ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବଡ଼ ସାମରିକ ଡିଲ ନେଇ ରିପୋର୍ଟ ପ୍ରକାଶ ପାଇଛି । ପାକିସ୍ତାନର ଫିଲ୍ଡ ମାର୍ଶଲ ଅସୀମ ମୁନିର ଚୀନ୍ ସହ ବଡ଼ ଡିଲ କରିଥିବା ନେଇ ମିଡିଆରେ ଖବର ପ୍ରକାଶ ପାଇବା ପରେ ହଇଚଇ । ପାକିସ୍ତାନ ଏବଂ ଚୀନ ମଧ୍ୟରେ ଏକ ବଡ଼ ଧରଣର ଗୋପନୀୟ ସାମରିକ ଚୁକ୍ତିକୁ ନେଇ ଆମେରିକାର ଏକ ଗଣମାଧ୍ୟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଆମେରିକାର ସ୍ୱାଧୀନ ମିଡିଆ ଆଉଟଲେଟ୍ 'ଡ୍ରପ୍ ସାଇଟ୍ ନ୍ୟୁଜ୍' (Drop Site News) ର ଦାବି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଏକ ବଡ଼ ସାମରିକ ଡିଲା୍ ପାଇଁ ଆଲୋଚନା ହୋଇଥିଲା।

ପରମାଣୁ ବୁଡ଼ାଜାହାଜ ପାଇଁ ପାକିସ୍ତାନର ଦାବି

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଚୀନଠାରୁ ଏପରି ପରମାଣୁ ଚାଳିତ ବୁଡ଼ାଜାହାଜ (Nuclear Submarines) ମାଗିଥିଲା, ଯେଉଁଥିରେ 'ସେକେଣ୍ଡ ଷ୍ଟ୍ରାଇକ୍' (Second Strike Capacity) କ୍ଷମତା ଥିବ। ସେକେଣ୍ଡ ଷ୍ଟ୍ରାଇକ୍ କ୍ଷମତାର ଅର୍ଥ ହେଉଛି, ଯଦି କୌଣସି ଶତ୍ରୁ ଦେଶ ପ୍ରଥମେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ସମୁଦ୍ର ମଧ୍ୟରୁ ପାଲଟା ପରମାଣୁ ଆକ୍ରମଣ କରିବାକୁ ସକ୍ଷମ ହେବ। ଏହି ଶକ୍ତିଶାଳୀ ବୁଡ଼ାଜାହାଜ ବଦଳରେ ପାକିସ୍ତାନ ନିଜର ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଗ୍ୱାଦର ବନ୍ଦରକୁ (Gwadar Port) ଚୀନକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା। ଚୀନ ଏହି ବନ୍ଦରକୁ ଏକ ସ୍ଥାୟୀ ସାମରିକ ବେସ୍ (Permanent Military Base) ଭାବରେ ବ୍ୟବହାର କରିପାରିବ ବୋଲି ଅନୁମତି ଦେବାକୁ ପାକିସ୍ତାନ ପ୍ରସ୍ତୁତ ଥିଲା।

ଗୋପନୀୟ ଦସ୍ତାବିଜରୁ ଖୁଲାସା

ଏହି ରିପୋର୍ଟ ପାକିସ୍ତାନର କେତେକ ଅତି ଗୋପନୀୟ ସାମରିକ ଦସ୍ତାବିଜର ସମୀକ୍ଷା ଉପରେ ଆଧାରିତ ବୋଲି ଦାବି କରାଯାଇଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଭାରତ ମହାସାଗରରେ ଚୀନର ସାମରିକ ଉପସ୍ଥିତି ସବୁଦିନ ପାଇଁ ସୁଦୃଢ଼ ହୋଇଯିବ। ଯଦି ଚୀନ ଗ୍ୱାଦରକୁ ସାମରିକ ବେସ୍ କରେ, ତେବେ ଆରବ ସାଗର ଏବଂ ଭାରତ ମହାସାଗରରେ ଭାରତର ସାମରିକ ରଣନୀତି ପ୍ରତି ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ। ପାକିସ୍ତାନ ପାଖରେ ସେକେଣ୍ଡ ଷ୍ଟ୍ରାଇକ୍ କ୍ଷମତା ରହିଲେ ଦକ୍ଷିଣ ଏସିଆରେ ଶକ୍ତି ସନ୍ତୁଳନ ବିଗିଡ଼ିବାର ମଧ୍ୟ ସମ୍ଭାବନା ରହିଛି।