ଭୁବନେଶ୍ବର: ରାଜ୍ୟରେ ବର୍ଷା ଓ ବନ୍ୟା ବିପତ୍ତି ଥମିବାର ନାଁ ନେଉନାହିଁ। ସେପଟେ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଚିନ୍ତା ବଢ଼ାଇଛି। ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ତାଣ୍ଡବ ରଚିଛି ବର୍ଷା। ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ବୁଢ଼ାବଳଙ୍ଗ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢ଼ିବା ଯୋଗୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି।

ଏସବୁ ଭିତରେ ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରିବା ପାଇଁ ଆହୁରି ୪ ଦିନ ଲାଗିବ। ଏବେ ବୈତରଣୀରେ ବନ୍ୟା ଧୀରେ ଧୀରେ କମୁଛି। ସେପଟେ ବ୍ରାହ୍ମଣୀର ଉପର ମୁଣ୍ଡରେ ବର୍ଷା ହୋଇଛି। ଆହୁରି ମଧ୍ୟ ଯେଉଁ ଅନୁପାତରେ ବନ୍ୟା ଜଳ କମିବା କଥା ତାହା ହେଉନାହିଁ। କାରଣ ତଳମୁଣ୍ଡରେ ପାଣି ନକମୁଣୁ ପୁଣି ଲଘୁଚାପ ଯୋଗୁ ଉପର ମୁଣ୍ଡରେ ବର୍ଷା ହେଉଛି। ଆଗକୁ ବର୍ଷା କମିଲେ ଯାଇ ବନ୍ୟା ଜଳ କମିବ।

Also Read: ବନ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; କ୍ଷୟକ୍ଷତି ମୁକାବିଲା ପାଇଁ ହଜାରେ କୋଟିର ପ୍ୟାକେଜ

ସେ ଆହୁରି କହିଛନ୍ତି, ସାଳନ୍ଦୀ, ବୁଢାବଳଙ୍ଗରେ ବନ୍ୟା ସ୍ଥିତି ସ୍ଥିର ରହିଛି। କିନ୍ତୁ ବୈତରଣୀ ଓ ବ୍ରାହ୍ମଣୀର ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ଏଥିରେ ବନ୍ୟା ଆସିପାରେ। ତେଣୁ ତା’ ଉପରେ ନଜର ରହିଛି। ସେପଟେ ଗାଲୁଡିହି ବ୍ୟାରେଜରୁ ୫୫୦୦ କ୍ୟୁସେକ୍ ଜଳ ଛଡ଼ାଯାଇଛି। ତେଣୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖାରେ ଆସିବ ବନ୍ୟା ପାଣି। ଫଳରେ କିଛି ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଇଆଇସି।