି। ସେ ୨୦୦୯ ମସିହାରେ ଅଭିନେତା ଚିରଞ୍ଜୀବୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଜା ରାଜ୍ୟମ୍ ପାର୍ଟି’ ସହ ଜଡ଼ିତ ଥିଲେ।

ପରବର୍ତ୍ତୀ ସମୟରେ ସେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ସଂଚାର ଆଡଭାଇଜର ଭାବରେ କାର୍ଯ୍ୟ କରିଥିଲେ। ୨୦୧୮ ଏପ୍ରିଲରେ ସେ ଇସ୍ତଫା ଦେଇଥିଲେ। ଅର୍ଥନୀତିରେ ଜ୍ଞାନ ଥିବା ବେଳେ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ତେବେ ସିଜେପି ଆନ୍ଦୋଳନରେ ଯୋଗ ଦେବାକୁ ନେଇ ପ୍ରଭାକରଙ୍କ ଘୋଷଣା ପରେ ବିଜେପି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇପାରେ ।