ପାକିସ୍ତାନ:କରାଚିସ୍ଥିତ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ସୁରକ୍ଷା ବଳରେ ଥିବା ଆଫଗାନିସ୍ତାନ ସୀମାନ୍ତରେ ଏକ ବଡ଼ ଧରଣର ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଏହି କାର୍ଯ୍ୟାନୁଷ୍ଠାନରେ ମୋଟ୨୯ ଜଣ ଆତଙ୍କବାଦୀନିହତ ହୋଇଛନ୍ତି।

ଶନିବାର ଦିନ କରାଚିରେ ଅବସ୍ଥିତ ପାରାମିଲିଟାରୀ ରେଞ୍ଜର୍ସଙ୍କ ଆଞ୍ଚଳିକ ମୁଖ୍ୟାଳୟ ଉପରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ପାକିସ୍ତାନର ୩ ଜଣ ସୈନିକ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ 'ଜମାତ-ଉଲ୍-ଅହରାର' (Jamaat-ul-Ahrar) ନାମକ ଆତଙ୍କବାଦୀ ଗୋଷ୍ଠୀ ଦାୟିତ୍ୱ ନେଇଥିଲା। ପୋଲିସ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରିଛି।

ଏହି ଘଟଣାର ପରଦିନ, ପାକିସ୍ତାନ ସୁରକ୍ଷା ବଳ ବାଜୌର ଜିଲ୍ଲାରେ ଏକ ଗୁଇନ୍ଦା ଭିତ୍ତିକ ଭୂମି ଅଭିଯାନ ଚଳାଇଥିଲା। ଏହାପରେ ଆଫଗାନିସ୍ତାନ ସୀମାନ୍ତରେ ଥିବା ଆତଙ୍କବାଦୀଙ୍କ ଲୁକ୍କାୟିତ ସ୍ଥାନଗୁଡ଼ିକ ଉପରେ ପାକିସ୍ତାନ ଆକ୍ରମଣ କରିଥିଲା।

ସୂଚନା ମୁତାବକ, ଏହି ଅଭିଯାନରେ 'ଜମାତ-ଉଲ୍-ଅହରାର' ଏବଂ 'ଫିତ୍ନା ଅଲ୍-ଖୱାରିଜ୍' ଆତଙ୍କବାଦୀମାନଙ୍କୁ ଟାର୍ଗେଟ୍ କରାଯାଇଛି। ଏଥିରେ ଜଣେ କମାଣ୍ଡର ଖାନ ଫାରୋସ (Khan Farosh) ସମେତ ୨୯ ଜଣ ଆତଙ୍କବାଦୀଙ୍କୁ ମାରିଥିବା କାଥା କୁହାଯାଉଛି ।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ:

ପାକିସ୍ତାନ ସରକାର ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଛନ୍ତି ଯେ ଆଫଗାନିସ୍ତାନର ତାଲିବାନ ସରକାର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ବିଶେଷ କରି 'ତେହରିକ-ଏ-ତାଲିବାନ ପାକିସ୍ତାନ' ର ଆତଙ୍କବାଦୀମାନେ ସୀମାନ୍ତ ପାର ହୋଇ ପାକିସ୍ତାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। କିନ୍ତୁ ପାକିସ୍ତାନର ଏହି ଅଭିଯୋଗକୁ ଆଫଗାନିସ୍ତାନର ତାଲିବାନ ସରକାର ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଆସୁଛନ୍ତି।

ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି ଯେ, ପାକିସ୍ତାନ ଆଞ୍ଚଳିକ ଶାନ୍ତି ଚାହୁଁଥିଲେ ମଧ୍ୟ ନିଜ ନାଗରିକଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାର ବୁଝାମଣା କରିବ ନାହିଁ। ବର୍ତ୍ତମାନର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଉଭୟ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇଦେଇଛି।