ନୂଆଦିଲ୍ଲୀ: ଘିଅ ଓ ବଟର ଦାମ ବଢ଼ାଇଲା ଅମୁଲ। କମ୍ପାନୀ ୩ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରିଛି। ଏକ କିଲୋ ଘିଅ ପ୍ୟାକେଟର ଦାମ ୬୩୦ ଟଙ୍କାରୁ ବଢ଼ି ୬୮୦ ଟଙ୍କା ହୋଇଛି। ଏଥିରେ କିଲୋ ପ୍ରତି ୫୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୧୦୦ ଗ୍ରାମ ବଟର ପ୍ୟାକେଟରେ ୩ ଟଙ୍କା ବୃଦ୍ଧି କରାଯାଇ ଦର ୬୩ ଟଙ୍କାରୁ ୬୬ ଟଙ୍କାକୁ ବଢ଼ାଇ ଦିଆଯାଇଛି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ ଗୁଜରାଟ ଓ ରାଜସ୍ଥାନରେ ନକଲି ଘିଅ ଉପରେ ଜୋରଦାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଥିପାଇଁ ଅସଲି ବ୍ରାଣ୍ଡେଡ ଘିଅର ଚାହିଦା ବଢ଼ିଛି। ଆଉ ଏହି ସମୟରେ ଦୁଇ ପଇସା ଅଧିକ ଲାଭ ପାଇଁ କମ୍ପାନୀ ଦର ବୃଦ୍ଧି କରିଥିବା କୁହାଯାଉଛି। ଏହି ଦର ବୃଦ୍ଧି ସହିତ ଗ୍ରାହକ ଜିଏସ୍ଟି କାଟ୍ର ଯେଉଁ ଲାଭ ନେଉଥିଲେ ସେଥିରେ ଏବେ ଏହା ବାଧକ ସାଜିଛି।

ଜିଏସ୍ଟି ହ୍ରାସ ପରେ ୭୦୦ଟି ପ୍ରଡକ୍ଟର ଦର କମାଇଥିଲା ଅମୁଲ

୨୦୨୫ ମସିହା ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର କ୍ଷୀରଜାତୀୟ ଉତ୍ପାଦ ଉପରେ ଜିଏସଟି ହ୍ରାସ କରିଥିଲେ। ଏହା ଉପରେ ଲାଗୁଥିବା ୧୨ ପ୍ରତିଶତ ଜିଏସ୍ଟିକୁ କମାଇ ୫ ପ୍ରତିଶତ କରାଯାଇଥିଲା। ଏହାପରେ ଅମୁଲ ନିଜର ୭୦୦ ଡାୟରୀ ପ୍ରଡକ୍ଟର ଦର କମାଇଥିଲା।


Also Read- ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା ଓ ରୁପା: ଏକାଥରେ ଦୁଇ ଧାତୁରେ ରେକର୍ଡ ବୃଦ୍ଧି


ସେହି ସମୟରେ ଏକ କେଜି ଘିଅ କାର୍ଟନର ଦର ୬୫୦ ଟଙ୍କାରୁ ହ୍ରାସ ପାଇଁ ୬୧୦ ଟଙ୍କା ହୋଇଥିଲା। ସେହିପରି ୫ ଲିଟର ଟିଣ ପ୍ୟାକେଟ ଘିଅର ଦର ୩୨୭୫ରୁ ହ୍ରାସ ପାଇ ୩୦୭୫ ଟଙ୍କା ହୋଇଥିଲା। ୧୦୦ ଗ୍ରାମ ବଟର ପ୍ୟାକେଟ ମୂଲ୍ୟରେ ୬୨ ଟଙ୍କା ହ୍ରାସ ପାଇ ୫୮ ଟଙ୍କା ହୋଇଥିଲା। ୫୦୦ ଗ୍ରାମ ପ୍ୟାକେଟର ମୂଲ୍ୟ ୩୦୫ ଟଙ୍କାରୁ ୨୮୫ ଟଙ୍କାକୁ ହ୍ରାସ ପାଇଥିଲା।

ନକଲି ଘିଅ ଉପରେ ଚଢ଼ାଉ , ଅମୁଲ ଗୁଆ ଘିଅର ଅଭାବ

ଦର ବଢ଼ିବା ସହିତ ଗୁଜରାଟରେ ଅମୁଲ ଗାଈ ଘିଅର ଅଭାବ ଦେଖା ଦେଇଛି। ଡିମାଣ୍ଡ ଅନୁସାରେ ସପ୍ଲାଏ କମ ରହିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଗଣେଶ ଉତ୍ସବ ପରେ ଡିମାଣ୍ଡ ବଢ଼ିବାରୁ ଗାଈ ଘିଅ ଉପଲବ୍ଧତା ପ୍ରଭାବିତ ହୋଇଛି ବୋଲି ଅହମଦାବାଦର ଦୋକାନୀମାନେ କହିଛନ୍ତି।

ସେପଟେ ଗୁଜରାଟ ଓ ରାଜସ୍ଥାନରେ ନକଲି ଉପରେ ଚଢ଼ାଉ ଜୋରଦାର କରାଯାଇଛି। ଗତ ୬ ମାସରେ ଏହି ଦୁଇ ରାଜ୍ୟରୁ ପ୍ରାୟ ୨ ଲକ୍ଷ କେଜି ନକଲି ଘିଅ ଜବତ କରାଯାଇଛି। ନକଲି ଘିଅ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଲୋକଙ୍କ ଭରସା ଅମୁଲ ଭଳି ବ୍ରାଣ୍ଡ ଉପରେ ବଢ଼ି ଯାଇଛି। ତେଣୁ ସେମାନେ ବର୍ତ୍ତମାନ ଅମୁଲ ଘିଅ ଖୋଜୁଛନ୍ତି। ଫଳରେ କମ୍ପାନୀ ଘିଅ ଡିମାଣ୍ଡ ବଢ଼ି ଯାଇଛି।