ନୂଆଦିଲ୍ଲୀ: ଦେଶରେ ବଢି ଚାଲିଥିବା ଚିନି ଓ ପିଆଜ ଦରରେ ବୁଧବାର ବ୍ରେକ୍ ଲାଗିଛି। ସପ୍ତାହକ ପୂର୍ବରୁ ଚିନି ଦର ଏକ୍ସ ଫ୍ୟାକ୍ଟ୍ରି ପ୍ରାଇସ୍ ୬୮ ଟଙ୍କାକୁ ପହଞ୍ଚିଥିବା ବେଳେ ଏବେ ଏହା ୫୩-୫୫ ଟଙ୍କାକୁ ଆସିଛି। ମହାରାଷ୍ଟ୍ରରେ ଚିନିର ପାଇକାରୀ ଦର ୫୧-୫୨ ଟଙ୍କା ଓ କୋଲକାତାରେ କେଜି ପିଛା ଦର ୫୩ ଟଙ୍କାକୁ ଆସିଛି। ତେବେ ଏହି ଦର ହ୍ରାସର ଲାଭ ଏବେ ଖାଉଟିଙ୍କ ପର୍ଯ୍ୟନ୍ତ ପହଞ୍ଚିନି। ଆମଦାନୀ ଚିନି କନସାଇନମେଣ୍ଟ ପହଞ୍ଚିବା ପରେ ଓ ବନ୍ଦରରେ ଷ୍ଟକ୍ ଚିନି ବଜାରକୁ ଆସିଲେ ଘରୋଇ କୋଟା ଯୋଗାଣ ବଢିଲେ ଚିନି ବଜାର ଉପରେ ଚାପ କମିବ ଓ ଖାଉଟିଙ୍କୁ ଏହାର ଲାଭ ମିଳିବ।

ସରକାର ଅଗଷ୍ଟ ମାସ ଲାଗି ଆବଣ୍ଟିତ ଓ ଏପର୍ଯ୍ୟନ୍ତ ବଜାରକୁ ଆସିନଥିବା ଚିନି କୋଟା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ବଜାରକୁ ଚିନି ଯୋଗାଣ ବଢିବ ବୋଲି ଅନୁମାନ କରାଯାଉଛି। ସେହିପରି ଚିନି ଡିଲରଙ୍କୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଧିକତମ ଷ୍ଟକ୍ ୪୦୦ ଟନ ରଖିବାକୁ ସୀମା ନିର୍ଦ୍ଧାରଣ କରାଯାଇଛି। ସେହି ଅନୁସାରେ ସେପ୍ଟେମ୍ବର ୧ ତାରିଖରୁ ପାଇକାରୀ ବ୍ୟବସାୟୀ ମଧ୍ୟ ୧୫ ଦିନର ଖର୍ଚ୍ଚରୁ ଅଧିକ ଚିନି ରଖିପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଚିନି ଷ୍ଟକ୍ ଯାଞ୍ଚ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏପର୍ଯ୍ୟନ୍ତ ଦେଶର ୧ ହଜାରରୁ ଅଧିକ ସ୍ଥାନରେ ଚଢଉ କଲେଣି। ଏହାର ବଡ଼ ପ୍ରଭାବ କଳାବଜାରୀଙ୍କ ଉପରେ ପଡିଛି। ଏଣୁ ଅଧିକ ଉପାର୍ଜନର ଆଶା ବାନ୍ଧିଥିବା ବ୍ୟବସାୟୀ ମହଜୁଦ ଚିନି ବଜାରକୁ ଛାଡିଛନ୍ତି।

ସରକାର ପିଆଜ ଦର ନିୟନ୍ତ୍ରଣ ପାଇଁ ଚିନି ଫର୍ମୂଲା ଉପଯୋଗ କରିଛନ୍ତି। ଏଣୁ ୩ ଦିନ ମଧ୍ୟରେ ବଜାରରେ ପିଆଜ ଦର ହ୍ରାସ ଦେଖାଯାଇଛି। ପିଆଜର ସବୁଠୁ ବଡ଼ ବଜାର ନାସିକରେ ସୋମବାର କେଜି ପିଛା ଦର ୫୦ ଟଙ୍କା ଥିଲା। ଏହା ବୁଧବାର ହ୍ରାସ ହୋଇ ୪୨ଟଙ୍କାକୁ ପହଞ୍ଚି ଯାଇଛି। ୩ ଦିନରେ ପିଆଜ କେଜି ପିଛା ଦର ୮ଟଙ୍କା ଶସ୍ତା ହୋଇଛି। ଖାଉଟି ବ୍ୟାପାର ସଚିବ ନିଧି ଖରେ କହିଛନ୍ତି ଯେ ଦେଶରେ ପିଆଜର ଅଭାବ ନାହିଁ। ଘରୋଇ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ଅଛି। ଚଳିତବର୍ଷ ପିଆଜ ଉତ୍ପାଦନ ୩୦୭.୩୭ ଲକ୍ଷ ଟନ ରହିପାରେ ବୋଲି ଆକଳନ କରାଯାଉଛି। ଗତବର୍ଷ ଏହି ପରିମାଣ ୩୦୭.୬୭ ଲକ୍ଷ ଟନ ପାଖାପାଖି ଥିଲା। ଏହା ଛଡା ଦର ନିୟନ୍ତ୍ରଣ ପାଇଁ ସରକାର ବଫର ଷ୍ଟକ୍ ରୁ ପିଆଜ କାଢି ବଜାରରେ ଛାଡିଛନ୍ତି। ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରାଞ୍ଚଳରେ କେଜି ପିଛା ୩୫ ଟଙ୍କା ଦରରେ ପିଆଜ ଉପଲବ୍ଧ କରିବାକୁ ଯୋଜନା କରାଯାଉଛି।