ନୂଆଦିଲ୍ଲୀ: ଭାରତ ବିକଶିତ ପଥରେ ଯିବା ପୂର୍ବରୁ ଚିନ ଭଳି ଏକ ବଡ଼ ସମସ୍ୟାରେ ପଡ଼ିପାରେ। ଆଗକୁ ଭାରତରେ ବଡ଼ ଜନସଂଖ୍ୟା ହ୍ରାସ ହୋଇପାରେ। ଓ ଦେଶରେ ବୟସ୍କଙ୍କ ସଂଖ୍ୟା ବଢ଼ିପାରେ। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ୍ (SRS) ୨୦୨୪ ରିପୋର୍ଟରେ ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି।

ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଯୁବ ଜନସଂଖ୍ୟା ଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି। ତେବେ ଦେଶରେ ଶିଶୁ ଜନ୍ମହାର ଦ୍ରୁତ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଭାରତର ଜନସାଂଖ୍ୟିକ ଚିତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ୍ (SRS) ୨୦୨୪ ରିପୋର୍ଟ ଅନୁଯାୟୀ, ଦେଶର ମୋଟ ପ୍ରଜନନ ହାର (TFR) ୧.୯କୁ ଖସିଆସିଛି। ଜନସଂଖ୍ୟାକୁ ଦୀର୍ଘକାଳୀନ ସ୍ଥିର ରଖିବା ପାଇଁ ଆବଶ୍ୟକ ୨.୧ର ପ୍ରତିସ୍ଥାପନ(ରିପ୍ଲେସମେଣ୍ଟ) ସ୍ତରଠାରୁ ଏହା କମ୍।

ପ୍ରଜନନ ହାର ଦୀର୍ଘ ସମୟ ଧରି ୨.୧ରୁ କମ୍ ରହିଲେ ଦେଶରେ ଯୁବ ଜନସଂଖ୍ୟାର ଅନୁପାତ କମିବା ସହ ବୃଦ୍ଧ ଲୋକଙ୍କ ଅନୁପାତ ବଢ଼ିବା ଆରମ୍ଭ ହୁଏ। ଏହି ପରିବର୍ତ୍ତନ ଭାରତ ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ଚୀନ ଭଳି ଦେଶ ଯେଉଁ ଆୟ ସ୍ତରରେ ବୃଦ୍ଧାବସ୍ଥାଜନିତ ଚାପ ସାମ୍ନା କରିଥିଲା, ଭାରତ ସେହି ସ୍ତରରେ ଏଯାବତ୍ ପହଞ୍ଚି ନାହିଁ।

ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁସାରେ, ଭାରତର ପ୍ରତି ବ୍ୟକ୍ତି GDP ପ୍ରାୟ ୨,୭୦୦ ଡଲାର ରହିଛି। ଅନ୍ୟପକ୍ଷରେ, ଚୀନ ବୃଦ୍ଧ ଜନସଂଖ୍ୟା ଚାପର ସାମ୍ନା କରିବା ପୂର୍ବରୁ ପ୍ରତି ବ୍ୟକ୍ତି GDP ପ୍ରାୟ ୧୩,୦୦୦ ଡଲାର ଅତିକ୍ରମ କରିଥିଲା। ତେଣୁ ଏଠି ପ୍ରଶ୍ନ ଉଠୁଛି ଭାରତ ଧନୀ ହେବା ପୂର୍ବରୁ ବୃଦ୍ଧ ହୋଇଯିବ କି?

ଅର୍ଥନୀତିଜ୍ଞମାନଙ୍କ ମତରେ, ଯଦିଓ ଏହା ହଠାତ୍ ଆସିବା ଭଳି ସଙ୍କଟ ନୁହେଁ, କିନ୍ତୁ ଏହାର ପ୍ରସ୍ତୁତି ଏବେଠାରୁ କରିବା ଆବଶ୍ୟକ। ବୃଦ୍ଧ ଜନସଂଖ୍ୟା ବଢ଼ିଲେ ଶ୍ରମଶକ୍ତିର ବୃଦ୍ଧି ଧୀର ହେବ, ସ୍ୱାସ୍ଥ୍ୟ ଖର୍ଚ୍ଚ ବଢ଼ିବ, ପେନ୍ସନ୍ ଉପରେ ଚାପ ବଢ଼ିବ ଏବଂ ବୃଦ୍ଧଙ୍କ ପାଇଁ ଦୀର୍ଘମିଆଦି ଯତ୍ନର ଚାହିଦା ବୃଦ୍ଧି ପାଇବ। ଏଥିରେ ଦେଶର ଅଧିକାଂଶ ସମ୍ଭଳ ଖର୍ଚ୍ଚ ହୋଇଗଲେ ଦେଶ ବିକାଶ କ୍ଷେତ୍ର ପୁଞ୍ଜି ନିବେଶ କରିବା କଷ୍ଟକର ହୋଇଯିବ। ଏହା ବାଦ ବୃଦ୍ଧ ଜନସଂଖ୍ୟାର ଦେଶରେ ବିଦେଶନୀ ନିବେଶ ବି କମିପାରେ।

ଜନସାଂଖ୍ୟିକୀ ଲାଭ (Demographic Dividend) ହେଉଛି ସେହି ସମୟ, ଯେତେବେଳେ କୌଣସି ଦେଶରେ ନିର୍ଭରଶୀଳ ଜନସଂଖ୍ୟା ତୁଳନାରେ କାର୍ଯ୍ୟକ୍ଷମ ବୟସର ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଥାଏ। ଏହା ଫଳରେ ଅଧିକ ଶ୍ରମଶକ୍ତିର ଅଂଶଗ୍ରହଣ, ଉତ୍ପାଦକତା ବୃଦ୍ଧି ଓ ସଞ୍ଚୟ ମାଧ୍ୟମରେ ଅର୍ଥନୈତିକ ବିକାଶକୁ ଦ୍ରୁତ କରିବାର ସୁଯୋଗ ସୃଷ୍ଟି ହୁଏ। କିନ୍ତୁ ଏହି ସୁଯୋଗର ସମୟସୀମା ରହିଛି। ଜନସଂଖ୍ୟା ବୟସ୍କ ହେବା ସହିତ ଏହି ଜନସାଂଖ୍ୟିକ ଲାଭର ସୁଯୋଗ ଧୀରେ ଧୀରେ ସଙ୍କୁଚିତ ହେବାକୁ ଲାଗେ।

ଭାରତର ଜନସାଂଖ୍ୟିକୀ ଲାଭ ଏବେ ବି ଜାରି ରହିଛି। ତେବେ ଆଗାମୀ ଦୁଇ ଦଶକରେ ଉପଲବ୍ଧ ବିଶାଳ ଶ୍ରମଶକ୍ତିକୁ ଦେଶ କେତେ ଦୂର ପର୍ଯ୍ୟନ୍ତ ଦୀର୍ଘକାଳୀନ ଉତ୍ପାଦକତା ବୃଦ୍ଧିରେ ପରିଣତ କରିପାରିବ, ତାହା ହିଁ ମୁଖ୍ୟ ଚ୍ୟାଲେଞ୍ଜ। କାରଣ, ଆଗାମୀ ଦିନରେ ଜନସଂଖ୍ୟା ବୟସ୍କ ହେବାର ପ୍ରଭାବ ଅର୍ଥନୈତିକ ବିକାଶ ଉପରେ ଅଧିକ ଅନୁଭୂତ ହେବା ପୂର୍ବରୁ ଏହି ସୁଯୋଗକୁ ସଠିକ୍ ଭାବେ ବ୍ୟବହାର କରିବା ଆବଶ୍ୟକ।

ସମୟ କଟୁଛି, ସଜାଗ ହେବା ବେଳ ଆସୁଛି

ଜନସଂଖ୍ୟାଗତ ପରିବର୍ତ୍ତନ ହଠାତ୍ ନୁହେଁ ବରଂ ଧୀରେ ଧୀରେ ଘଟୁଛି। ବର୍ତ୍ତମାନ ଭାରତ ଜନସାଂଖ୍ୟିକୀ ଲାଭରେ ରହିଛି। ନିକୋର ଆସୋସିଏଟ୍ସର ପ୍ରତିଷ୍ଠାତା ତଥା ମୁଖ୍ୟ ଅର୍ଥନୀତିଜ୍ଞ ମିତାଲି ନିକୋରଙ୍କ ଅନୁଯାୟୀ, ଏସଆର୍ଏସ୍ ୨୦୨୪ ତଥ୍ୟରେ ୧୫ରୁ ୫୯ ବର୍ଷ ବୟସର ଲୋକ ଭାରତର ମୋଟ ଜନସଂଖ୍ୟାର ୬୬.୪% ଥିବାବେଳେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଅନୁପାତ ୯.୭% ରହିଛି। ଅର୍ଥାତ୍ ଭାରତର ଡେମୋଗ୍ରାଫିକ୍ ଡିଭିଡେଣ୍ଡ ବା ଜନସାଂଖ୍ୟିକୀ ଲାଭ ଏବେ ବି ରହିଛି। ଅର୍ଥନୀତିକୁ ଦ୍ରୁତ ବଢ଼ାଇବା ପାଇଁ ଏହି ସମୟରେ ଅଧିକ ରୋଜଗାର, ଉତ୍ପାଦକତା, ଦକ୍ଷତା ବିକାଶ ଓ ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବା ଗୁରୁତ୍ୱପୂର୍ଣ୍ଣ।

୨୦୧୮-୧୯ ଆର୍ଥିକ ସର୍ଭେ ଅନୁଯାୟୀ, ଦେଶର କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟା ପ୍ରାୟ ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା ନୀତି ନିର୍ଦ୍ଧାରକମାନଙ୍କୁ ଅର୍ଥନୈତିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ସୀମିତ ସମୟ ପ୍ରଦାନ କରିବ।

Also Read- ଭାରତରେ ଆହୁରି ପ୍ରଡକ୍ସନ ହେବ ସାଂଘାତିକ ମିସାଇଲ୍ ଓ ଯୁଦ୍ଧାସ୍ତ୍ର: ଘରୋଇ କମ୍ପାନୀକୁ କ୍ଷେପଣାସ୍ତ୍ର ଟେକ୍ନୋଲୋଜୀ ହସ୍ତାନ୍ତର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି

କେୟାରଏଜ୍ ଗ୍ରୁପର ମୁଖ୍ୟ ଅର୍ଥନୀତିଜ୍ଞ ରଜନୀ ସିହ୍ନାଙ୍କ ମତରେ, ପ୍ରଜନନ ହାର ରିପ୍ଲେସମେଣ୍ଟ ସ୍ତର ନିକଟକୁ ଆସିବା ଭାରତର ଜନସଂଖ୍ୟା କାହାଣୀରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ। ତେଣୁ ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଦରକାର। କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଶ୍ରମ ବଜାରକୁ ବଦଳାଉଥିବାରୁ ଭବିଷ୍ୟତର ନିଯୁକ୍ତି ପାଇଁ ଯୁବପିଢ଼ିକୁ ପ୍ରସ୍ତୁତ କରିବା ମଧ୍ୟ ଜରୁରୀ।

EY Indiaର ମୁଖ୍ୟ ନୀତି ପରାମର୍ଶଦାତା ଡି.କେ. ଶ୍ରୀବାସ୍ତବ କହିଛନ୍ତି ଯେ ଜାତିସଂଘର ଜନସଂଖ୍ୟା ଆକଳନ ଡାଟା ଅନୁସାରେ ଭାରତର ବର୍ତ୍ତମାନ ମଧ୍ୟମ ବୟସ ପ୍ରାୟ ୨୯ ବର୍ଷ। ୨୦୫୯ ପର୍ଯ୍ୟନ୍ତ ୧୫ରୁ ୬୪ ବର୍ଷ ବୟସର କାର୍ଯ୍ୟକ୍ଷମ ଜନସଂଖ୍ୟାର ଅନୁପାତ ୬୫%ରୁ ଅଧିକ ରହିପାରେ। ୨୦୫୬ ପର୍ଯ୍ୟନ୍ତ ସ୍ଥିତିରେ ପରିବର୍ତ୍ତନ ଆସିପାରେ। ସେପର୍ଯ୍ୟନ୍ତ, ଭାରତର ଜନସଂଖ୍ୟାଗତ ଲାଭାଂଶ ଅକ୍ଷୁର୍ଣ୍ଣ ରହିବ ବୋଲି ଶ୍ରୀବାସ୍ତବ କହିଛନ୍ତି।

ନୀତିନିର୍ଦ୍ଧାରଣକାରୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ନୀତିଗତ ଦୃଷ୍ଟିକୋଣରୁ, ଆମକୁ ୨୦୫୬ ପର୍ଯ୍ୟନ୍ତ ଶିକ୍ଷାକୁ ଅଧିକ ପ୍ରାଥମିକତା ଦେବାକୁ ପଡ଼ିପାରେ ଯାହା ଦ୍ଵାରା କର୍ମଜୀବୀ ଜନସଂଖ୍ୟାର ଉତ୍ପାଦକତା ବୃଦ୍ଧି ପାଇପାରିବ ଏବଂ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ଖର୍ଚ୍ଚକୁ ଅଧିକ ପ୍ରାଥମିକତା ଦିଆଯାଇପାରିବ। ଏଠି ଉଭୟ ଅର୍ଥନୀତିଜ୍ଞଙ୍କ ବାର୍ତ୍ତା ସ୍ପଷ୍ଟ। ଭାରତ ପାଖରେ ସମୟ ରହିଛି। ହେଲେ ପ୍ରତିବର୍ଷ ଉତ୍ପାଦନଶୀଳ ଚାକିରି, ଦକ୍ଷତା ଏବଂ ଶିକ୍ଷାରେ ବିଳମ୍ବ ହେତୁ ବୟସ ବୃଦ୍ଧିକୁ ପରିଚାଳନା କରିବା କଷ୍ଟକର ହୋଇପଡୁଛି।

ଦକ୍ଷିଣ ଭାରତରେ ବୃଦ୍ଧାବସ୍ଥା, ଉତ୍ତରରେ ଯୁବ ଜନସଂଖ୍ୟା

ଭାରତର ସମସ୍ତ ରାଜ୍ୟରେ ଜନସାଂଖ୍ୟିକୀ ପରିବର୍ତ୍ତନ ଏକାପରି ହେଉନାହିଁ। ଦକ୍ଷିଣ ଭାରତର ଅନେକ ରାଜ୍ୟ ବହୁ ପୂର୍ବରୁ ରିପ୍ଲେସମେଣ୍ଟ ପ୍ରଜନନ ସ୍ତର ତଳକୁ ଖସି ସାରିଛନ୍ତି। ବଡ଼ ସହରଗୁଡ଼ିକରେ ମଧ୍ୟ ବୃଦ୍ଧାବସ୍ଥାର ପ୍ରଭାବ ଦେଖାଯାଉଛି। ଅନ୍ୟପକ୍ଷରେ ବିହାର ଭଳି ରାଜ୍ୟରେ ଏବେ ବି ତୁଳନାତ୍ମକ ଭାବେ ଯୁବ ଜନସଂଖ୍ୟା ଅଧିକ। ନିକୋରଙ୍କ ଅନୁଯାୟୀ, ବିହାର ପ୍ରାୟ ୨୦୩୯ ସୁଦ୍ଧା ରିପ୍ଲେସ୍ମେଣ୍ଟ ପ୍ରଜନନ ସ୍ତରରେ ପହଞ୍ଚିବାର ଆଶା ରହିଛି।

ନିକୋର କହିଛନ୍ତି ଯେ ଦକ୍ଷିଣ ରାଜ୍ୟଗୁଡ଼ିକୁ ବୃଦ୍ଧାଶ୍ରମ ସ୍ୱାସ୍ଥ୍ୟସେବା, ପେନସନ ଏବଂ ବୟସ୍କ ଯତ୍ନ ଭିତ୍ତିଭୂମିରେ ନିବେଶର ଆବଶ୍ୟକତା ବୃଦ୍ଧି ପାଉଛି। ଏହାର ବିପରୀତରେ, ବିହାର ଭଳି ଯୁବ ରାଜ୍ୟଗୁଡ଼ିକୁ ଶିକ୍ଷା, ଶିଶୁ ଯତ୍ନ ଏବଂ ନିଯୁକ୍ତି ସୃଷ୍ଟିରେ ନିବେଶର ଆବଶ୍ୟକତା ରହିଛି। ପ୍ରାୟ ୨୦୩୯ ପର୍ଯ୍ୟନ୍ତ ବିହାର ରିପ୍ଲେସମେଣ୍ଟ ପ୍ରଜନନ କ୍ଷମତାକୁ ଖସିବ ନାହିଁ ବୋଲି ଆଶା କରାଯାଉଛି ବୋଲି ନିକୋର କହିଛନ୍ତି।

ଅବଜରଭର୍ ରିସର୍ଚ୍ଚ ଫାଉଣ୍ଡେସନ୍ (ORF) ର ଏକ ସଂକ୍ଷିପ୍ତ ବିବରଣୀରେ ମଧ୍ୟ ସମାନ ଯୁକ୍ତି ଦିଆଯାଇଛି। ଭାରତର ଜନସଂଖ୍ୟାଗତ ୱିଣ୍ଡୋ ରାଜ୍ୟ ମଧ୍ୟରେ ଭିନ୍ନ ଭିନ୍ନ ଗତିରେ ସଂକୁଚିତ ହେଉଛି। ଏହି ଭିନ୍ନତା ନୀତି ନିର୍ମାଣକୁ ମଧ୍ୟ ଜଟିଳ କରୁଛି। ଦକ୍ଷିଣ ପଶ୍ଚିମ ଭାରତରେ ଆଗାମୀ ଦିନରେ ଶ୍ରମିକ ଅଭାବ, ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ ପେନ୍ସନ୍ ଭଳି ଚାହିଦା ବଢ଼ିପାରେ। ଅନ୍ୟପକ୍ଷରେ ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଆଗାମୀ ଦୁଇ ଦଶକ ଧରି ବହୁ ସଂଖ୍ୟକ ଯୁବ ଶ୍ରମିକ ଯୋଗ ହୋଇପାରନ୍ତି ବୋଲି ଓଆରଏଫ୍ କହିଛି। ଆନ୍ତଃରାଜ୍ୟ ପ୍ରବାସ ଏହି ଆଞ୍ଚଳିକ ତାରତମ୍ୟକୁ କିଛି ମାତ୍ରାରେ ସନ୍ତୁଳିତ କରିପାରେ। କିନ୍ତୁ ଏଥିପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଦକ୍ଷତା ଓ ରୋଜଗାର କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ନିଜ ଆବଶ୍ୟକତା ଅନୁସାରେ ନୀତି ବଦଳାଇବାକୁ ପଡ଼ିବ।

ଚୀନର ମଡେଲ୍ ଭାରତ ପାଇଁ ଯଥେଷ୍ଟ ନୁହେଁ

ଅର୍ଥନୀତିଜ୍ଞମାନେ ଯୁକ୍ତି ଦିଅନ୍ତି ଯେ ଭାରତର ଜନସଂଖ୍ୟାଗତ ପରିବର୍ତ୍ତନ ଚୀନ୍ର ଆର୍ଥିକ ପରିସ୍ଥିତିଠାରୁ ବହୁତ ଭିନ୍ନ ଅବସ୍ଥାରେ ଘଟୁଛି। ଚୀନର ପ୍ରଜନନ ହାର ପ୍ରାୟ ପ୍ରତି ମହିଳା ଗୋଟିଏ ଶିଶୁ ସ୍ତରକୁ ଖସି ଆସିଥିବାବେଳେ ଭାରତର ହାର ୧.୯। ତେଣୁ ଭାରତ ଏବେ ବି ଚୀନ ତୁଳନାରେ ଯୁବ ଜନସଂଖ୍ୟାର ଅଧିକ ଲାଭ ପାଉଛି। ତେବେ ଭାରତର ଆୟ ସ୍ତର କମ୍ ଥିବାରୁ ଜନସଂଖ୍ୟା ବୃଦ୍ଧାବସ୍ଥାରେ ପହଞ୍ଚିବା ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ। ଚୀନ ତାହାର ଜନସାଂଖ୍ୟିକୀ ଲାଭ ସମୟରେ ଦ୍ରୁତ ଶିଳ୍ପାୟନ ଓ ରପ୍ତାନି ଭିତ୍ତିକ ବିକାଶରୁ ବଡ଼ ଅର୍ଥନୈତିକ ଲାଭ ହାସଲ କରିଥିଲା। ତେଣୁ ଚୀନ ବିକାଶରେ ବର୍ତ୍ତମାନର ବାର୍ଦ୍ଧକ୍ୟ ସ୍ଥିତି ସେତାଟା ପ୍ରଭାବିତ କରି ନପାରେ।

ନିକୋରେଙ୍କ କହିବା ଅନୁସାରେ କମ୍ ଆୟ ଭାରତର ପରିବର୍ତ୍ତନ ଦିଗରେ ବାଧକ ହେଉଛି। ତଥାପି ଭାରତ ପାଖରେ ଏକାଧିକ ସୁଯୋଗ ରହିଛି। ଯେଉଁଥିରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ବୃଦ୍ଧି କରିବାର ସୁହଯୋଗ ଓ ବୟସ୍କ ଜନସଂଖ୍ୟାର ସାମ୍ନା କରୁଥିବା ଅର୍ଥନୀତିକୁ ଶ୍ରମିକ ଯୋଗାଣ ସୁଯୋଗ ରହିଛି। ଶ୍ରୀବାସ୍ତବ ଦର୍ଶାଇଛନ୍ତି ଯେ ଚୀନ୍ ତାର ଜନସଂଖ୍ୟାଗତ ବିକାଶ ସମୟରେ ଏକ ଅସାଧାରଣ ଅନୁକୂଳ ବିଶ୍ୱ ଅର୍ଥନୈତିକ ପରିବେଶରୁ ଲାଭ ପାଇଥିଲା। ବିପରୀତରେ, ଭାରତ ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ମଧ୍ୟରେ ଏକ ଅଧିକ ବିଖଣ୍ଡିତ ବିଶ୍ୱ ବାଣିଜ୍ୟ ପରିବେଶର ସମ୍ମୁଖୀନ ହେଉଛି।

ମହିଳାଙ୍କ ଅଂଶଗ୍ରହଣ ହୋଇପାରେ ବଡ଼ ଶକ୍ତି

ଭାରତର ସମସ୍ୟା କେବଳ ଶ୍ରମିକଙ୍କ ସଂଖ୍ୟା ନୁହେଁ; ଶ୍ରମ ବଜାରରେ ଅଂଶଗ୍ରହଣ ମଧ୍ୟ ଏକ ବଡ଼ ପ୍ରସଙ୍ଗ। ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ବଢ଼ିଥିଲେ ମଧ୍ୟ ଏହାର ବଡ଼ ଅଂଶ ଗ୍ରାମୀଣ ସ୍ୱୟଂରୋଜଗାର ଓ କୃଷି ସହ ଜଡ଼ିତ। ସହରାଞ୍ଚଳରେ ମହିଳାଙ୍କ ଅଂଶଗ୍ରହଣ ତୁଳନାତ୍ମକ ଭାବେ କମ୍। ବୃଦ୍ଧଙ୍କ ଯତ୍ନର ଚାହିଦା ବଢ଼ିଲେ ପରିବାରରେ ଅବୈତନିକ ଯତ୍ନ କାର୍ଯ୍ୟର ଭାର ଅଧିକାଂଶ ସମୟରେ ମହିଳାଙ୍କ ଉପରେ ପଡ଼ିପାରେ। ଏହା ମହିଳାଙ୍କୁ ନିଯୁକ୍ତିରୁ ଦୂରେଇବାର ଆଶଙ୍କା ବଢ଼ାଇବ।

ନିକୋରଙ୍କ ଗବେଷଣା ଅନୁଯାୟୀ, ମହିଳାଙ୍କ ଅବୈତନିକ ଘରୋଇ ଓ ଯତ୍ନ କାର୍ଯ୍ୟର ଆର୍ଥିକ ମୂଲ୍ୟ ଭାରତର GDPର ପ୍ରାୟ ୧୫–୧୭% ସହ ସମାନ। ତେଣୁ ଯଦି ଏହି କାର୍ଯ୍ୟର କିଛି ଅଂଶକୁ ଔପଚାରିକ କେୟାର୍ ଇକୋନୋମିରେ ଆଣିହେବ, ତେବେ ଏହା ମହିଳାଙ୍କ ରୋଜଗାର ବଢ଼ାଇବା ସହ ନୂଆ ଶିଳ୍ପ ଓ ଚାକିରି ସୃଷ୍ଟି କରିପାରିବ।

‘ସିଲଭର ଇକୋନୋମି’ରେ ନୂଆ ସୁଯୋଗ

ବୃଦ୍ଧ ଜନସଂଖ୍ୟାକୁ କେବଳ ଅର୍ଥନୈତିକ ଭାର ଭାବେ ଦେଖିବା ପରିବର୍ତ୍ତେ ଏହାକୁ ଏକ ନୂଆ ବଜାର ଓ ରୋଜଗାର ସୁଯୋଗ ଭାବେ ମଧ୍ୟ ଦେଖାଯାଇପାରେ। ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟସେବା, ଘରୋଇ ଯତ୍ନ, ଜେରିଆଟ୍ରିକ୍ କେୟାର୍, ସିନିୟର୍ ହାଉସିଂ ଓ ଦୀର୍ଘମିଆଦି ଯତ୍ନ ଭଳି କ୍ଷେତ୍ରରେ ବଡ଼ ବଜାର ସୃଷ୍ଟି ହୋଇପାରେ। ଏହାକୁ ‘ସିଲଭର ଇକୋନୋମି’ କୁହାଯାଏ। ସମୟ ଥାଇ ଏହି କ୍ଷେତ୍ରରେ ନୀତି ଓ ଭିତ୍ତିଭୂମି ବିକାଶ କରାଗଲେ ବୃଦ୍ଧାବସ୍ଥା ଭାରତ ପାଇଁ କେବଳ ଖର୍ଚ୍ଚର କାରଣ ନ ହୋଇ ନୂଆ ଅର୍ଥନୈତିକ କ୍ଷେତ୍ରର ଆଧାର ହୋଇପାରେ।

ଆଗାମୀ ଦୁଇ ଦଶକ ନିର୍ଣ୍ଣାୟକ

ଅର୍ଥନୀତିଙ୍କ ମତରେ, ଭାରତ ଧନୀ ହେବା ପୂର୍ବରୁ ବୃଦ୍ଧ ସମାଜରେ ପରିଣତ ହେବ କି ନାହିଁ, ତାହା କେବଳ ଜନସଂଖ୍ୟା ଧାରା ନୁହେଁ; ଆଗାମୀ ଦୁଇ ଦଶକର ନୀତି ନିର୍ଣ୍ଣୟ ଏହାର ମୁଖ୍ୟ ନିର୍ଦ୍ଧାରକ ହେବ। ଉତ୍ପାଦନଶୀଳ ରୋଜଗାର ସୃଷ୍ଟି, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣ, ନୂଆ ପ୍ରଯୁକ୍ତି ସହ ଶ୍ରମିକଙ୍କୁ ଖାପ ଖୁଆଇବା, ସ୍ୱାସ୍ଥ୍ୟସେବା ଏବଂ ବୃଦ୍ଧଙ୍କ ପାଇଁ କେୟାର୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଉପରେ ଏବେଠାରୁ ନିବେଶ କରିବା ଆବଶ୍ୟକ।

ଭାରତ ପାଖରେ ଏବେ ବି ଏକ ବଡ଼ ଯୁବ ଶ୍ରମଶକ୍ତି ରହିଛି ଏବଂ ଜନସାଂଖ୍ୟିକ ଲାଭର ସୁଯୋଗ ମଧ୍ୟ ଶେଷ ହୋଇନାହିଁ। କିନ୍ତୁ ଏହି ସୁଯୋଗ ସ୍ଥାୟୀ ନୁହେଁ। ଆଗାମୀ ୨୦ ବର୍ଷରେ ଭାରତ ଯଦି ଯୁବ ଜନସଂଖ୍ୟାକୁ ଦକ୍ଷ, ଉତ୍ପାଦନଶୀଳ ଓ ନିଯୁକ୍ତ ଶ୍ରମଶକ୍ତିରେ ପରିଣତ କରିପାରେ, ତେବେ ବୃଦ୍ଧାବସ୍ଥା ଆସିବା ପୂର୍ବରୁ ଦେଶ ନିଜ ଅର୍ଥନୈତିକ ଭିତ୍ତିକୁ ମଜବୁତ କରିପାରିବ।