ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ। ମିଛକୁ ସତେ ଯେପରି ପିଇଦେଇଛି। ହେଲେ ସତ ଧରାପଡ଼ିବା ପରେ ଅକଲଗୁଡୁମ। ବାହାସ୍ଫୋଟ ମାରୁଥିବା ଫିଲ୍ଡ ମାର୍ଶାଲଙ୍କ ଗର୍ବର ଫର୍ଦ୍ଦାଫାଶ ହୋଇଛି। ଅପରେସନ ସିନ୍ଦୂରରେ କଣ କରୁଥିଲେ ପାକ୍ ସେନା ଏହାର ଖୁଲାସା କରିଛନ୍ତି ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ।

ପାକିସ୍ତାନୀ ରାଷ୍ଟ୍ରପତି ଜର୍ଦ୍ଦାରୀ କଛନ୍ତି ଯେ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନୀ ସେନା କିପରି ବଙ୍କରରେ ଲୁଚି ରହିଥିଲା। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ସମୟରେ ଜର୍ଦ୍ଦାରୀ ସ୍ୱୀକାର କରିଥିଲେ ଯେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ପାକିସ୍ତାନୀ ସେନା ବଙ୍କରରେ ଲୁଚି ରହିଥିଲା । ତାଙ୍କୁ ନିଜେ ବଙ୍କରରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ଏହି ବିବୃତ୍ତି ପାକିସ୍ତାନର ଦୁର୍ବଳ ସ୍ଥିତିକୁ ଉଜାଗର କରୁଛି। ଆର୍ଥିକ ସଙ୍କଟ, ମୁଦ୍ରାସ୍ଫୀତି ଏବଂ ଋଣ ବୃଦ୍ଧିର ସମ୍ମୁଖୀନ ହେଉଛି ପାକିସ୍ତାନ। ଏଭଳି ସ୍ଥିତିରେ ଦୀର୍ଘକାଳୀନ ସାମରିକ ପ୍ରସ୍ତୁତି ପାଇଁ କ୍ଷମତାର ଅଭାବ ରହିଛି। ଫଳସ୍ୱରୂପ, ପାକିସ୍ତାନୀ ସେନାର ବଙ୍କର ଭିତରକୁ ପ୍ରତ୍ୟାବର୍ତ୍ତନ ଏହାର ଆଭ୍ୟନ୍ତରୀଣ ଦୁର୍ବଳତା ଏବଂ ଚାପକୁ ଦର୍ଶାଏ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋଟ ୨୬ ଜଣ ପ୍ରାଣ ହରାଇଥିଲେ। ପହଲଗାମ ଆକ୍ରମଣର ଜବାବରେ, ଭାରତ ମେ ୬-୭ ମଧ୍ୟରାତିରେ 'ଅପରେସନ୍ ସିନ୍ଦୁର' ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଆଡ୍ଡା ଉପରେ ସଠିକ୍ ଆକ୍ରମଣ କରିଥିଲା। ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଏବଂ ତାଲିମ କେନ୍ଦ୍ର ସମେତ ନଅଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହି ସ୍ଥାନଗୁଡ଼ିକୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରିବା ପାଇଁ ବ୍ୟବହାର କରାଯାଇଥିଲା।