ନୂଆଦିଲ୍ଲୀ: ବ୍ରିଟେନ ପାଣିପାଗ ବିଭାଗ (ମେଟ୍ ଅଫିସ) ଚଳିତବର୍ଷର ଏଲ ନିନୋକୁ ଗତ ୧୦୦ ବର୍ଷର ସବୁଠୁ ଶକ୍ତିଶାଳୀ ଓ ବିନାଶକାରୀ ବୋଲି ସତର୍କ କରିଛି। ଏଥିରେ ପ୍ରଶାନ୍ତ ମହାସାଗର ପୃଷ୍ଠ ତାପମାତ୍ରା ସ୍ୱଭାବିକରୁ ୩ ଡିଗ୍ରି ସେଲସିୟସ ଅଧିକ ରହିବ ବୋଲି ଅନୁମାନ କରାଯାଉଛି, ଯାହା ଆଧୁନିକ ଜଳବାୟୁ ରେକର୍ଡରେ ଏପର୍ଯ୍ୟନ୍ତର ସବୁଠୁ ଉଚ୍ଚତମ ସ୍ତର । ଏଣୁ ପାଣିପାଗ ବୈଜ୍ଞାନିକମାନେ ୨୦୨୭ ବର୍ଷକୁ ବୈଶ୍ୱିକ ସ୍ତରରେ ସବୁଠୁ ଉଷ୍ମ ବର୍ଷ ହୋଇ ପାରେ ବୋଲି ଆକଳନ କରିଥିବା ବେଳେ ୨୦୨୪ ରେକର୍ଡକୁ ବି ପଛରେ ପକାଇ ଦେଇପାରେ ବୋଲି କହିଛନ୍ତି।

ଭାରତ ଉପରେ ପଡିବ ଦୋହରା ପ୍ରଭାବ
ଭାରତରେ ଏଲ ନିନୋର ପ୍ରଭାବ ମୌସୁମୀ ବର୍ଷା ଉପରେ ପଡିଥାଏ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛନ୍ତି ଯେ ସମ୍ପୂର୍ଣ୍ଣ ଋତୁରେ ବର୍ଷାର ଦୀର୍ଘାବଧି ହାର ପାଖାପାଖି ୯୦ ପ୍ରତିଶତ ରହିପାରେ, ଯାହା ଗତ ୧୧ ବର୍ଷରେ ବର୍ଷାର ସବୁଠୁ କମ୍ ପରିମାଣ ବୋଲି କୁହାଯାଇଛି। ଏହାର ସିଧା ପ୍ରଭାବ ଦେଶର କୃଷି କ୍ଷେତ୍ର ଉପରେ ପଡିବ। ଏଥିରେ ଲଗାତାର ଦୁଇଟି ଫସଲ ଋତୁ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।

୨୦୨୭ ପର୍ଯ୍ୟନ୍ତ ରହିପାରେ ନକରାତ୍ମକ ପ୍ରଭାବ
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଜାରି ଋତୁରେ ବର୍ଷାରେ ଦେଖା ଦେଇଥିବା ହ୍ରାସ ଫସଲ ରୁଆ ଓ ଉତ୍ପାଦନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆଇଆଇଟି କାନପୁରର ଭିଜିଟିଂ ପ୍ରଫେସର ରଘୁ ମୁର୍ତୁଗୁଡ୍ଡେଙ୍କ ଅନୁସାରେ ଚଳିତବର୍ଷର ଏଲନିନୋ ପ୍ରଭାବ ୨୦୨୭ ମସିହା ପର୍ଯ୍ୟନ୍ତ ପ୍ରସରିପାରେ। ଜାରି ରବି ଫସଲ ଉତ୍ପାଦନ ପ୍ରଭାବିତ ହେବାକାରଣରୁ ସରକାରଙ୍କୁ ଏବେଠୁ ଖାଦ୍ୟ ତୈଳ ଓ ଚିନି ଭଳି ଅତ୍ୟାବଶ୍ୟକ ପଦାର୍ଥର ଯୋଗାଣ ଓ ମୂଲ୍ୟ ନିୟନ୍ତ୍ରିତ କରିବାକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପଡୁଛି।

Also Read: Super El Niño Threat : ବିନାଶକାରୀ ସୁପର ଏଲ୍ ନିନୋର ପ୍ରଭାବ, କେଉଁଠି ମରୁଡ଼ି ଓ କେଉଁଠି ଭୀଷଣ ବର୍ଷା ...

ବୈଶ୍ୱିକ ତାପମାତ୍ର ବୃଦ୍ଧି ଓ ହିଟୱେଭ ସତର୍କତା
ମେଟ ଅଫିସ ର ଜଳବାୟୁ ବିଶେଷଜ୍ଞ ଏଡମ ସ୍କାଇଫ ଏହି ସ୍ଥିତିକୁ ଅତ୍ୟନ୍ତ ଅସାଧାରଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦୀର୍ଘକାଳୀକ ଜଳବାୟୁ ମଡେଲରେ ଏଭଳି ତୀବ୍ର ସଂକେତ ପୂର୍ବରୁ କେବେ ଦେଖା ଯାଇ ନାହିଁ। ଆମେରିକୀୟ ଏଜେନ୍ସୀ ଏନଓଏଏ ତଥ୍ୟ ଆଧାରିତ କ୍ଲାଇମେଟ୍ ବ୍ରିଙ୍କ ଡାସ୍ ବୋର୍ଡ ଅନୁମାନରେ ପ୍ରଶାନ୍ତ ମହାସାଗର ତାପମାନ ବୃଦ୍ଧିର ତୀବ୍ରତା ନଭେମ୍ବରରେ ୩.୯ ଡିଗ୍ରି ସେଲସିୟସର ଚିନ୍ତାଜନକ ସ୍ଥିତିକୁ ପହଞ୍ଚି ପାରେ। ଏହା ପିଛିଲା ଏଲ ନିନୋ ୨୦୧୫-୧୬ର ସବୁଠୁ ବଡ଼ ଏଲ ନିନୋ ଠାରୁ ମଧ୍ୟ ଢେର ଅଧିକ।

ପଡିବ ରେକର୍ଡ ଗରମ
ଆଇଏମଡିଙ୍କ ବରିଷ୍ଠ ବୈଜ୍ଞାନିକ ଓ.ପି. ଶ୍ରୀଜିତଙ୍କ ଅନୁସାରେ ୨୦୨୭ରେ ବୈଶ୍ୱିକ ସ୍ତରରେ ରେକର୍ଡ ଗରମ ପଡିବାର ପୁରା ସମ୍ଭାବନା ରହିଛି। ତେବେ ଭାରତରେ ହାରାହାରି ତାପମାତ୍ରାର ନୂଆ ରେକର୍ଡ ହେବ କି ନା ଏହା ୨୦୨୭ର ମୌସୁମୀ ଓ ଏଲ ନିନୋ ଦକ୍ଷିଣ ଦୋଳନ(ଇଏନଏସଓ) ସ୍ଥିତି ଉପରେ ନିର୍ଭର କରିବ। ତେବେ ଆଗାମୀ ବର୍ଷ ବସନ୍ତ ଋତୁ ରେ ହିଟ ୱେଭ ପ୍ରବାହର ପୁରା ଆଶଙ୍କା ରହିଛି।

ଏଲ ନିନୋ କ’ଣ?
ଏଲ ନିନୋ ଏକ ପ୍ରାକୃତିକ ଜଳବାୟୁ ପ୍ୟାଟର୍ଣ୍ଣ, ଯେଉଁଥି ପାଇଁ ମଧ୍ୟ ଓ ପୂର୍ବ ଭୂମଧ୍ୟରେଖିୟ ପ୍ରଶାନ୍ତ ମହାସାଗର ପାଣିର ତାପମାତ୍ରାକୁ ଅସାଧାରଣ ରୂପେ ବଢାଏ। ଏଥିରେ ବୈଶ୍ୱିକ ସ୍ତରରେ ବାୟୁର ଦିଗ, ବାୟୁ ମଣ୍ଡଳୀୟ ଚାପ ଓ ବର୍ଷା ଚକ୍ରରେ ପରିବର୍ତ୍ତନ ଆସିଥାଏ। ସାଧାରଣତଃ ୨ରୁ ୭ ବର୍ଷରେ ହେଉଥିବା ଏହି ଘଟଣା ୯ରୁ ୧୨ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ ଓ ଏହାର ସବୁଠୁ ଭୟାବହ ବୈଶ୍ୱିକ ପ୍ରଭାବ ଏହା ଆରମ୍ଭ ହେବାର ପରବର୍ତ୍ତି ବର୍ଷ ଦେଖାଯାଇଥାଏ।