ନୂଆଦିଲ୍ଲୀ ୦୨/୧୨: ଦୈନନ୍ଦିନ ଜୀବନରେ ଅନେକ ଜିନିଷ ଅଛି ଯାହାର ଦ୍ୱିତୀୟ ଥର ବ୍ୟବହାର କରାଯାଉଛି । ବିଶେଷ କରି ବଜାରରେ, ଅଭାବୀ ଲୋକଙ୍କ ପାଇଁ ଅତି କମ ମୂଲ୍ୟରେ ଏହି ସେକେଣ୍ଡ ହ୍ୟାଣ୍ଡ ଜିନିଷ ବେଶ୍ ବ୍ୟବହାରଯୋଗ୍ୟ । ଯେମିତିକି ଘର, ଗାଡ଼ି, ପୁସ୍ତକ ଠାରୁ ଆରମ୍ଭ କରି ପୋଷାକ ଓ ଅନ୍ୟାନ୍ୟ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅନ୍ତର୍ଭୁକ୍ତ ।

ଏଠାରେ ପ୍ରଶ୍ନ ଉଠେ ଯେ, ଖାଦ୍ୟ ସାମଗ୍ରୀ ମଧ୍ୟ ଦ୍ୱିତୀୟ ଥର ବ୍ୟବାହରା ଉପଯୋଗୀ ହେବ କି ? କାରଣ, ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଦ୍ୱିତୀୟ ଥର ଫ୍ରାଏଡ୍ ଚିକେନ୍ ଉପଲବ୍ଧ ହେଉଛି । ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ର ରିପୋର୍ଟ ଅନୁଯାୟୀ, ଫିଲିପିନ୍ସର ମଲିନ୍ ବସ୍ତିରେ ଦୀର୍ଘ ଦଶନ୍ଧି ଧରି ଗୋଟିଏ ବ୍ୟଞ୍ଜନ ଲୋକପ୍ରିୟ ହୋଇଛି । ଯାହା ‘ପଗ୍ ପଗ୍’ ବା ‘ସେକେଣ୍ଡ୍ ହ୍ୟାଣ୍ଡ୍ ଫ୍ରାଏଡ୍ ଚିକେନ୍’ ନାମରେ ପରିଚିତ । ଚୀନ୍ର ଜଣେ ଇନ୍ଫ୍ଲୁଏନ୍ସର ଏହାର ସ୍ୱାଦକୁ ଚାଖି ଏହାର ପୂରା କାହାଣୀ ଶେୟାର କରିବା ପରେ ପଗ୍ପଗ୍ ଚର୍ଚ୍ଚାକୁ ଆସିଛି ।

‘ପଗ୍ ପଗ୍’ ଶବ୍ଦର ଅର୍ଥ- ଧୂଳି ଝାଡ଼ିବା । ଫିଲିପିନ୍ସିର ଗରିବ କ୍ଷେତ୍ରର ଲୋକମାନେ ଦୀର୍ଘ ଦଶନ୍ଧି ହେଲା ଏହାକୁ ଖାଇଆସୁଛନ୍ତି । ଫିଙ୍ଗାଯାଉଥିବା ଓ ବଳକା ଖାଦ୍ୟ-ପଦାର୍ଥରୁ ଏହାକୁ ପ୍ରସ୍ତୁତ କରାଯାଏ । ଧନୀ ବ୍ୟକ୍ତି ଖାଇବା ପରେ ଯେଉଁ ଚିକେନ୍ ବଳିପଡ଼େ, ତାକୁ ସଫା କରି ପୁଣି ମସଲାରେ ବୁଡ଼ାଯାଏ । ଆଉ ଥରେ ତେଲରେ ଛଣାଯାଏ । ତା’ପରେ ଏହାକୁ ସେକେଣ୍ଡ୍ ହ୍ୟାଣ୍ଡ୍ ଫ୍ରାଏଡ୍ ଚିକେନ୍ ଭାବେ ବିକ୍ରି କରାଯାଏ । ଏହି ବ୍ୟଞ୍ଜନ କିଛି ଗରିବ ପରିବାରଙ୍କ ପାଇଁ ପ୍ରୋଟିନ୍ର ଏକମାତ୍ର ଶସ୍ତା ସ୍ରୋତ ।

​​​​​​​

୧୯୬୦ ଦଶକରେ ଉତ୍କଟ ଦାରିଦ୍ର୍ୟରୁ ଏହାର ଉତ୍ପତ୍ତି ହୋଇଥିଲା । ଏହି ସମୟରେ ଦେଶ ଋଣ ସଙ୍କଟ ଓ ବେକାରୀ ମଧ୍ୟଦେଇ ଗତି କରୁଥିଲା । ଏଥିଯୋଗୁ ଲୋକେ କାମ ପାଇଁ ସହରାଞ୍ଚଳକୁ ପଳାୟନ ପାଇଁ ବାଧ୍ୟ ହେଉଥିଲେ । ଏହି ଗରିବ ସମୁଦାୟ ବିଭିନ୍ନ ସ୍ରୋତରୁ ପ୍ରୋଟିନ୍ର ବଳକା ଖଣ୍ଡଗୁଡ଼ିକର ଉପଯୋଗ ଆରମ୍ଭ କଲେ । ପରେ ତାହା ପଗ୍ପଗ୍ରେ ରୂପାନ୍ତରିତ ହେଲା ।

ଏହାର ପ୍ରସ୍ତୁତି ଲାଗି ଅଳିଆ ଉଠାଉଥିବା ଲୋକେ ସାଧାରଣତଃ ସକାଳୁ ପ୍ରଥମେ ଉତ୍ତମ ରୂପେ ସଂରକ୍ଷିତ ଖାଦ୍ୟ ଅବଶେଷର ଅନ୍ୱେଷଣରେ ଯାଉଥିଲେ । ସେମାନେ ଏଗୁଡ଼ିକୁ ବିକ୍ରେତାଙ୍କୁ ବିକ୍ରି କରୁଥିଲେ । ବିକ୍ରେତା ଏହି ବଳକା ସାମଗ୍ରୀଗୁଡ଼ିକୁ କାଟି, ପରିଷ୍କାର କରି ମସଲାରେ ଗୋଳାଉଥିଲେ । ସେହି ମିଶ୍ରଣକୁ ଛାଣି ସେକେଣ୍ଡ୍ ହ୍ୟାଣ୍ଡ୍ ଫ୍ରାଏଡ୍ ଚିକେନ୍ ପ୍ରସ୍ତୁତ କରୁଥିଲେ । ଏହାର ମୂଲ୍ୟ ୨୦-୩୦ ଟଙ୍କା ।