ଜୟପୁର: ରାଜସ୍ଥାନର ଡିଗ୍ ଜିଲ୍ଲାରୁ ସମ୍ପର୍କକୁ କଳଙ୍କିତ କଳଙ୍କିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି । ବଡ଼େଶରା ଗାଁରେ ୧୩ ବର୍ଷର ଦୁଇ ଯାଆଁଳା ପିଲାଙ୍କ ହତ୍ୟା ମାମଲାରେ ପୋଲିସ ଯେଉଁ ଖୁଲାସା କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ମାଆ ନିଜ ପ୍ରେମିକ ଏବଂ ୧୬ ବର୍ଷର ପୁଅ ସହ ମିଶି ନିଜର ଦୁଇ ଯାଆଁଳା ପୁଅଙ୍କୁ ଗଳା କାଟି ହତ୍ୟା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବଡ଼େଶରା ଗାଁରେ ମଙ୍ଗଳବାର ସକାଳେ ଘରଠାରୁ କିଛି ଦୂରରେ ଦୁଇ ଜଣ ଯାଆଁଳା ପିଲାଙ୍କ ଶବ ମିଳିଥିଲା । ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା କ୍ଷଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୂଚନା ଦେଇଥିଲା ଯେ, ଉଭୟ ପିଲାଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଛି ।

ମୃତ ଦୁଇ ନାବାଳକଙ୍କ ନାଁ ବିନୟ ଚୌଧୁରୀ ଏବଂ ବିଷ୍ଣୁ ଚୌଧୁରୀ । ପୋଲିସ ଯେତେବେଳେ ପିଲାମାନଙ୍କ ମାଆ ପ୍ରୀତିଙ୍କୁ ପଚରାଉଚରା କଲା, ସେତେବେଳେ ସେ କାନ୍ଦି ନାଟକ କରି ଅଜ୍ଞାତ ଦୁର୍ବୃତ୍ତମାନେ ପିଲାମାନଙ୍କୁ ହତ୍ୟା କରିଥିବା କଥା କହିଥିଲା । ପଚରାଉଚରା ସମୟରେ ମହିଳା ଜଣକ ଲଗାତାର ପୋଲିସକୁ ଭ୍ରମିତ କରୁଥିଲା । ମହିଳାଙ୍କ ବୟାନରୁ ପୋଲିସର ସନ୍ଦେହ ବଢ଼ିଯାଇଥିଲା । ପୋଲିସ ପ୍ରୀତିଙ୍କୁ କଡ଼ାକଡ଼ି ଭାବେ ପଚରାଉଚରା କରିବା ପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲା । ଅଭିଯୁକ୍ତ ମହିଳାଜଣକ ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ପ୍ରାୟ ୮ ବର୍ଷ ହେବ ନିଜ ବାପଘରେ ରହୁଥିଲେ । ଏହି ସମୟରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟ ପିଲା ନିଜ ମା'ଙ୍କ ସମ୍ପର୍କ ଏବଂ କାର୍ଯ୍ୟକଳାପକୁ ବିରୋଧ କରୁଥିଲେ ।

ଯେତେବେଳେ ଦୁଇ ପୁଅ ମାଆଙ୍କ ପ୍ରେମ ସମ୍ପର୍କ କଣ୍ଟା ସାଜିଲେ, ସେତେବେଳେ ସେମାନଙ୍କୁ ରାସ୍ତାରୁ ହଟାଇଦେବାକୁ ମାଆ ମନସ୍ଥ କଲା । ଏହାପରେ ମହିଳାଜଣକ ନିଜ ପ୍ରେମିକ ସହିତ ମିଶି ଉଭୟ ପିଲାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରୀତି ନିଜ ପ୍ରେମିକ ଏବଂ ନିଜ ବଡ଼ ପୁଅ ମିଶି ଅଧ ରାତିରେ ଶୋଇ ରହିଥିବା ଦୁଇ ପୁଅଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଉଭୟ ପିଲାଙ୍କ ମୃତ୍ୟୁକୁ ଲୁଚାଇବା ପାଇଁ ଶବଗୁଡ଼ିକୁ ଘରଠାରୁ କିଛି ଦୂରରେ ଫିଙ୍ଗି ଦିଆଯାଇଥିଲା । ପୋଲିସ ମୁଖ୍ୟ ଅଭିଯୁକ୍ତ ମାଆ, ତାଙ୍କ ପ୍ରେମିକ ଏବଂ ପୁଅକୁ ଗିରଫ କରିଛି ।

ପୋଲିସ କହିଛି ଯେ ପ୍ରୀତି ୨୦ ବର୍ଷ ପୂର୍ବେ ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାର ସାରୋଥ ମାନସା ଗ୍ରାମର ନିରଞ୍ଜନ ସିଂହଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଚାରିଟି ସନ୍ତାନ ଥିଲେ, ଗୋଟିଏ ୧୮ ବର୍ଷୀୟ ଝିଅ, ଗୋଟିଏ ୧୬ ବର୍ଷୀୟ ପୁଅ ଏବଂ ୧୩ ବର୍ଷୀୟ ଯମଜ ଭାଇ । ବହୁ ବର୍ଷ ପୂର୍ବେ ନିରଞ୍ଜନ ସିଂହଙ୍କ ମୃତ୍ୟୁ ପରେ ପ୍ରୀତି ଏବଂ ତାଙ୍କର ଚାରି ପିଲା ବଡ଼େଶରାସ୍ଥିତ ତାଙ୍କ ପୈତୃକ ଘରକୁ ଚାଲି ଆସିଥିଲେ ।