ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନିଜର ସ୍ପଷ୍ଟ ଏବଂ ବେପରୁଆ ବୟାନ ପାଇଁ ଜଣାଶୁଣା । ଏବେ ତାଙ୍କର ଏହିଭଳି ଏକ ବୟାନ ଭାଇରାଲ୍ ହେବାରେ ଲାଗିଛି । ସେ ଭାରତର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟି-୨୦ ଦଳରେ ସୁଯୋଗ ନ ମିଳିବାକୁ ନେଇ ରାଗ ଝାଡ଼ିଛନ୍ତି ।

ଆୟର୍ଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଥିଲେ ଚୂଡ଼ାନ୍ତ ଟିମରେ ସ୍ଥାନ ମିଳି ନ ଥିଲା । ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଇଶାନ କିଷନଙ୍କ ଭଳି ସିନିୟର ଖେଳାଳିଙ୍କ ଯୋଗୁଁ ତାଙ୍କୁ ସୁଯୋଗ ମିଳିନାହିଁ ଏବଂ ସେ ବେଞ୍ଚରେ ବସି ରହିଥିଲେ । ସୋନି ସ୍ପୋର୍ଟସର ଏକ କାର୍ଯ୍ୟକ୍ରମରେ ରବି ଶାସ୍ତ୍ରୀ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।

ରବି ଶାସ୍ତ୍ରୀ ଲାଇଭ୍ ଶୋ'ରେ କହିଛନ୍ତି, "ତାକୁ ଖେଳାଇବାର ଥିଲା, ଆୟର୍ଲ୍ୟାଣ୍ଡରେ ସୁଯୋଗ ଦେବାର ଥିଲା। ସେଠାକାର ପିଚ୍ ସ୍ଲୋ  ଏବଂ ସ୍ପଞ୍ଜି ବାଉନ୍ସ ଥାଏ, ସେ ସେଠାରେ ଷ୍ଟାଡିୟମର ଛାତ ଉପରକୁ ଶଟ୍ ମାରିଥାନ୍ତା। ସେଠାକାର ଗ୍ରାଉଣ୍ଡ ଛୋଟ, ସେ (ଆୟର୍ଲ୍ୟାଣ୍ଡ ବୋଲରଙ୍କ) ପ୍ୟାଣ୍ଟ୍ ବାହାର କରି ହାତରେ ଦେଇଦେଇଥାନ୍ତା ! ତାକୁ ସେଠାରେ ଖେଳାଇବା ଉଚିତ୍ ଥିଲା । ଏବେ ଏଠାରେ ଖେଳାଇବେ କି ନାହିଁ ଜଣାନାହିଁ ।"

 

ଶାସ୍ତ୍ରୀ ଆହୁରି କହିଛନ୍ତି, "ତାକୁ ଯଥାଶୀଘ୍ର ସୁଯୋଗ ଦେବା ଉଚିତ୍ ।  ଆଇପିଏଲରେ ସେ ସମସ୍ତଙ୍କୁ ପ୍ରହାର କରିଛି । କେଉଁ ଦ୍ରୁତ ବୋଲରକୁ ସେ ଛାଡ଼ିଛି ? ତୁମେମାନେ ତାକୁ ବେଞ୍ଚରେ ବସାଇ ରଖିଛ। ତା ପାଖରେ ଏକ୍ସ-ଫ୍ୟାକ୍ଟର ଅଛି । ଏତେ କମ୍ ବୟସ ହୋଇଥିବାରୁ ତା ମନରେ କୌଣସି ଡର କି ଭୟ ନାହିଁ । ସେ ଦଳକୁ ଏକ ଦମଦାର ଆରମ୍ଭ ଦେଇପାରିବ, ଯାହାର ଫାଇଦା ମିଡିଲ୍ ଅର୍ଡର ଉଠାଇପାରିବେ । ତେଣୁ ଦଳରେ ତା ପାଇଁ ଯେତେ ଶୀଘ୍ର ସ୍ଥାନ ତିଆରି କରାଯିବ, ସେତେ ଭଲ ।"