ନୂଆଦିଲ୍ଲୀ, ୨୭/୦୯ : ନ୍ୟୁୟର୍କରେ ଚାଲିଥିବା ଜାତିସଂଘ ମହାସଭା (ୟୁଏନଜିଏ) ରେ ଭାରତକୁ ଯୁଦ୍ଧ ଧମକ ଦେଇଛି ପାକିସ୍ତାନ। ଏହାର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ଭାରତ ସିନ୍ଧୁ ନଦୀର ପାଣି ରୋକିବା ଉଚିତ ନୁହେଁ । ପାଣି ରୋକିବାକୁ ଉଦ୍ୟମ କଲେ ପାକିସ୍ତାନ ଏହାକୁ ଯୁଦ୍ଧ ବିବେଚନା କରିବ । ସେହି ଅନୁସାରେ ଜବାବ ଦେବ। ଏମିତିକି ଶାହବାଜ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ବି ଉଠାଇଛନ୍ତି । କାଶ୍ମୀର ତାଙ୍କ ଦେଶ ପାଇଁ ‘ଗଳାର ଶିରା’ ସଦୃଶ ବୋଲି କହିଛନ୍ତି।

ଶାହବାଜଙ୍କ ଏହି ଯୁକ୍ତି ଉପରେ ଭାରତ ଦୃଢ଼ ଜବାବ ଦେଇଛି । ଜାତିସଂଘରେ ଭାରତର ସଚିବ ପେଟଲ ଗେହଲଟ୍ କହିଛନ୍ତି, ପାକିସ୍ତାନକୁ ପ୍ରଥମେ ଅବୈଧ କବଜାରେ ଥିବା କାଶ୍ମୀର (ପିଓକେ)ର ସ୍ଥିତି ଦେଖିବା ଆବଶ୍ୟକ। ସେଠାରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିଷୟ ହୋଇପଡ଼ିଛି। ହତ୍ୟା ଓ ହିଂସା ସେଠାରେ ସାଧାରଣ ଘଟଣାରେ ପରିଣତ ହୋଇଛି। ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି । ସେଠାକାର ଲୋକଙ୍କ ସ୍ଥିତି ସଂକ୍ରାନ୍ତରେ ବି ପ୍ରଶ୍ନ କରାଯିବା ଆବଶ୍ୟକ।

ଏହାଛଡ଼ା ସୀମା ଅଞ୍ଚଳରେ ଆତଙ୍କବାଦ ପାକିସ୍ତାନର ପୁରୁଣା ନୀତି। ଭାରତ ଆତଙ୍କବାଦ ବିରୋଧରେ ନିଜ ସୁରକ୍ଷା ଅଧିକାରକୁ ବ୍ୟବହାର କରିବା ଜାରି ରଖିବ । ପାକିସ୍ତାନ ପଟୁ ହେଉଥିବା ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପର ସାଘାତିକ ଜବାବ ଦିଆଯିବ। ଭାରତୀୟ ଅଧିକାରୀ ଗେହଲଟ୍ ଆତଙ୍କୀ ଓସାମା ଦିନ ଲାଦେନ ପ୍ରସଙ୍ଗ ବି ଉଠାଇଛନ୍ତି। ତାଙ୍କ ଅନୁସାରେ, ୯/୧୧ ଆତଙ୍କୀ ଆକ୍ରମଣର ୨୫ତମ ବର୍ଷ ପାଳନ କରାଯାଇଛି। ଉକ୍ତ ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ ପାକିସ୍ତାନୀ ସେନାର ସବୁଠୁ ବଡ଼ ସୈନ୍ୟ ଏକାଡେମି ପାଖରେ ରହୁଥିଲା। ଗେହଲଟ୍ ପାକିସ୍ତାନରେ ଗଣତାନ୍ତ୍ରିକ ଅଧିକାର ଏବଂ ଶାସନ ବ୍ୟବସ୍ଥା ଉପରେ ବି ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ପାକିସ୍ତାନରେ ପ୍ରକୃତ କ୍ଷମତା ନିର୍ବାଚିତ ସରକାରଙ୍କ ପାଖରେ ନାହିଁ, ବରଂ ସେନା ହାତରେ ରହିଛି।

Also Read :- ରବିବାର ବି ବର୍ଷା ! ଏହି ସବୁ ଜାଗାରେ ବର୍ଷିବା ସମ୍ଭାବନା, ଆଗକୁ କେମିତି ରହିବ ପାଗ ?

ଜାତିସଂଘ ମହାସଭାରେ ଉଦ୍ବୋଧନ ବେଳେ ଶାହବାଜ ପହଲଗାମ୍ ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ବଢ଼ିଥିବା ବିବାଦ ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଫିଲଡ୍ ମାର୍ଶଲ ଅସିମ ମୁନିରଙ୍କ ନେତୃତ୍ୱରେ ପାକିସ୍ତାନର ସେନା ଉଚିତ ଜବାବ ଦେଇଥିଲା। ଯୁଦ୍ଧ ସ୍ଥିତିକୁ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ। ଶାହବାଜ କହିଥିଲେ, ଗତବର୍ଷ ସଙ୍ଘର୍ଷ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଏକତରଫା ଭାବେ ରୋକିଥିଲା। ଜାତିସଂଘ ବିଶେଷଜ୍ଞ ଏବଂ ସ୍ଥାୟୀ ମଧ୍ଯସ୍ଥତା ଅଦାଲତ ମଧ୍ୟ ଏହି ମାମଲାରେ ଭାରତର ଦାବି ଓ ପଦକ୍ଷେପକୁ ଖାରଜ କରିଥିଲେ। ଏହାଦ୍ଵାରା ପାକିସ୍ତାନର ଆଭିମୁଖ୍ୟ ଯଥୋଚିତ ସାବ୍ୟସ୍ତ ହୋଇଥିଲା।

୨୦୨୫ ଏପ୍ରିଲ ୨୨ରେ ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ୨୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଥିଲା । ଏହାପରେ ପାକିସ୍ତାନ ଭିତରେ ପଶି ଆତଙ୍କୀ ଶିବିର ଉଡ଼ାଇଥିଲା ।