ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ୍ ମୁନିର ଦେଶରେ ଅନେକ ବଡ଼ ଦାୟିତ୍ୱ ତୁଲାଉଛନ୍ତି। ସେନା ପରିଚାଳନା ସହିତ କୂଟନୀତି ଏବଂ ଦେଶର ଅର୍ଥନୈତିକ ନୀତି ନିର୍ଦ୍ଧାରଣରେ ମଧ୍ୟ ସେ ହସ୍ତକ୍ଷେପ କରନ୍ତି। ଏହାସହିତ ଭାରତ ବିରୋଧୀ ବୟାନବାଜି ପାଇଁ ମଧ୍ୟ ତାଙ୍କ ପାଖରେ ସମୟ ରହିଛି । ଏବେ ତାଙ୍କର ଏହି ଦାୟିତ୍ୱ ତାଲିକା ଆହୁରି ଲମ୍ବା ହେବାକୁ ଯାଉଛି। ପାକିସ୍ତାନର ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଏବେ ସେନା ମୁଖ୍ୟଙ୍କୁ ଏକ ନୂଆ ଦାୟିତ୍ୱ ଦିଆଯାଇଛି। ପାକିସ୍ତାନୀ ସମ୍ବାଦପତ୍ର 'ଦ ଡନ୍' (The Dawn)ର ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହ ଆରମ୍ଭରେ ଅନୁଷ୍ଠିତ ଏକ ସିନେଟ୍ ବୈଠକରେ ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ସୟଦ ମୁସ୍ତଫା କମାଲ ଏହି ସୂଚନା ଦେଇଛନ୍ତି। 

ବର୍ତ୍ତମାନ ୨୫୯ ମିଲିୟନରୁ ଅଧିକ ଜନସଂଖ୍ୟା ସହ ପାକିସ୍ତାନ ବିଶ୍ୱର ପଞ୍ଚମ ଜନବହୁଳ ଦେଶ । ୨୦୩୦ ସୁଦ୍ଧା ପାକିସ୍ତାନ, ଇଣ୍ଡୋନେସିଆକୁ ପଛରେ ପକାଇ ଚତୁର୍ଥ ବୃହତ୍ତମ ଦେଶ ପାଲଟିଯିବ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏହି ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ବିପଦ। ଏଭଳି ସଙ୍କଟ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ପୁଣିଥରେ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହାୟତା ଲୋଡ଼ିଛନ୍ତି। ଜନସଂଖ୍ୟା ସମସ୍ୟାର ସମାଧାନ ପାଇଁ ସରିଫ୍ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି, ଯେଉଁଥିରେ ମୁନିରଙ୍କୁ ସାମିଲ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଏବଂ ପ୍ରତି ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନିଆଯାଉଛି।

ସେନା ମୁଖ୍ୟଙ୍କୁ ଏହି ନୂଆ ଦାୟିତ୍ୱ ଏଭଳି ଏକ ସମୟରେ ମିଳିଛି, ଯେତେବେଳେ ପାକିସ୍ତାନ ବଲୋଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଗମ୍ଭୀର ସୁରକ୍ଷା ସମସ୍ୟାର ସମ୍ମୁଖୀନ ହେଉଛି। ଏହାବ୍ୟତୀତ ଆର୍ଥିକ ଦୁର୍ଦ୍ଦଶା ଏବଂ ପୋଲିସର ଜୁଲୁମ ଯୋଗୁଁ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ମଧ୍ୟ ଅଶାନ୍ତି ଦିନକୁ ଦିନ ତେଜିବାରେ ଲାଗିଛି। ନିକଟରେ ବାଲୋଚ୍ ବିଦ୍ରୋହୀ ଏବଂ ଟିଟିପି (TTP) ଆତଙ୍କବାଦୀଙ୍କ ଆକ୍ରମଣରେ ୪୨ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଏଭଳି ସମ୍ବେଦନଶୀଳ ସମୟରେ ସେନା ମୁଖ୍ୟଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ କରିବା କାମ ଦିଆଯାଇଥିବାରୁ ପାକିସ୍ତାନୀ ନାଗରିକମାନେ ନିଜ ସରକାରକୁ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ୍ କରୁଛନ୍ତି।

ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍ସ ଏବଂ ଜୋକ୍‌ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ଅସଦ୍ ତୁର ଟ୍ୱିଟ୍ କରି ଲେଖିଛନ୍ତି, ‘ଯଦି ସରକାରଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମଧ୍ୟ ନିଜ ଫିଲ୍ଡ ମାର୍ଶଲଙ୍କ ଆବଶ୍ୟକତା ପଡ଼ୁଛି, ତେବେ ସରକାର ଘରକୁ ଚାଲିଯିବା ଉଚିତ।’ ଅନ୍ୟ ଜଣେ ବ୍ୟଙ୍ଗ କରି ଲେଖିଛନ୍ତି ଯେ, ସେନା ମୁଖ୍ୟ କାଶ୍ମୀର ଏବଂ ବଲୋଚିସ୍ତାନରେ ଜନସଂଖ୍ୟା କମାଇବାରେ ସଫଳ ହୋଇଛନ୍ତି।