ନୂଆଦିଲ୍ଲୀ: ନେତାରୁ ଅଭିନେତା ବନିବେ ଜୁଏଲ ଓରାମ। ଏବେ ତାଙ୍କର ଅଭିନୟର ଯାଦୁ ଦେଖିବ ପୂରା ଦୁନିଆ। ରାଜଧାନୀର ପ୍ରସିଦ୍ଧ ଲବ-କୁଶ ରାମଲୀଳା କମିଟି ପକ୍ଷରୁ ଦିଲ୍ଲୀର ଲାଲକିଲ୍ଲା ମଇଦାନରେ ହେବାକୁ ଥିବା ରାମଲୀଳାରେ ଅଭିନୟ କରିବେ କେନ୍ଦ୍ର ମନ୍ତ୍ରୀ। ଶବର ରାଜା ନିଷାଦ ଭୂମିକାରେ ହେବେ ଅବତୀର୍ଣ୍ଣ। ନିଜର ଅଭିନୟ କରିବା ନେଇ ସ୍ପଷ୍ଟ କରିଛନ୍ତି ନିଜେ ମନ୍ତ୍ରୀ ଜୁଏଲ ଓରାମ। ନବରାତ୍ରୀ ସହିତ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାମଲୀଳାର ପରମ୍ପରା ଥିବା ବେଳେ ଏଥିରେ ବହୁ ଜଣାଶୁଣା ଅଭିନେତାଙ୍କୁ ଦେଖିବାକୁ ମିଳିଥାଏ। ତେବେ ଏଥର ମଞ୍ଚରେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ।

ଦିଲ୍ଲୀର ପ୍ରତିଷ୍ଠିତ ଲବକୁଶ ରାମଲୀଳା କମିଟି ପକ୍ଷରୁ ଆୟୋଜିତ ରାମଲୀଳାରେ ବହୁ ପ୍ରତିଷ୍ଠିତ କଳାକାର ଅଭିନୟ କରିଥାନ୍ତି। ଏଥର ଜୁଏଲଙ୍କୁ ଅଭିନୟ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ନିଜ ମନ୍ତ୍ରଣାଳୟ ଦେଶର ଜନଜାତିଙ୍କର କଲ୍ୟାଣ କରିବା ହୋଇଥିବା ବେଳେ ରାମଲୀଳାରେ ଶବର ରାଜା ନିଷାଦଙ୍କ ଭୂମିକା ତାଙ୍କୁ ପ୍ରଭାବିତ କରେ। ଆଉ କେନ୍ଦ୍ରମନ୍ତ୍ରୀ ରାମଲୀଳାରେ ଅଭିନୟ କରିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି କମିଟିର ସଭାପତି ଅର୍ଜୁନ କୁମାର।

Also Read: ୧୫ ବର୍ଷ ପରେ ଆସୁଛି 'ଦ ଡର୍ଟି ପିକ୍ଚର୍ ୨'; କନଫର୍ମ କଲେ ଏକତା, ନୂଆ କାହାଣୀ ନେଇ ପରଦାକୁ ଫେରୁଛି ଏହି ସିକ୍ଵେଲ

୧୪ ତାରିଖରେ ଜୁଏଲଙ୍କ ଅଭିନୟ ମଞ୍ଚସ୍ଥ ହେବ । ଆଉ ଜୁଏଲଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଏଥିପାଇଁ ସେ ଦୁଇ ଦିନ ଧରି ରିହର୍ସଲ କରିବେ। ରାଜା ନିଷାଦ ରାଜ ଭୂମିକାରେ ଅଭିନୟ କରିବା ପାଇଁ ଉତ୍ସୁକ ଅଛନ୍ତି ଜୁଏଲ ଓରାମ। ରାମଲୀଳାରେ ସୁଯୋଗ ଦେଇଥିବାରୁ କମିଟିକୁ ସେ ଧନ୍ୟବାଦ ଦେଇଛନ୍ତି।