ଉମରକୋଟ ୨୧।୧୧: ଦୀର୍ଘ ୧୯ ବର୍ଷ ଧରି ଚାଲିଥିବା ଏକ ହତ୍ୟା ମାମଲାର ଶୁଣାଣି କରି ଉମରକୋଟ ଦୌରାଜଜ୍ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।

୨୦୦୭ ମସିହାରେ ଜମିଜମା ବିବାଦକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆଗୁଡ଼ା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ରଘୁନାଥ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଶିଂସାରି ଫାଣ୍ଡିରେ ମାମଲା ରୁଜୁ ହୋଇଥିଲା । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁପ୍ତି, ଫାର୍ସା, ଖଣ୍ଡା ଓ ଠେଙ୍ଗା ଆଦି ଜବତ କରିଥିଲା । ଦୀର୍ଘ ବର୍ଷ ଧରି ମାମଲାର ବିଚାର ପ୍ରକ୍ରିୟା ଚାଲିବା ପରେ ଉମରକୋଟ ଦୌରାଜଜ୍ ସୁନିତା ପଟ୍ଟନାୟକ ୨୨ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ଆଧାର କରି ରାୟ ପ୍ରକାଶ କରିଥିଲେ ।

Also Read: STFର ଡବଲ୍ ଆକ୍ସନ୍ : ୨ ବନ୍ଧୁକ ବେପାରୀ ଗିରଫ, ୧୧ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ

ଏହି ମାମଲାରେ ସଲିମ ଭତ୍ରା, ରୂପଧର ଭତ୍ରା, ଲଚିମି ଭତ୍ରା, ରବି ଭତ୍ରା, ମଙ୍ଗଳୁ ଭତ୍ରା, ଲକ୍ଷ୍ମୀଧର ଭତ୍ରା, ରାମ ଭତ୍ରା ଓ ବଣ୍ଡକୁ ଭତ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ । ଏହି ମାମଲାରେ ସରକାରୀ ଓକିଲ ଭାବେ ଅଶୋକ କୁମାର ପାଢ଼ୀ ପକ୍ଷ ରଖିଥିଲେ। ସାକ୍ଷ୍ୟପ୍ରମାଣ ଅଭାବରୁ ବିଦ୍ୟା ଭତ୍ରା ଓ ହରିଚାନ୍ଦ ଭତ୍ରାଙ୍କୁ ଖଲାସ କରାଯାଇଥିଲା।