ଭୁବନେଶ୍ୱର: ଉତ୍ତର ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବିହାର ଓ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ଥିବା ଅବପାତ ଦୁର୍ବଳ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ, ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳ ଦେଇ ଅଗ୍ରସର ହେବାର ସମ୍ଭାବନା ରହିଛି।

ଏପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନଥିବାରୁ ପାଣିପାଗ ବିଭାଗ ପକ୍ଷରୁ କୌଣସି ଚେତାବନୀ ଜାରି କରାଯାଇନାହିଁ। ତେବେ ଆସନ୍ତା ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ଏହି ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Also Read: ବଡ଼ଚଣାରେ ବନ୍ୟା ଦୁର୍ଦ୍ଦଶା: ରୋଷେଇ ଓ ପାନୀୟ ଜଳ ପାଇଁ ହାହାକାର, ରନ୍ଧା ଖାଦ୍ୟ ମିଳୁନଥିବା ଅଭିଯୋଗ

ଏହାରି ମଧ୍ୟରେ ଓଡ଼ିଶା ପାଇଁ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ ଓ ୨୩ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପରିମାଣ ବଢ଼ିପାରେ।

ଅନ୍ୟପଟେ, ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୨୧୭.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆ ଲଘୁଚାପ ଗଠନ ପରେ ରାଜ୍ୟରେ ବର୍ଷାର ପ୍ରଭାବ କେତେ ବଢ଼ିବ, ତାହା ଉପରେ ପାଣିପାଗ ବିଭାଗର ନଜର ରହିଛି।