ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶର ସବୁ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରିଛି । ମନ୍ତ୍ରଣାଳୟ ପକ୍ଷରୁ ପ୍ରସାରଣକାରୀଙ୍କୁ ସ୍ପଷ୍ଟ ଶବ୍ଦରେ କୁହାଯାଇଛି ଯେ ଆଣ୍ଟି ଟେରର୍ ଅପରେସନର ଲାଇଭ୍ କଭରେଜ୍ କରିବାଠାରୁ ଦୂରେଇ ରୁହନ୍ତୁ । ହିଂସା ଏବଂ ସମ୍ୱେଦନଶୀଳ ଦୃଶ୍ୟ ଦେଖାଇବା ସମୟରେ ଅତିରିକ୍ତ ସାତର୍କତା ଅବଲମ୍ୱନ କରନ୍ତୁ । କୌଣସି ପ୍ରକାର ରାଷ୍ଟ୍ର ବିରୋଧୀ ତଥା ସାଂପ୍ରଦାୟିକ ସଦ୍ଭାବନା ବିଗାଡ଼ୁଥିବା ସାମଗ୍ରୀର ପ୍ରସାରଣରୁ ଦୂରେଇ ରୁହନ୍ତୁ ।

ମନ୍ତ୍ରଣାଳୟ ଚିନ୍ତା ପ୍ରକାଶ କରି କହିଛି ଯେ ଅନେକ ଟିଭି ଚ୍ୟାନେଲ୍ ଆଇନର ନିର୍ଦ୍ଧାରିତ ମାନଦଣ୍ଡ ଏବଂ ନିୟମର ଉଲ୍ଲଂଘନ କରୁଛନ୍ତି । ଏହି ମାର୍ଗଦର୍ଶିକା ଜରିଆରେ ଟିଭି ଚ୍ୟାନେଲଗୁଡ଼ିକୁ କେବୁଲ୍ ଟେଲିଭିଜନ୍ ନେଟୱାର୍କ (ରେଗୁଲେସନ)ଆକ୍ଟ ୧୯୯୫ ଏବଂ କେବୁଲ୍ ଟେଲିଭିଜନ୍ ନେଟୱାର୍କ ନିୟମ ୧୯୯୪ ଅଧିନରେ ତଥା ପ୍ରୋଗ୍ରାମ କୋଡ୍ କଡ଼ାକଡ଼ି ଅନୁପାଳନ କରିବା ଲାଗି ପରାମର୍ଶ ଦିଆଯାଇଛି ।

 

ଅନେକ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ନିୟମାବଳୀକୁ ଉଲ୍ଲଂଘନ କରୁଥିବା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନଜରକୁ ଆସିଥିଲା । ଏହା ଉପରେ ଆନ୍ତଃବିଭାଗୀୟ କମିଟି (IDC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ସମୀକ୍ଷା ବୈଠକ ସମୟରେ, ଜଣାପଡ଼ିଥିଲା ଯେ ଅନେକ ଟିଭି ଚ୍ୟାନେଲ୍ ଏକପାଖିଆ ଏବଂ ବିସଙ୍ଗତ ଭାବରେ ଗୋଟିଏ ବିଷୟ ସହିତ ଜଡିତ ସମ୍ବେଦନଶୀଳ ଖବର ଏବଂ ଦୃଶ୍ୟ ପ୍ରସାରଣ କରୁଛନ୍ତି । ଆଇଡିସିର ସୁପାରିଶକୁ ଆଧାର କରି ଏହି ପରାମର୍ଶ ଜାରି କରାଯାଇଛି ।

ମାର୍ଗଦର୍ଶିକାରେ କ'ଣ ରହିଛି ?

ସୁରକ୍ଷା ବାହିନୀର ସିଧା ପ୍ରସାରଣ କିମ୍ବା ଆତଙ୍କବାଦ ବିରୋଧୀ ଅଭିଯାନ ସିଧା ପ୍ରସାରଣ କରାଯିବ ନାହିଁ ।

ଅପରାଧ, ଦୁର୍ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରିପୋର୍ଟିଂ କରିବା ସମୟରେ ଅତ୍ୟଧିକ ଭୟଙ୍କର କିମ୍ବା ବିଚଳିତ କଲା ପରି ଦୃଶ୍ୟ ପ୍ରସାରଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ବିତର୍କ ଏବଂ ପ୍ୟାନେଲ୍ ଆଲୋଚନା ସମୟରେ କୌଣସି ଧର୍ମ, ସମ୍ପ୍ରଦାୟ କିମ୍ବା ବର୍ଗ ବିରୁଦ୍ଧରେ ଘୃଣା ପ୍ରସାରଣ କରୁଥିବା କିମ୍ବା ଦେଶ ବିରୋଧୀ ଭାବନାକୁ ପ୍ରୋତ୍ସାହିତ କରୁଥିବା ବିଷୟବସ୍ତୁ ପ୍ରସାରଣ ନହେଉ ।

ପ୍ରସାରଣ ସମୟରେ ଭାରତର ସରକାରୀ ଏବଂ ସଠିକ୍ ମାନଚିତ୍ର ବ୍ୟବହାର ବାଧ୍ୟତାମୂଳକ ।

ଯୌନ ଉତ୍ପୀଡ଼ନ ଏବଂ ଅପରାଧ ମାମଲାରେ, ସେମାନଙ୍କର ଗୋପନୀୟତା ଏବଂ ସୁରକ୍ଷାକୁ ସୁରକ୍ଷା ଦେବା ପାଇଁ ପୀଡିତଙ୍କ ପରିଚୟ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ପ୍ରସାରଣରେ ଏଆଇ ଏବଂ ଜେନେରେଟିଭ୍ ଏଆଇର ବର୍ଦ୍ଧିତ ବ୍ୟବହାର ସମ୍ପର୍କରେ ମନ୍ତ୍ରଣାଳୟ ପ୍ରସାରକମାନଙ୍କୁ ମଧ୍ୟ ସତର୍କ କରାଇଛି ।

ଗ୍ରାଫିକ୍ସ, ଭର୍ଚୁଆଲ୍ ଉପସ୍ଥାପନା କିମ୍ବା ଭିଡିଓ ଏଡିଟିଂ ପାଇଁ ଏଆଇ ଉପକରଣଗୁଡ଼ିକୁ କେବଳ ଏକ ସହାୟକ ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରିବ । ଏଆଇ ବ୍ୟବହାର ସମୟରେ କୌଣସି ପରିସ୍ଥିତିରେ ସତ ସହ ସାଲିସ କରାଯିବ ନାହିଁ ।