• ପାକିସ୍ତାନ ପେଟ୍ରୋଲିୟମ ମନ୍ତ୍ରୀ ଅଲି ପରଭେଜ ମଲିକ ଦେଶରେ ଇନ୍ଧନ ମୂଲ୍ୟବୃଦ୍ଧି ଘୋଷଣା କରିଛନ୍ତି
  • ସରକାର ଡିଜେଲ ଦରରେ ୫୪.୯% ବଢାଇ ପ୍ରତି ଲିଟର ପାକିସ୍ତାନୀ ମୁଦ୍ରାରେ ୫୨୦ଟଙ୍କା ୩୫ ପଇସା କରିଦେଇଛନ୍ତି
  • ଅନ୍ୟ ପଟେ ଡିଜେଲ ଉପରେ ଜାରି ୫୫ଟଙ୍କା ଶୁଳ୍କକୁ ହ୍ରାସ କରି ଶୁନ କରିଦେଇଛନ୍ତି।

ଇସ୍ଲାମାବାଦ: ବୈଶ୍ୱିକ ଇନ୍ଧନ ସଂକଟ ଓ ଆମେରିକା-ଇରାନ ଯୁଦ୍ଧ ପାକିସ୍ତାନକୁ ଗୁରୁତର ପ୍ରଭାବିତ କରୁଛି। ବୈଶ୍ୱିକ ଅସୋଧିତ ତୈଳ ସଂକଟର ପ୍ରଭାବ ସମ୍ଭାଳିବା ପ୍ରୟାସରେ ଦେଶରେ ଡିଜେଲ ଓ ପେଟ୍ରୋଲ ଦର ଦ୍ରୁତ ବୃଦ୍ଧି ହୋଇଛି। ସରକାର ଡିଜେଲ ଦରରେ ୫୪.୯% ବଢାଇ ପ୍ରତି ଲିଟର ପାକିସ୍ତାନୀ ମୁଦ୍ରାରେ ୫୨୦ଟଙ୍କା ୩୫ ପଇସା କରିଦେଇଛନ୍ତି। ସେହିପରି ପେଟ୍ରୋଲ ମୂଲ୍ୟରେ ୪୨.୭% ବୃଦ୍ଧି ହୋଇ ପାକିସ୍ତାନୀ ମୁଦ୍ରାରେ ପ୍ରତି ଲିଟର ୪୫୮ ଟଙ୍କା ୪୦ ପଇସା ହୋଇଯାଇଛି।

ପାକିସ୍ତାନ ପେଟ୍ରୋଲିୟମ ମନ୍ତ୍ରୀ ଅଲି ପରଭେଜ ମଲିକ ଦେଶରେ ଇନ୍ଧନ ମୂଲ୍ୟବୃଦ୍ଧି ଘୋଷଣା କରି କହିଛନ୍ତି ଯେ ଆମେରିକା-ଇରାନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ଅନିୟନ୍ତ୍ରିତ ହୋଇପଡିଛି। ଏଣୁ ଦେଶରେ ଇନ୍ଧନ ଦର ବୃଦ୍ଧି ଅପରିହାର୍ଯ୍ୟ ଥିଲା। ତେବେ ଦେଶରେ ଇନ୍ଧନ ଦର ବୃଦ୍ଧିର ପ୍ରଭାବ କମ କରିବା ପାଇଁ ପାକିସ୍ତାନ କଥିତ ରୂପେ ପେଟ୍ରୋଲ ଉପରେ ଥିବା ଲିଟର ପିଛା ୧୦୫ ଟଙ୍କା ଶୁଳ୍କକୁ ବଢାଇ ୧୬୦ ଟଙ୍କା କରିଦେଇଛନ୍ତି। ଅନ୍ୟ ପଟେ ଡିଜେଲ ଉପରେ ଜାରି ୫୫ଟଙ୍କା ଶୁଳ୍କକୁ ହ୍ରାସ କରି ଶୁନ କରିଦେଇଛନ୍ତି।

ପାକିସ୍ତାନରେ ମାସକରୁ ବି କମ ସମୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏହା ଦ୍ୱିତୀୟ ଅଭିବୃଦ୍ଧି। ଗତ ମାର୍ଚ୍ଚ ମାସରେ ପାକିସ୍ତାନ ଡିଜେଲ ଓ ପେଟ୍ରୋଲ ଉପଭୋକ୍ତା ଦରରେ ପାଖାପାଖି ୨୦% ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ପରେ ଏଥିରେ ଯଥାକ୍ରମେ ୫୫% ଓ ୪୩% ବୃଦ୍ଧି କରାଯାଇଛି। ଅନ୍ୟ ଏସିୟ ଦେଶଙ୍କ ଭଳି ପାକିସ୍ତାନ ମଧ୍ୟ ତୈଳ ପାଇଁ ହୋର୍ମୁଜ ପ୍ରଣାଳୀ ଉପରେ ନିର୍ଭରଶୀଳ ଓ ମୁଖ୍ୟତଃ ସାଉଦୀ ଆରବ ଓ ୟୁଏଇରୁ ତୈଳ ଆମଦାନୀ କରୁଛି। ହେଲେ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ଅବରୋଧ ହେବା କାରଣରୁ ତୈଳ ମୂଲ୍ୟ ବଢିଥିବା ବେଳେ ପାକିସ୍ତାନରେ ମଧ୍ୟ ଏହାର ଚାପ ଅନୁଭୂତ ହେଉଛି।

ଉଲ୍ଲେଖୟଯୋଗ୍ୟ ଯେ ନିକଟରେ ପାକିସ୍ତାନ ଯୁଦ୍ଧରତ ଦୁଇ ଦେଶଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଆଗକୁ ବଢାଇଥିଲେ। କୁହାଯାଇଥିଲା ଇରାନ ଓ ଆମେରିକା ମଧ୍ୟରେ ବାର୍ତ୍ତା ନିମନ୍ତେ ଇସ୍ଲାମାବାଦ ସ୍ଥାନ ହୋଇପାରେ। ହେଲେ ଏ ଦିଗରେ ଏପର୍ଯ୍ୟନ୍ତ ସେପରି କୌଣସି ଅଗ୍ରଗତି ହୋଇ ନାହିଁ। ପାକିସ୍ତାନ ପେଟ୍ରୋଲିୟମ ମନ୍ତ୍ରୀ କଥିତ ରୂପେ ଏହା କହିଛନ୍ତି ଯେ ଗତ ୩ ସପ୍ତାହରେ ଦେଶ ୧୨୯ ବିଲିୟନ ସବସିଡି ଖର୍ଚ୍ଚ ବହନ କରିବାକୁ ଏବେ ଅସମର୍ଥ। କାରଣ ସଂସାଧନ ସୀମିତ ଥିବା ବେଳେ ନିକଟରେ ଯୁଦ୍ଧ ସମାପ୍ତ ହେବାର କୌଣସି ସଂକେତ ମିଳୁ ନାହିଁ। ଏଣୁ ସବସିଡି ଜାରି ରଖିବା ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି।

ତେବେ ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ବିଶେଷ ଅତିରିକ୍ତ ଉତ୍ପାଦ ଶୁଳ୍କ ହ୍ରାସ ହୋଇଛି। ଏହାର ପ୍ରଭାବ ଦେଶରେ ଇନ୍ଧନ ମୂଲ୍ୟ ଉପରେ ପଡି ନାହିଁ। ତେବେ ବ୍ୟବସାୟୀକ ଓ ଘରୋଇ ଏଲପିଜି ମୂଲ୍ୟରେ ବୃଦ୍ଧି ଦେଖା ଦେଇଛି। ଏଣୁ ସରକାର ଲୋକଙ୍କୁ ପାଇପଲାଇନରେ ଆସୁଥିବା ପିଏନଜି ବିକଳ୍ପ ବାଛିବାକୁ ଉତ୍ସାହିତ କରୁଛନ୍ତି।